ଫୁଲବାଣୀ, ୧୧।୩: ରାଜ୍ୟରେ ମାଓବାଦୀଙ୍କ ଦବଦବା କମିବାରେ ଲାଗିଛି । ମାଓ ସଂଗଠନ ଛାଡ଼ି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ଆଜି କନ୍ଧମାଳ ଜିଲ୍ଲା ପୁଲିସ ରିଜର୍ଭ ପଡ଼ିଆଠାରେ ୧୦ ଜଣ ହାର୍ଡକୋର ମାଓବାଦୀ ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି । ଏହି ଆତ୍ମସମର୍ପଣକାରୀଙ୍କ ମଧ୍ୟରେ ୭ ଜଣ ମହିଳା ଓ ୩ ଜଣ ପୁରୁଷ ରହିଛନ୍ତି । ରାଜ୍ୟ ପୁଲିସର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଏହି ଆତ୍ମସମର୍ପଣ ପ୍ରକ୍ରିୟା ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ADGP ସଞ୍ଜୀବ ପଣ୍ଡା, IGP ନିତି ଶେଖର, IGP ଦୀପକ କୁମାର, ବରିଷ୍ଠ ପୋଲିସ ଅଧିକାରୀ ଅମିତେନ୍ଦ୍ର, କନ୍ଧମାଳ ଏସପି ହରିଶ ବିଶି ପ୍ରମୁଖ ଉପସ୍ଥିତରେ ମାଓବାଦୀ ଆତ୍ମସମର୍ପଣ କରିଥିଲେ ।
ଏହା ବି ପଢ଼ନ୍ତୁ... ରାୟଗଡ଼ା ପୌର ଉପାଧ୍ୟକ୍ଷା ପଦ ହରାଇଲେ ଶୁଭ୍ରା ପଣ୍ଡା, ଅନାସ୍ଥା ଭୋଟରେ ହେଲା ମହାପରାଜୟ
ଆତ୍ମସମର୍ପଣ କରିଥିବା ପ୍ରମୁଖ ମାଓବାଦୀମାନେ ହେଲେ ଷ୍ଟେଟ କମିଟି ମେମ୍ବର ନୀତୁ, ଡିଭିଜନ କମିଟି ମେମ୍ବର ଅନୁପା, ଏରିଆ କମିଟି ମେମ୍ବର ସୁନୀଲ, ସୁନିତା, ପାର୍ଟି ମେମ୍ବର ଶିଳ୍ପା, ଯମୁନା, ଗଣେଶ କୁଞ୍ଜ, ସୁଶିଳା ଡୁଡି, ସରିତା କୁମ ଦାମ୍, ଚୁଡ଼ି ୟୋଗୀ ଓରଫ୍ ରଜନୀ । ଏହି ମାଓବାଦୀମାନେ ମାଓ ସଂଗଠନର କାର୍ଯ୍ୟଶୈଳୀରେ ଅସନ୍ତୁଷ୍ଟ ହୋଇ ଏବଂ ସରକାରଙ୍କ ଆତ୍ମସମର୍ପଣ ଓ ଥଇଥାନ ନୀତିରେ ଅନୁପ୍ରାଣିତ ହୋଇ ପୁଲିସ ନିକଟରେ ଶରଣ ପଶିଛନ୍ତି । ସରକାରୀ ନିୟମ ଅନୁଯାୟୀ, ସେମାନଙ୍କୁ ସମସ୍ତ ପ୍ରକାରର ଆର୍ଥିକ ସହାୟତା ଓ ଥଇଥାନ ସୁବିଧା ଯୋଗାଇ ଦିଆଯିବ ବୋଲି ପୋଲିସ ପ୍ରଶାସନ ପକ୍ଷରୁ କୁହାଯାଇଛି । ଏହା କନ୍ଧମାଳ ଜିଲ୍ଲା ଏବଂ ଆଖପାଖ ଅଞ୍ଚଳରେ ମାଓ ବିରୋଧୀ ଅଭିଯାନ ପାଇଁ ଏକ ବଡ଼ ସଫଳତା ଭାବେ ବିବେଚନା କରାଯାଉଛି ।