ଭଦ୍ରକ, ୧୭/୧୧: ଭଦ୍ରକ ପୁରୁଣା ବଜାର ପୋଲିସର ବଡ଼ ସଫଳତା । କୋଇଲା ଚୋରି ରାକେଟରେ ଚାଲାଣ ହେଉଥିବା ଗାଡ଼ି ମାଲିକ ଅଫତାବ ଖାନ , ଡ୍ରାଇଭର ଏସ କେ ମଜାହିଦ୍ ଓ ମାଷ୍ଟର ମାଇଣ୍ଡ ପ୍ରକାଶ ମଲ୍ଲିକକୁ ପୋଲିସ ଗିରଫ କରିଛି । ଏହା ସହ ୧୧୨ କୁଇଣ୍ଟାଲ କୋଇଲା ମଧ୍ୟ ଜବତ କରାଯାଇଛି। ଭଦ୍ର ଜିଲ୍ଲା ପୁରୁଣା ବଜାର ଅଢ୍ଚଳରେ ଏଭଳି ଘଟଣା ଘଟିଛି । 

ସୂଚନା ମୁତାବକ, ଭଦ୍ରକ ଅଞ୍ଚଳରେ ଚୋରା କୋଇଲା ଚାଲାଣ ହେଉଥିବା ନେଇ ଭଦ୍ରକ ପୁରୁଣା ବଜାର ପୋଲିସ ଏକ ବିଶେଷ ସୂତ୍ରରୁ ଖବର ପାଇଥିଲା । ଖବର ପାଇ ରାସ୍ତରେ ସମସ୍ତ ଗାଡ଼ି ଅଟକାଇ ଯାଞ୍ଚ କରିଥିଲା । ଏହି ସମୟରେ ଏକ ଚୋରା କୋଇଲା ବୋଝେଇ ଗାଡ଼ିକୁ ଅଟକାଇଥିଲା ପୋଲିସ । ଗାଡ଼ିକୁ ଅଟକାଇ ଡ୍ରାଇଭରଙ୍କୁ ପଚରା ଉଚୁରା ବେଳେ ଗାଡ଼ିରୁ ୮୦ ବ୍ୟାଗ ଚୋରା କୋଇଲା ମିଳିଥିଲା । ପରେ ଗାଡ଼ିର ମାଲିକଙ୍କୁ ଗିରଫ କରିବା ସହ ଚୋରା କୋଇଲା ଚାଲାଣର ମାଷ୍ଟର ମାଇଣ୍ଡ ନିକଟରେ ପହଞ୍ଚି ଥିଲା ପୋଲିସ । ସେଠାରେ ବେଆଇନ ଭାବେ ରଖା ଯାଇଥିବା ୧୫୫ ବ୍ୟାଗ ଓ ଅନ୍ୟ ଏକ ସ୍ଥାନରୁ ୪୫ ବ୍ୟାଗ ଚୋରା କୋଇଲା ଠାବ କରିଛି ପୋଲିସ । ସମୁଦାୟ ୨୮୦ ବ୍ୟାଗରେ ୧୧୨ କୁଇଁଟାଲ ଚୋରା କୋଇଲା ଜବତ ହୋଇଛି । 

ଏହି ଘଟଣାରେ ଗାଡ଼ି ମାଲିକ ଅଫତାବ ଖାନ, ଡ୍ରାଇଭର ଏସ କେ ମଜାହିଦ୍ ଓ ମାଷ୍ଟର ମାଇଣ୍ଡ ପ୍ରକାଶ ମଲ୍ଲିକକୁ ପୋଲିସ ଗିରଫ କରିଛି । ତେବେ ଚୋରା କୋଇଲା ଚାଲାଣ ରୋକିବା ପାଇଁ ପୋଲିସ ଜନ ସାଧାରଣଙ୍କୁ ନିବେଦନ କରିବା ସହ ସହଯୋଗ କରିବା ପାଇଁ ନିବେଦନ କରିଛି । ଏକ ନମ୍ୱର ଜାରି କରିବା ସହ ସୂଚନା ପ୍ରଦାନ କାରୀଙ୍କ ନାମ ଗୋପନ ରହିବ ବୋଲି ପୋଲିସ ସୂଚନା ଦେଇଛି ।