ରାୟଗଡ଼ା,୨୫/୦୪: ରାୟଗଡ଼ା, କନ୍ଧମାଳ ଓ ଗଜପତି ଜିଲ୍ଲା ସୀମାରେ ଲୁଚିଛନ୍ତି ୧୨ ମାଓବାଦୀ । ଦୁଇ ମାସ ତଳେ ମାଓ ସଂଗଠନ ଛାଡ଼ିଛନ୍ତି ବାଘୁନା ଡିଭିଜନର ଟପ୍ କ୍ୟାଡର ନିଖିଲ ଓ ତାଙ୍କ ପତ୍ନୀ ଇନ୍ଦୁ । ସେମାନଙ୍କ ସହ ଅନ୍ୟ ୧୫ ଜଣ ମଧ୍ୟ ମୁଖ୍ୟସ୍ରୋତକୁ ଫେରିଛନ୍ତି । ଏହାପରେ ଅନ୍ୟମାନେ ଆତ୍ମସମର୍ପଣ କରିବା ପାଇଁ ଯେଉଁ ଯୋଜନା ଥିଲା, ତାହା ଫେଲ୍ ମାରିଛି । ଯଦ୍ୱାରା ଆହୁରି ୧୨ କ୍ୟାଡର ମାଓବାଦୀ ସକ୍ରିୟ ଅଛନ୍ତି । ଆତ୍ମସମର୍ପଣ କରିବା ଲାଗି ନିଖିଲ ସେମାନଙ୍କୁ ଅପିଲ୍ କରିଛନ୍ତି ଯାହାକୁ ସେମାନେ କର୍ଣ୍ଣପାତ କରିନାହାନ୍ତି । ମାର୍ଚ୍ଚ ୩୧ ସୁଦ୍ଧା ଆତ୍ମସମର୍ପଣ କରିବାକୁ ସରକାର ଘୋଷଣା କରିଥିଲେ । ତେବେ ତାହାକୁ ମାଓବାଦୀ ଗୁରୁତ୍ୱ ଦେଇନଥିବା ଏଥିରୁ ସ୍ପଷ୍ଟ ହେଉଛି ।

ବଂଶଧାରା-ଘୁମୁସୁର-ନାଗାବଳୀ(ବାଘୁନା) ଡିଭିଜନରେ ମୋଟ ୨୫ରୁ ୨୭ ଜଣ ମାଓବାଦୀ ଥିଲେ । ଗତ ଫେବ୍ରୁଆରୀ ୬ ତାରିଖରେ ୧୫ ଜଣ ଆତ୍ମସମର୍ପଣ କରିଥିଲେ । ଏବେ ଆଉ ୧୨ ଜଣ ରହି ଯାଇଛନ୍ତି । ସେମାନେ ବାରମ୍ବାର ସ୍ଥାନ ପରିବର୍ତ୍ତନ କରି ଜଙ୍ଗଲରେ ଲୁଚି ବୁଲୁଛନ୍ତି । ନିଖିଲ ଅଡିଓ ଜାରି କରି ସଶସ୍ତ୍ର ଆନ୍ଦୋଳନ ଛାଡ଼ିବା ପାଇଁ ନିବେଦନ କରିଥିଲେ । ସାମାଜିକ, ଆର୍ଥିକ ଓ ରାଜନୈତିକ ପରିସ୍ଥିତିରେ ସଶସ୍ତ୍ର ବିପ୍ଳବ କଷ୍ଟକର ବୋଲି ବୁଝାଇ କହିଥିଲେ ।

ଅଧିକ ପଢ଼ନ୍ତୁ :-  ଜବରଦଖଲରେ ମହାରାଣୀ ତଖତକୁମାରୀଙ୍କ ଦାନ ଜମି: ପ୍ରାୟ ୨୦୦ ଏକର ଜାଗାକୁ ମାଡ଼ି ବସିଛନ୍ତି ମାଫିଆ

ଏବେ ଏହି ୧୨ ଜଣିଆ ଗୋଷ୍ଠୀର ନେତୃତ୍ୱ ନେଉଛନ୍ତି ଶୀଲା । ତାଙ୍କ ସହ ରହିଛନ୍ତି ମାଙ୍ଗୁ, ଶ୍ରୀନୁ, ପରମେଶ, ବିମଳା, ବିଜୁ ଓ କୁନି । ଅନ୍ୟମାନଙ୍କ ପରିଚୟ ମିଳିପାରିନାହିଁ । ନକୁଳଙ୍କ ନେତୃତ୍ୱରେ ରାୟଗଡ଼ା, କନ୍ଧମାଳ ଓ ଗଜପତି ଜିଲ୍ଲା ସୀମାନ୍ତରେ ସେମାନେ ରହିଥିବା ଗୁଇନ୍ଦା ବିଭାଗ ଖବର ପାଇଛି । ସେମାନେ ଆତ୍ମସମର୍ପଣ ପାଇଁ ବାଟ ଖୋଜୁଥିବା ଜଣାପଡ଼ିଛି । ତେବେ ସେଥିରେ କେତେ ସତ୍ୟତା ଅଛି ତାହା ଜଣାପଡ଼ିନାହିଁ । ଏହି ମାଓ ଗୋଷ୍ଠୀକୁ ଧରିବା ପାଇଁ ପୁଲିସ ପକ୍ଷରୁ କମ୍ବିଂ ଅପରେସନ ଚାଲିଛି ।