ଭୁବନେଶ୍ୱର,୨୫/୧୨ : ଦେଶରେ ଦିନକୁ ୩୪ କିମି ଲମ୍ବର ଜାତୀୟ ରାଜପଥ (ଏନ୍‌ଏଚ୍‌) ତିଆରି ହେଉଛି । ଜାତୀୟ ରାଜପଥ ନିର୍ମାଣରେ ଦେଶରେ ପ୍ରତିବର୍ଷ ନୂଆ ରେକର୍ଡ ହେଉଛି । କିନ୍ତୁ ଓଡ଼ିଶାରେ ଏନ୍‌ଏଚ୍‌ କାମ ସେଭଳି ଗତିରେ ଆଗେଇ ପାରୁନି । ଅନେକ ପ୍ରକଳ୍ପ ଧିମେଇ ଧିମେଇ ଆଗଉଛି । ରାଜ୍ୟର ୧୨ଟି ପ୍ରମୁଖ ଏନ୍‌ଏଚ୍‌ କାମରେ ମାତ୍ରାଧିକ ବିଳମ୍ବ ହେଉଛି । କେଉଁଠି ପ୍ରକଳ୍ପ ସାରିବା କଣ୍ଟ ବାରମ୍ବାର ଘୁଞ୍ଚୁଛି ତ ଆଉ କେଉଁଠି ଟାର୍ଗେଟ୍‌ର ଅଧାରେ ପହଞ୍ଚିନି । ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଏନ୍‌ଏଚ୍‌ ୨୬ରେ ଜୟପୁର ସହରକୁ ହେଉଥିବା ବାଇପାସ୍‌ କାମ ୨୦୨୩ ମେ ମାସରେ ଆରମ୍ଭ ହୋଇଥିଲା । ୧୩୫ କୋଟି ଟଙ୍କା ଖର୍ଚ୍ଚରେ ପେପର ମିଲ୍‌ ରୋଡ୍‌ ପାଖରୁ ଶିଳ୍ପାଞ୍ଚଳ ଯାଏ ୪ ଲେନ୍‌ ରାସ୍ତା ପାଇଁ ଯୋଜନା ହୋଇଥିଲା । ପ୍ରାୟ ଦେଢ଼ ବର୍ଷରୁ ଅଧିକ ସମୟ ବିତି ଯାଇଥିଲେ ବି ମାତ୍ର ୧୯% କାମ ଆଗେଇଛି । ୨୦୨୪ ନଭେମ୍ବର ସୁଦ୍ଧା ଏହି ପ୍ରକଳ୍ପ ଶେଷ କରିବାକୁ ଲକ୍ଷ୍ୟ ଥିଲା । 

ପ୍ରକଳ୍ପ ଅଧୀନରେ ହେବାକୁ ଥିବା ହାଇଲେଭଲ ବ୍ରିଜ୍‌ ଓ ଛୋଟ ବ୍ରିଜ୍‌ର ଡିଜାଇନ୍‌ ଏବେଯାଏ ଦାଖଲ କରାଯାଇନି । ପୁଣି ବିଦ୍ୟୁତ୍‌ ଖୁଣ୍ଟ ସ୍ଥାନାନ୍ତର ଓ ସ୍ଥାନୀୟ ଲୋକଙ୍କ ବିରୋଧ ଯୋଗୁ କାମ ଆଗେଇ ପାରୁନି । ୨୦୨୫ ଡିସେମ୍ବରରେ ଏହି ପ୍ରକଳ୍ପ ସାରିବାକୁ ଲକ୍ଷ୍ୟ ଅଛି । ବଲାଙ୍ଗିର ସହର ବାଇପାସ୍‌ କାମ ବି ସେମିତି ଆଣ୍ଠେଇଛି । ୨୦୨୩ ଏପ୍ରିଲ ମାସରେ ଏହି ବାଇପାସ୍‌ କାମ ଆରମ୍ଭ ହୋଇଥିଲା । ଜମି ଅଧିଗ୍ରହଣ ଓ ଜଙ୍ଗଲ ଅନୁମୋଦନ ନ ମିଳିବା କାରଣରୁ ଏହି ପ୍ରକଳ୍ପ ଆଗେଇ ପାରୁନି । ୨୩୮ କୋଟି ଟଙ୍କାରେ ହେବାକୁ ଥିବା ଏହି ପ୍ରକଳ୍ପ କାମ ୨୦୨୬ ଏପ୍ରିଲ ସୁଦ୍ଧା ସାରିବାକୁ ଲକ୍ଷ୍ୟ ଥିଲା । କିନ୍ତୁ ଏବେସୁଦ୍ଧା ମାତ୍ର ୨୭% କାମ ହୋଇଛି । ପୁରୀ କୋଣାର୍କ ରୋଡ୍‌ର ମାଟିଆପଡ଼ାଠାରେ ହେବାକୁ ଥିବା ରେଳ ଓଭରବ୍ରିଜ୍‌ କାମ ୨୦୨୩ରୁ ଆରମ୍ଭ ହୋଇଥିଲା । ଟଙ୍କା ମଞ୍ଜୁରି ଓ ବିଦ୍ୟୁତ୍‌ ଖୁଣ୍ଟ ସମସ୍ୟା ପାଇଁ ପ୍ରକଳ୍ପ ବିଳମ୍ବ ହେଉଛି । 

ମାଲକାନଗିରି-ମୋଟୁ ରାସ୍ତାରେ ୫ଟି ହାଇଲେଭଲ ବ୍ରିଜ୍‌ ପାଇଁ ୨୦୨୨ରେ କାମ ଆରମ୍ଭ ହୋଇଥିଲା । କିନ୍ତୁ ପ୍ରକଳ୍ପ କାମ ମାତ୍ର ୨୩% ଆଗେଇଛି । ୨୦୨୪ ଜୁନ୍‌ ମାସ ସୁଦ୍ଧା ପ୍ରକଳ୍ପ ସାରିବାକୁ ଲକ୍ଷ୍ୟ ଥିଲା । ଠିକା ସଂସ୍ଥା ପ୍ରକଳ୍ପ ନିର୍ମାଣରେ ବିଳମ୍ବ କରୁଥିବାରୁ କାମ ଆଗେଇ ପାରୁନି । ପୁଣି ଜଙ୍ଗଲ ଡାଇଭର୍ସନ ପାଇଁ କାମ ଅଟକିଛି । କନ୍ଦରପୁରରୁ ବାଲିକୁଦାକୁ ହେଉଥିବା ରାସ୍ତା ସଂପ୍ରସାରଣ କାମ ଦୁଇ ବର୍ଷ ତଳୁ ଚାଲିଛି । ୨୦୨୫ ଜୁନ୍‌ ସୁଦ୍ଧା କାମ ସାରିବାକୁ ଲକ୍ଷ୍ୟ ଥିଲେ ବି ମାତ୍ର ୩୨% କାମ ହୋଇଛି । ୨୦୨୬ ସୁଦ୍ଧା ପ୍ରକଳ୍ପ ଶେଷ କରିବାକୁ ସାନି କଣ୍ଟ ଦିଆଯାଇଛି । ଯାଜପୁରର କୁଆଖିଆରୁ ମଙ୍ଗଳପୁର ଯାଏ ୪ ଲେନ୍‌ ରାସ୍ତା ପାଇଁ ୬୩୬ କୋଟି ଟଙ୍କା ମଞ୍ଜୁର ହୋଇଥିଲା । ଜବରଦଖଲ ଉଚ୍ଛେଦ ଓ ଜମି ଦଖଲ ମିଳିବାରେ ସମସ୍ୟା ଯୋଗୁ କାମ ଆଗେଇ ପାରୁନି । ଏବେଯାଏ ମାତ୍ର ୧୬% କାମ ଆଗେଇଛି । ଏନ୍‌ଏଚ୍‌-୩୨୬ ଅଧୀନରେ ଧାଉଗାଁତପ୍ତପାଣି ରାସ୍ତା ସଂପ୍ରସାରଣ କାମ ମାତ୍ର ୨୦% ଆଗେଇଛି । ୯୦% ଜାଗା ସମସ୍ୟା ସମାଧାନ ହୋଇ ସାରିଥିଲେ ବି ପ୍ରକଳ୍ପ କାମ ପଡ଼ିରହିଛି । ବ୍ରହ୍ମୁପୁର ପାଖ ଦେଇ ଯାଉଥିବା ବାଇପାସ୍‌ କାମର ଆଖିଦୃଶିଆ ଅଗ୍ରଗତି ହେଉନି । 

୧୯୬ କୋଟି ଟଙ୍କାରେ ହେବାକୁ ଥିବା ଏହି ପ୍ରକଳ୍ପ କାମ ୨୦୨୨ରେ ଆରମ୍ଭ ହୋଇଥିଲା । ୨୦୨୪ ମାର୍ଚ୍ଚ ସୁଦ୍ଧା କାମ ସରିଯିବ ବୋଲି କୁହାଗଲା । ଏବେ ୨୦୨୫ ମେ ମାସକୁ ସାନି କଣ୍ଟ ଦିଆଯାଇଛି । ନୟାଗଡ଼ ସହର ଦେଇ ଯାଉଥିବା ବାଇପାସ୍‌ ପାଇଁ ୩୦୦ କୋଟି ଟଙ୍କା ମଞ୍ଜୁର ହୋଇଛି । ପ୍ରକଳ୍ପ ପାଇଁ କୌଣସି ବାଧକ ନ ଥାଇ ବି କାମ ବିଳମ୍ବିତ ହେଉଛି । ୨୦୨୫ ଏପ୍ରିଲ ସୁଦ୍ଧା ଏହାକୁ ସାରିବାକୁ ଟାର୍ଗେଟ୍‌ ଥିଲା । ଡେରି ହେଉଥିବାରୁ ୨୦୨୫ ଡିସେମ୍ବରରେ କାମ ସରିବ ବୋଲି ସାନି କଣ୍ଟ ନିର୍ଦ୍ଧାରିତ ହୋଇଛି । ଖୋର୍ଦ୍ଧା ସହର ଦେଇ ଯାଉଥିବା ବାଇପାସ୍‌ କାମ ବି ଆଣ୍ଠେଇଛି । ୨୦୨୩ରେ କାମ ଆରମ୍ଭ ହୋଇଥିଲେ ବି ୪୪% କାମ ସରିଛି । ୨୦୨୪ ନଭେମ୍ବର ସୁଦ୍ଧା ଏହାକୁ ସାରିବାକୁ ଲକ୍ଷ୍ୟ ଥିଲା । କିନ୍ତୁ କାମ ବିଳମ୍ବ ହେଉଥିବାରୁ ପ୍ରକଳ୍ପ ଲକ୍ଷ୍ୟ ୨୦୨୫ ଅଗଷ୍ଟକୁ ଘୁଞ୍ଚାଯାଇଛି ।