ଭୁବନେଶ୍ବର,୧୨/୧୨:ଷ୍ଟାର୍ଟଅପ୍‌ ଏବଂ ନବସୃଜନକୁ ପ୍ରୋତ୍ସାହିତ କରିବା ଦିଗରେ ରାଜ୍ୟ ସରକାରଙ୍କ ଷ୍ଟାର୍ଟଅପ୍‌ ଓଡ଼ିଶା ସ୍ଥାପନ କରିଛନ୍ତି । ଗତ ୫ ବର୍ଷରେ ମୋଟ ୧୭୪୭ ଷ୍ଟାର୍ଟଅପ୍‌କୁ ସ୍ୱୀକୃତି ମିଳିଛି । ଏହା ରାଜ୍ୟର ଔଦ୍ୟୋଗିକତା ସଂସ୍କୃତି ଓ ବାଣିଜ୍ୟିକ ବୃଦ୍ଧି ସହ ନବସୃଜନକୁ ପ୍ରୋତ୍ସାହନ ଦିଗରେ ରହିଥିବା ପ୍ରତିବଦ୍ଧତାକୁ ଦୋହରାଉଛି । ଷ୍ଟାର୍ଟଅପ୍‌ ଓଡ଼ିଶା କୌଣସି ଷ୍ଟାର୍ଟଅପ୍‌କୁ ସିଧାସଳଖ ଋଣ ପ୍ରଦାନ କରି ନ ଥାଏ । ତେବେ ଏହି ଷ୍ଟାର୍ଟଅପ୍‌ଗୁଡିକ ମଧ୍ୟରେ ବିଶେଷ ଯୋଗଦାନ ଦେଉଥିବା ଷ୍ଟାର୍ଟଅପ୍‌ଗୁଡ଼ିକୁ ଅନୁଦାନ ପ୍ରଦାନ କରାଯାଉଛି । ୩୨୨ ଷ୍ଟାର୍ଟଅପ୍‌ ୨୪ କୋଟିର ଅନୁଦାନ ପାଇଥିବା ରାଜ୍ୟ ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ସୂଚନା ଦେଇଛନ୍ତି । ଶ୍ରୀ ମଲ୍ଲିକ କହିଲେ, ଷ୍ଟାର୍ଟଅପ୍‌ ଇକୋସିଷ୍ଟମକୁ ପ୍ରୋତ୍ସାହିତ କରିବା ଦିଗରେ ପାଣ୍ଠି ସହାୟତା ପ୍ରଦାନ କରାଯାଉଛି । ଏ ଦିଗରେ ଷ୍ଟାର୍ଟଅପ୍‌ ଓଡ଼ିଶା ଷ୍ଟାର୍ଟଅପ୍‌ଗୁଡିକର ବିଭିନ୍ନ ଆବଶ୍ୟକତାକୁ ନଜରରେ ରଖି ଅନେକ ଯୋଜନା ଗ୍ରହଣ କରୁଛି । ପ୍ରଦାନ କରାଯାଇଥିବା ଅନୁଦାନ ମଧ୍ୟରେ ୨୮୪ ମାସିକ ସହାୟତା ଗ୍ରାଣ୍ଟ (ଏମ୍‌ଏଜି) ରହିଛି । 

ସେହିଭଳି ୧୦୭ ଉତ୍ପାଦ ଉନ୍ନତିକରଣ ଏବଂ ବିପଣନ ସହାୟତା (ପିଡିଏମ୍‌ଏ) ପ୍ରଦାନ କରାଯାଇଛି । ଏହାବାଦ ଆବଶ୍ୟକତା ଭିତ୍ତିରେ ସହାୟତା (ଏନ୍‌ବିଏ) ବର୍ଗରେ ୨୪ ଷ୍ଟାର୍ଟଅପ୍‌ ଅନୁଦାନ ଜାରି କରାଯାଇଛି । ଶ୍ରୀ ମଲ୍ଲିକ କହିଲେ, ସରକାର ଷ୍ଟାର୍ଟଅପ୍‌ ପାଇଁ ଧାର୍ଯ୍ୟ ଗ୍ରାଣ୍ଟ ଏବଂ ସୁବିଧା ମଧ୍ୟରେ ମାସିକ ସହାୟତା ଗ୍ରାଣ୍ଟ ଭାବେ ସାଧାରଣବର୍ଗରେ ବର୍ଷ ଲାଗି ୨୦ ହଜାର ଲେଖାଏଁ ଏବଂ ସ୍ୱତନ୍ତ୍ର ବର୍ଗରେ ୨୨ ହଜାର ଲେଖାଏଁ ପ୍ରଦାନ କରୁଛନ୍ତି । ସେହିଭଳି ଉତ୍ପାଦ ଉନ୍ନତିକରଣ ଏବଂ ବିପଣନ ସହାୟତା ବାବଦକୁ ଏହି ୨ ବର୍ଗରେ ଯଥାକ୍ରମେ ୧୫ ଲକ୍ଷ ଏବଂ ୧୬ ଲକ୍ଷ ଲେଖାଏଁ ପ୍ରଦାନ କରାଯାଉଛି । ୨ଟି କିସ୍ତିରେ ଏହି ଅର୍ଥ ଦେବାର ବ୍ୟବସ୍ଥା ହୋଇଛି । ସେହିଭଳି ନିର୍ଦ୍ଧିଷ୍ଟ ଆବଶ୍ୟକତା କ୍ଷେତ୍ରରେ ମଧ୍ୟ ସହାୟତା ରାଶି ବ୍ୟବସ୍ଥା ରହୁଛି । ପ୍ରଥମ କିସ୍ତି ମିଳିବା ପରେ ଷ୍ଟାର୍ଟଅପ୍‌ ବିନିଯୋଗ ପ୍ରମାଣପତ୍ର ୧ ଦେବେ । ପାଣ୍ଠିଗୁଡିକ ଠିକ୍‌ ଭାବେ ବିନିଯୋଗ ହେଉଛି କି ନାହିଁ ସେ ନେଇ ଷ୍ଟାର୍ଟଅପ୍‌ ଓଡ଼ିଶା ତର୍ଜମା ମଧ୍ୟ କରିଥାଏ ।