ଭଞ୍ଜନଗର,୭।୫ : ବଜ୍ରପାତରେ ଚାଲିଗଲା ଶାଶୁ- ବୋହୂଙ୍କ ଜୀବନ। ଗଞ୍ଜାମ ଜିଲା ଭଞ୍ଜନଗରର ମୁଦୁଲିପଲ୍ଲୀରେ ଏହି ଘଟଣା ଘଟିଛି। ମୃତକ ହେଲେ ଶାଶୁ ଶୈଳ ବିଷୋୟୀ(୬୫) ଏବଂ ବୋହୂ ସନ୍ତୋଷିନୀ ବିଷୋୟୀ(୩୫)।
ଗୁରୁବାର ଅପରାହ୍ନରେ ସମ୍ପୃକ୍ତ ଅଞ୍ଚଳରେ କାଳବୈଶାଖୀ ସହ ବର୍ଷା ହୋଇଥିଲା। ଏହି ସମୟରେ ବିଲରୁ କାମ ସାରି ଶାଶୁ ଓ ବୋହୂ ଘରକୁ ଫେରୁଥିଲା। କାଳବୈଶାଖୀ ବର୍ଷା ସହ ବଜ୍ରପାତ ହେବାରୁ ଏକ ବାଉଁଶ ବୁଦା ତଳେ ଅଟକି ରହିଥିଲେ। ପବନରେ ବାଉଁଶ ଗଛଟି ଢଳି ଯାଇଥିଲା। ଏହା ତଳେ
ଉଭୟ ଶାଶୁ ଓ ବୋହୂ ଚାପି ହୋଇ ରହିଯାଇଥିଲେ। ଖବର ପାଇ ଭଞ୍ଜନଗର ଦମକଳ ବାହିନୀ, ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ। ବାଉଁଶବୁଦା ଭିତରୁ ଶାଶୁ ଓ ବୋହୂଙ୍କୁ ଉଦ୍ଧାର କରି ଭଞ୍ଜନଗର ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି। ତେବେ ବଜ୍ରପାତରେ ଉଭୟ ଶାଶୁ- ବୋହୂଙ୍କ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି।
ଆହୁରି ପଢନ୍ତୁ : ଯୁବକଙ୍କୁ ପିଟି ପିଟି ମାରିଦେବା ଘଟଣା : ୪ ଗିରଫ, ବାଲିଅନ୍ତା ଥାନାରେ ଉତ୍ତେଜନା