ଯାଜପୁର, ୨୩/୦୬ : ଶୋଇବା ଘରେ ସାପ ସାଲୁବାଲୁ। ମାଟି ଖୋଳିବା ପରେ ଉଡ଼ିଗଲା ଘର ମାଲିକଙ୍କ ହୋସ୍। ଘରୁ ବାହାରିଲେ ୨୩ ନାଗ ଛୁଆ। ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ଜୟନ୍ତରା ପଞ୍ଚାୟତ ଚନ୍ଦୁକୁଡା ଗ୍ରାମର ଗୌରାଙ୍ଗ ଜେନାଙ୍କ ଘରୁ ଏହି ସାପ ଉଦ୍ଧାର ହୋଇଛନ୍ତି। ସ୍ନେକ୍ ହେଲ୍ପଲାଇନ୍‌ର ସଦସ୍ୟ ପହଞ୍ଚି ସମସ୍ତ ନାଗ ଛୁଆ ଉଦ୍ଧାର କରିଛନ୍ତି। 

ସୂଚନା ଅନୁଯାୟୀ, ଗତକାଲି ରାତିରେ ଗୌରାଙ୍ଗ ଜେନା ତାଙ୍କ ଶୋଇବା ଘରେ ଏକ ଛୋଟ ସାପ ବୁଲୁଥିବା ଦେଖି ତାକୁ ଘଉଡ଼ାଇବାକୁ ଚେଷ୍ଟା କରିଥିଲେ। ମାତ୍ର ଛୋଟ ସାପ ହୋଇଥିଲେ ମଧ୍ୟ ଏହା ଫଣା ଟେକି ଚୋଟ ମାରିବାକୁ ଉଦ୍ୟମ କରିଥିଲା। ପରେ ପରିବାର ଲୋକେ ଭୟଭୀତ ହୋଇଯାଇଥିଲେ ଏବଂ ଘର ଭିତରେ ଆହୁରି କିଛି ସାପ ଥିବା ଦେଖିଥିଲେ। ଏହାପରେ ସ୍ନେକ୍ ହେଲ୍ପଲାଇନ୍‌ର ରାଜ୍ୟ ସଂଯୋଜକ ପ୍ରମୋଦ ସାହୁଙ୍କୁ ଖବର ଦେଇଥିଲେ। ତାଙ୍କ ସହଯୋଗୀ ଯାହାଙ୍ଗୀର ଖାନଙ୍କ ସହ ଘଟଣାସ୍ଥଳରେ ପହଞ୍ଚି ମାଟିଘରର ସମ୍ପୂର୍ଣ୍ଣ ଚଟାଣ ଖୋଳି ଖୋଜାଖୋଜି କରିବା ପରେ ୨୩ଟି ନାଗଛୁଆ ଉଦ୍ଧାର କରାଯାଇଥିଲା। ଏହା ସହ କିଛି ସାପ ଅଣ୍ଡାର ଖୋଳପା ମଧ୍ୟ ଉଦ୍ଧାର କରାଯାଇଥିଲା।

ଏନେଇ ପ୍ରମୋଦ ସାହୁ କହିଛନ୍ତି ଯେ, ବର୍ତ୍ତମାନ ସମୟରେ ନାଗ ସାପ ଅଣ୍ଡାରୁ ଛୁଆ ବାହାରିବାର ଋତୁ ଚାଲିଛି। ତେଣୁ ଲୋକମାନେ ସତର୍କ ରହିବା ଆବଶ୍ୟକ। ବିଷଧର ସାପ ଛୋଟ ହୋଇଥିଲେ ମଧ୍ୟ ତାହାର ବିଷ ପ୍ରାଣଘାତକ ହୋଇପାରେ। ବିଶେଷ କରି ବର୍ଷାଦିନରେ ଖଟିଆ ଉପରେ ମଶାରୀ ଟାଙ୍ଗି ଶୋଇବା ସହିତ ଘର ଓ ଚାରିପାଖର ପରିବେଶ ସଫା-ସୁତରା ରଖିବା ପାଇଁ ସେ ପରାମର୍ଶ ଦେଇଛନ୍ତି। ଉଦ୍ଧାର ହୋଇଥିବା ସମସ୍ତ ନାଗଛୁଆଙ୍କୁ ସୁରକ୍ଷିତ ଭାବେ ଦୂରସ୍ଥ ପ୍ରାକୃତିକ ଆବାସସ୍ଥଳରେ ଛାଡ଼ି ଦିଆଯାଇଛି।

ଆହୁରି ପଢନ୍ତୁ- ସରକାରୀ ସଂସ୍ଥାର ଘରୋଇ ପ୍ରେସ୍‌ ପ୍ରୀତି, ନିଜର ଛାପିବା କ୍ଷମତା ଥାଇ ଘରୋଇ ହାତକୁ ୨୧ କୋଟିରେ ଟେକି ଦେଲେ

ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ-୨୦୨୬' ପରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା