ନୀଳଗିରି, ୨୧/୧୧ : ଭୋକ ଲାଗିବାରୁ ଲୁଣ ଭାବି ଖାଇଦେଲେ ଥିମେଟ୍। ୩ ଶିଶୁ ଗୁରୁତର। ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି। ୩ ଗୁରୁତର ଶିଶୁଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ସୂଚନାନୁଯାୟୀ, ନୀଳଗିରି ବ୍ଲକ ମହିଷାପଟା ପଞ୍ଚାୟତ ଶାଳବଣି ରାଜାସାହିର ବାବୁଲା ସିଂ ପୁଅ ଯୁବରାଜ (୮ ବର୍ଷ), ଅକ୍ଷୟ ସିଂ ଝିଅ ଇନ୍ଦୁରେଖା (୫ ବର୍ଷ) ଓ ରମେଶ ସିଂ ପୁଅ ଘନଶ୍ୟାମ(୪ ବର୍ଷ) ଗାଁ ଦାଣ୍ଡରେ ଖେଳୁଥିଲେ। ତାଙ୍କ ପରିବାର ଲୋକ ଧାନ କାଟିବାକୁ ବିଲକୁ ଯାଇଥିଲେ। ଖେଳୁ ଖେଳୁ ପିଲାଙ୍କୁ ଭୋକ ଲାଗିବାରୁ ସେମାନେ ଥିମେଟ୍କୁ ଲୁଣ ଭାବି ପିଆଜ ସହ ଗୋଳାଇ ଖାଇ ଦେଇଥିଲେ। ପରିବାର ଲୋକେ ବିଲରୁ କାମ ସାରି ଫେରିବା ପରେ ପିଲାମାନଙ୍କୁ ଗୁରୁତର ଅବସ୍ଥାରେ ଦେଖି ପ୍ରଥମେ ନୀଳଗିରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ ବାଲେଶ୍ୱର ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି। ସେପଟେ ଯୁବରାଜଙ୍କ ଅବସ୍ଥା ବିଗିଡ଼ିବାରୁ ତାଙ୍କୁ ମଧ୍ୟରାତିରେ କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି।