ଭୁବନେଶ୍ୱର, ୨୦। ୧୧ :କେନ୍ଦୁପତ୍ର ତୋଳାଳି, ବନ୍ଧାଳି ଏବଂ ଋତୁକାଳୀନ କର୍ମଚାରୀଙ୍କ ଜୀବିକାକୁ ସୁଦୃଢ଼ କରିବା ପାଇଁ ଓଡ଼ିଶା ସରକାର ଏକ ଦୃଢ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ମୁଖ୍ୟମନ୍ତ୍ରୀ କେନ୍ଦୁପତ୍ର କଲ୍ୟାଣ ପାଣ୍ଠିରୁ ୨୦୨୪ ଫସଲ ବର୍ଷ ଏବଂ ୨୦୨୫-୨୬ ଆର୍ଥିକବର୍ଷ ପାଇଁ ମୋଟ ୪୧.୧୭ କୋଟି ଟଙ୍କା ବିତରଣ କରାଯାଇଛି।
କେନ୍ଦୁପତ୍ର ତୋଳାଳିଙ୍କ ପାଇଁ ବୃହତ୍ ସହାୟତା ଭାବେ ବର୍ତ୍ତମାନ ସୁଦ୍ଧା ୮,୫୯,୭୨୭ଜଣ କେନ୍ଦୁପତ୍ର ତୋଳାଳିଙ୍କୁ ସୁବିଧା ପ୍ରଦାନ କରାଯାଉଛି। ଚପଲ ପିଛା ୧୬୦ ଟଙ୍କା, କେରି ବହନକାରି କପଡ଼ା ୨୦୦ ଟଙ୍କା ଏବଂ ହେଡ୍ କ୍ୟାପ ୧୦୦ ଟଙ୍କା ହିସାବରେ ମୋଟ ୩୯,୫୪,୭୪,୪୨୦ ଟଙ୍କା ଜମା କରାଯାଇଛି।
ସେହିପରି ୧୮୭୬୮ ଜଣ ବନ୍ଧାଳିଙ୍କୁ କମ୍ବଳ ଓ ମଶାରି ପାଇଁ ୟୁନିଟ ପିଛା ୭୦୦ ଟଙ୍କା ହିସାବରେ ୧,୩୧,୩୭,୬୦୦ଟଙ୍କା ପ୍ରଦାନ କରାଯାଇଛି। ୧୬୨୩୭ ଜଣ ଋତୁକାଳୀନ କର୍ମଚାରୀଙ୍କୁ ୟୁନିଟ ପିଛା ୧୦୦ ଟଙ୍କା ହାରରେ ୧୬,୨୩,୭୦୦ ଟଙ୍କା ମଧ୍ୟ୍ୟ ପ୍ରଦାନ କରାଯାଇଛି।
ମୁଖ୍ୟମନ୍ତ୍ରୀଙ୍କ ଦୃଢ଼ ନେତୃତ୍ୱ ଓ ସଫଳ କଲ୍ୟାଣକାରି ପଦକ୍ଷେପ ଏବଂ ଜଙ୍ଗଲ ଓ ପରିବେଶ, ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ବିଭାଗର ମନ୍ତ୍ରୀ ଗଣେଶ ରାମ ସିଂହ ଖୁଣ୍ଟିଆଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି ଯୋଜନାଗୁଡ଼ିକ ନିର୍ଣାୟକ ଭୂମିକା ନେଇଛି।ଏହି ବୃହତ୍ କଲ୍ୟାଣ ପ୍ୟାକେଜ୍ ରାଜ୍ୟର କେନ୍ଦୁପତ୍ର ଆଧାରିତ ଶ୍ରମଜୀବୀଙ୍କ ସୁଯୋଗ-ସୁବିଧା, ସୁରକ୍ଷା ଏବଂ ସାମାଜିକ ସମ୍ମାନକୁ ନୂତନ ଉଚ୍ଚତାକୁ ନେଇଯାଉଛି। ସରକାରଙ୍କ ଏହି ପ୍ରୟାସ ତାଙ୍କ ଜୀବିକାକୁ ସମୃଦ୍ଧ ବନାଇବା ସହିତ ସମାଜର ଦୃଢ଼ ଅର୍ଥନୈତିକ ଭିତି ଗଢ଼ିବାରେ ସହାୟକ ହେବ ।