୪୦ ବର୍ଷ ଅତିକ୍ରମ କରିବା ସହ ଶରୀରରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିଥାଏ । ମେଟାବଲିଜିମ୍‌ ଧୀମା ହେବା ସହ ଶରୀର ପ୍ରତି ଅଧିକ ଯତ୍ନଶୀଳ ହେବାକୁ ପଡିଥାଏ । ୪୦ ପରେ ଶରୀର ଏକ ନୂଆ ଇନିଂସ୍‌ ପାଇଁ ପ୍ରସ୍ତୁତ ହୋଇଥାଏ । ମହିଳାଙ୍କ କଥା କହିଲେ, ସେମାନେ କ୍ୟାରିଅର ଓ ପରିବାରକୁ ଗୁରୁତ୍ୱ ଦେବା ଭିତରେ ନିଜକୁ ପଛରେ ପକାଇ ଦେଇଥାନ୍ତି । ବୟସର ଏହି ପାହାଚରେ ପହଞ୍ଚିବା ପରେ ଅଚାନକ୍‌ ଥକ୍କାପଣ ଆସିବା ସହ ତ୍ୱଚା ଫିକା ପଡିବା ଆରମ୍ଭ କରିଥାଏ । ବାସ୍ତବରେ ଦେଖିବାକୁ ଗଲେ ୪୦ ପରେ ନିଜକୁ ନୂଆ ଢଙ୍ଗରେ ସଜାଇବା ଜରୁରି ହୋଇଥାଏ । ଡର୍ମାଟୋଲୋଜିଷ୍ଟଙ୍କ ମତରେ ଏହି ବୟସ ପରେ ୫ ସପ୍ଲିମେଣ୍ଟସ ନେବା ଜରୁରି, ଯାହା ଦ୍ୱାରା ଆପଣଙ୍କ ଭିତରେ ୨୫ ବର୍ଷ ବୟସ ପରି ଶକ୍ତି ଭରି ଦେଇଥାଏ । 

ମ୍ୟାଗ୍ନେସିୟମ୍‌ ଗ୍ଲାଇସିନେଟ୍‌: ରାତିରେ ଶୋଇବା ପରିବର୍ତ୍ତେ କଡ଼ ଲେଉଟାଇବାରେ ବ୍ୟସ୍ତ ରହୁଛନ୍ତି । ୪୦ ବର୍ଷ ପରେ ପ୍ରାୟ ଲୋକ ନିଦ ସମସ୍ୟା ସହ ଲଢୁଥାନ୍ତି । ସେଥିପାଇଁ ମ୍ୟାଗ୍ନେସିୟମ୍‌ ଗ୍ଲାଇସିନେଟ୍‌ ଏକ ଭଲ ବିକଳ୍ପ । ଏହା ଶରୀର ଓ ମାଂସପେଶୀକୁ ରିଲାକ୍ସ କରିଥାଏ । ଫଳରେ ରାତିରେ ଗଭୀର ଓ ଶାନ୍ତିର ନିଦ ହୋଇଥାଏ । 

ଓମେଗା-୩: ବିଶେଷଜ୍ଞଙ୍କ ମତରେ ଏହା ଅଲରାଉଣ୍ଡର ଭାବେ କାମ କରିଥାଏ । ଓମେଗା-୩ କେବଳ ହୃଦୟ ଓ ମସ୍ତିଷ୍କ ପାଇଁ କାମ କରି ନଥାଏ, ବରଂ ତ୍ୱଚା ପାଇଁ ମଧ୍ୟ ଲାଭଦାୟକ । ଏହା ତ୍ୱଚାକୁ ଭିତରୁ ଆର୍ଦ୍ର ରଖିବା ସହ ବୟସର ଛାପକୁ କମ୍‌ କରିଥାଏ । 
କ୍ୟାଲସିୟମ୍‌ ଓ ଭିଟାମିନ୍‌-ଡି: ଏହି ବୟସରେ ହାଡ଼କୁ ମଜଭୁତ ରଖିବା ସବୁଠାରୁ ବଡ଼ ଚ୍ୟାଲେଞ୍ଜ । ସେଥିପାଇଁ କ୍ୟାଲସିୟମ୍‌ ସାଙ୍ଗକୁ ଭିଟାମିନ୍‌ଡି' ସପ୍ଲିମେଣ୍ଟ ଜରୁରି । ଭିଟାମିନ୍‌-ଡି' ହାଡ଼କୁ ମଜଭୁତ କରିବା ସହ ଭବିଷ୍ୟତରେ ଗଣ୍ଠି ଯନ୍ତ୍ରଣା ସମସ୍ୟାକୁ କମ୍‌ କରିଥାଏ । 

ଗ୍ଲୁଟାଥିୟୋନ ଓ ଭିଟାମିନ୍‌- ସି: ଗ୍ଲୁଟାଥିୟୋନ୍‌ ଓ ଭିଟାମିନ୍‌-ସି’ର ମିଶ୍ରଣ ୪୦ ବର୍ଷ ପରେ ଖୁବ୍‌ ଜରୁରି । ପ୍ରାୟ ଲୋକ ଏହାକୁ ତ୍ୱଚାର ଚମକ୍‌ ସହ ଯୋଡ଼ିଥାନ୍ତି । କିନ୍ତୁ ଏହା ସତ ନୁହେଁ । ଗ୍ଲୁଟାଥିୟୋନ୍‌ ଏକ ସୁପର ଆଣ୍ଟିଅକ୍ସିଡାଣ୍ଟ୍‌, ଯାହା ଶରୀରରେ ହେଉଥିବା ଚିନ୍ତା ଓ ପ୍ରଦୂଷଣଜନିତ କ୍ଷତିକୁ କମ୍‌ କରିଥାଏ । ଫଳରେ ଶରିର ସୁସ୍ଥ ଓ ସତେଜ ଦେଖାଯାଇଥାଏ । 

ପ୍ଲାଣ୍ଟ୍‌ ପ୍ରୋଟିନ୍‌: ଶରୀରର ଶକ୍ତିକୁ ବଜାୟ ରଖିବା ପାଇଁ ପ୍ଲାଣ୍ଟ ପ୍ରୋଟିନ୍‌କୁ ଡାଏଟ୍‌ରେ ସାମିଲ୍‌ କରିବା ଆବଶ୍ୟକ । ବୟସ ବଢିବା ସହ ମାଂସପେଶୀ ଦୁର୍ବଳ ହୋଇଚାଲେ । ପ୍ରୋଟିନ୍‌ ସପ୍ଲିମେଣ୍ଟ ଏହାକୁ ବଜାୟ ରଖବା ସହ ସାରାଦିନ ସତେଜ ଅନୁଭବ ଦେଇଥାଏ ।