ନୂଆଦିଲ୍ଲୀ ୧୫/୧୨: କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ(ଇପିଏଫ୍‌ଓ) ଗ୍ରାହକଙ୍କୁ ବ୍ୟାଙ୍କିଙ୍ଗ୍‌ ଭଳି ସେବା ପ୍ରଦାନ କରାଯିବ । ଏ ଯୋଜନା ଉପରେ ବର୍ତ୍ତମାନ କାର୍ଯ୍ୟ ଚାଲିଛି । ସୂତ୍ର ଅନୁସାରେ, ନୂଆ ବ୍ୟବସ୍ଥା ଅଧୀନରେ ଭବିଷ୍ୟନିଧି ପାଣ୍ଠି (ପିଏଫ୍‌)ର ମୋଟ୍‌ ଜମାର ୫୦ ପ୍ରତିଶତ ଅର୍ଥକୁ ଏଟିଏମ୍‌ ଭଳି କାର୍ଡ ଜରିଆରେ ଉଠାଇହେବ । 

କେନ୍ଦ୍ର ଶ୍ରମ ସଚିବ ସୁମିତା ଡାୱରା କହିଛନ୍ତି ଯେ, ଏ ସେବା ଆସନ୍ତା ବର୍ଷରୁ ଆରମ୍ଭ କରାଯିବାର ସମ୍ଭାବନା ରହିଛି । ଶ୍ରୀମତୀ ଡାୱରା ଶୁକ୍ରବାର କହିଥିଲେ ଯେ, ନୂଆ ବ୍ୟବସ୍ଥାରେ ଇପିଏଫ୍‌ଓ ସଦସ୍ୟ, ଯାହାଙ୍କ ମୃତ୍ୟୁ ହୋଇଯାଇଛି, ତାଙ୍କ ଉତ୍ତରାଧିକାରୀ ବି କ୍ଲେମ୍‌ ସେଟେଲ୍‌ମେଣ୍ଟ ପରେ ଏଟିଏମ୍‌ ମାଧ୍ୟମରେ ଟଙ୍କା ଉଠାଇପାରିବେ । ଇପିଏଫ୍‌ଓ କାର୍ଡ ଡେବିଟ୍‌ କାର୍ଡ ଭଳି ହେବ । ଏହାକୁ ଇପିଏଫ୍‌ଓ ୱିଡ୍ରୟାଲ କାର୍ଡ କୁହାଯିବ । ଏହି କାର୍ଡର ବ୍ୟବହାର ଏଟିଏମ୍‌ରେ ବ୍ୟାଙ୍କ ଡେବିଟ୍‌ କାର୍ଡ ଭଳି କରି ଇପିଏଫ୍‌ ଖାତାରୁ ଟଙ୍କା ଉଠାଯାଇପାରିବ ।

କର୍ମଚାରୀ ସଂଗଠନଗୁଡ଼ିକ ତରଫରୁ ପିଏଫ୍‌ ଉଠାଣ ପ୍ରକ୍ରିୟାକୁ ଅଧିକ ସହଜ କରିବା ଲାଗି ଦାବି କରାଯାଉଥିଲା । ଉକ୍ତ କ୍ରମରେ ଏହି ଯୋଜନା ଉପରେ କାର୍ଯ୍ୟ ଚାଲିଥିବା ଜଣାପଡ଼ିଛି । ଇପିଏଫ୍‌ଓ ୩.୦ ଦ୍ୱାରା କର୍ମଚାରୀଙ୍କୁ ଆବଶ୍ୟକ ସମୟରେ ତତ୍କାଳ ଟଙ୍କା ମିଳିବା ଏବଂ ଅବସର ପରେ ବି ସୁରକ୍ଷିତ ରାଶି ମିଳିବା ମଧ୍ୟରେ ସନ୍ତୁଳନ ରକ୍ଷା କରାଯାଇପାରିବ ।   ପିଏଫ୍‌ ଉଠାଣ ନିୟମ ଅନୁସାରେ, ଯଦି କୌଣସି ସଦସ୍ୟଙ୍କ ଚାକିରି ଚାଲିଯାଏ ତେବେ ସେ ମାସେ ପରେ ପିଏଫ୍‌ ଖାତାରୁ ୭୫% ଟଙ୍କା ଉଠାଇପାରିବେ । ଏହାଦ୍ୱାରା ସେ ବେରୋଜଗାର ବେଳେ ପିଏଫ୍‌ ଟଙ୍କାରେ ନିଜର ଆବଶ୍ୟକତାକୁ ପୂରଣ କରିପାରିବେ । ପିଏଫ୍‌ରେ ଜମା ହୋଇଥିବା ଅବଶିଷ୍ଟ ୨୫% ଭାଗକୁ ଚାକିରି ଯିବାର ଦୁଇ ମାସ ପରେ ଉଠାଇପାରିବେ । 

ଯଦି କୌଣସି କମ୍ପାନିରେ ସେବା ପ୍ରଦାନ କରିବାରେ ଜଣେ କର୍ମଚାରୀଙ୍କର ୫ ବର୍ଷ ପୂରଣ ହୋଇଯାଏ ଏବଂ ସେ ପିଏଫ୍‌ ରାଶି ଉଠାନ୍ତି ତେବେ ତାହା ଉପରେ ଆୟ କରର କୌଣସି ବୋଝ ନ ଥାଏ । ୫ ବର୍ଷର ଅବଧି ଗୋଟିଏ କିମ୍ବା ଏହାଠାରୁ ଅଧିକ କମ୍ପାନିଙ୍କୁ ମିଶାଇ ବି ହୋଇପାରେ । ଗୋଟିଏ କମ୍ପାନିରେ ୫ ବର୍ଷ ପୂରଣ କରିବା ଜରୁରି ନୁହେଁ । ମୋଟ ଅବଧି ଅନ୍ୟୁନ ୫ ବର୍ଷ ହେବା ଜରୁରି । ଯଦି କର୍ମଚାରୀ ଚାକିରିରେ ୫ ବର୍ଷ ପୂରଣ ହେବା ପୂର୍ବରୁ ପିଏଫ୍‌ ଖାତାରୁ ୫୦ ହଜାର ଟଙ୍କାରୁ ଅଧିକ ରାଶି ଉଠାନ୍ତି ତେବେ ତାଙ୍କୁ ୧୦% ଟିଡିଏସ୍‌ ଦେବାକୁ ପଡ଼ିବ । ସେହିଭଳି ଯଦି ଜଣକ ପାଖରେ ପାନ୍‌ କାର୍ଡ ନାହିଁ ତେବେ ତାଙ୍କୁ ୩୦% ଟିଡିଏସ୍‌ ଦେବାକୁ ହେବ । ଯଦି କର୍ମଚାରୀ ଫର୍ମ ୧୫ଜି/୧୫ଏଚ୍‌ ଦାଖଲ କରନ୍ତି ତେବେ କୌଣସି ଟିଡିଏସ୍‌ କଟାଯିବ ନାହିଁ ।