କଟକ, ୧୨/୦୫ : ଆଇନଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ, ଭିଭିଆଇପି ଡ୍ୟୁଟି, ବ୍ଲକିଂ, ଚେକିଂ, ମାଓ ଅପରେସନ୍ ଆଦି କାର୍ଯ୍ୟ ପାଇଁ ଆର୍ମଡ୍ ପୁଲିସ ନିଯୁକ୍ତି ପାଇଛନ୍ତି । ମାତ୍ର ସଶସ୍ତ୍ର ବାହିନୀର ଏହି ବନ୍ଧୁକଧାରୀ ପୁଲିସ ସମ୍ବେଦନଶୀଳ ସ୍ଥାନରେ ଆଇନଶୃଙ୍ଖଳା ଡ୍ୟୁଟି କରିବା ବଦଳରେ ଅମଲାଙ୍କ ସହାୟକ ଭାବେ କାମ କରୁଛନ୍ତି । ସେହିପରି ଜିଲ୍ଲା ସ୍ତରରେ ମଧ୍ୟ କନ୍ଷ୍ଟେବଲ୍ ହାବିଲଦାରମାନେ ଅମଲା କାର୍ଯ୍ୟ ତୁଲାଉଛନ୍ତି । ରାଜ୍ୟ ପୁଲିସ ମୁଖ୍ୟାଳୟଠାରୁ ଆରମ୍ଭ କରି ବିଭିନ୍ନ ପୁଲିସ ଏଷ୍ଟାବ୍ଲିସ୍ମେଣ୍ଟ, ରେଞ୍ଜ୍ ଆଇଜି, ଡିଆଇଜି, ଏସ୍ପି ଅଫିସ, କମାଣ୍ଡାଣ୍ଟଙ୍କ ଅଫିସ, ଜିଲ୍ଲା ପୁଲିସ ବାହିନୀରେ ଡିଆଇବି, ଡିପିଓ ଆଦିରେ ଫାଇଲ୍ପତ୍ର ନେବା ଆଣିବାଠାରୁ ଡିଟିପି, ଚିଠି ଦିଆନିଆ ଆଦି ଅମଲା କାର୍ଯ୍ୟରେ ସିପାହୀ, କନ୍ଷ୍ଟେବଲ୍, ହାବିଲଦାର ମିଶି ୫ ଶହରୁ ଅଧିକ ନିୟୋଜିତ ଥିବା ସୂଚନା ମିଳିଛି । ଏଥିରେ ରାଜ୍ୟ ପୁଲିସ ମୁଖ୍ୟାଳୟ ସମେତ ଭୁବନେଶ୍ୱର ସ୍ଥିତ କ୍ୟାମ୍ପ୍ ଅଫିସ, ଏସ୍ଏପି, ରେଳବାଇ ପୁଲିସ ଆଦିରେ ୧୦/୧୫ ବର୍ଷ ହେଲା ୨୦୦ରୁ ଅଧିକ ସିପାହୀ, କନ୍ଷ୍ଟେବଲ୍ ଡେପୁଟେସନ୍ରେ ଆସି ଏଠାରେ ନିୟୋଜିତ ଥିବା ସୂଚନା ମିଳିଛି ।
ପୁଲିସ ମୁଖ୍ୟାଳୟକୁ ଡେପୁଟେସନ୍ରେ ଆସି ନିୟୋଜିତ ସିପାହୀ, କନ୍ଷ୍ଟେବଲ୍ଙ୍କ ମଧ୍ୟରୁ କାହାର ଚାକିରି ତୃତୀୟ ଆଇଆର୍ ବାଟାଲିୟନ୍ରେ ତ ଆଉ କାହାର ଅଷ୍ଟମ ବାଟାଲିୟନ୍, ଓଏସ୍ପି ଷଷ୍ଠ ବାଟାଲିୟନ୍, ସ୍ପେସାଲ୍ ରିଜର୍ଭ ବାଟାଲିନ୍ରେ । ଅଥଚ ଉକ୍ତ ସିପାହୀମାନେ ୧୦/୧୫ ବର୍ଷରୁ ଅଧିକ ସମୟ ଡେପୁଟେସନ୍ରେ ଆସି ପୁଲିସ ମୁଖ୍ୟାଳୟରେ ଅଛନ୍ତି । ସ୍ପେସାଲ୍ ଆର୍ମଡ୍ ପୁଲିସ(ଏସ୍ଏପି), ବିଭିନ୍ନ ରେଞ୍ଜ ଅଫିସ ସମେତ ବିଜୁ ପଟ୍ଟନାୟକ ପୁଲିସ ଏକାଡେମୀ, ବିଭିନ୍ନ ପୁଲିସ ଟ୍ରେନିଂ ସେଣ୍ଟରରେ ଅମଲାଙ୍କ ପାଖରେ ମଧ୍ୟ ଅନେକ ନିୟୋଜିତ ଅଛନ୍ତି । ବାଟାଲିୟନ୍ ସ୍ତରରେ ବିଭିନ୍ନ ଅପରେସନ୍, ଲ’ ଆଣ୍ଡ୍ ଅର୍ଡର ଡ୍ୟୁଟି ପାଇଁ ପ୍ଲାଟୁନ୍ରେ ଯିବା ଲାଗି ସିପାହୀ, ହାବିଲଦାରଙ୍କ ସ୍ତରରେ ଟଣାଭିଡ଼ା ଚାଲିଥିଲା ବେଳେ ସମ୍ପୃକ୍ତ ଆର୍ମଡ୍ ପୁଲିସ କର୍ମଚାରୀଙ୍କୁ ଅମଲା କାର୍ଯ୍ୟରେ ନିୟୋଜିତ କରାଇବା ଚର୍ଚ୍ଚାର ବିଷୟ ହୋଇଛି । ଓଏସ୍ଏପି ଷଷ୍ଠ ବାଟାଲିୟନ୍ର ସର୍ବାଧିକ ଆର୍ମଡ ପୁଲିସ ମୁଖ୍ୟାଳୟରେ ନିୟୋଜିତ ଥିବା ଜଣାଯାଇଛି ।
ସେହିପରି ଜିଲ୍ଲା ସ୍ତରରୁ ମଧ୍ୟ କେତେକ କନ୍ଷ୍ଟେବଲ୍ ଆସି ବିଭିନ୍ନ ପୁଲିସ ଏଷ୍ଟାବ୍ଲିସେମେଣ୍ଟ୍ରେ ଅମଲାଙ୍କ ପାଖରେ ଡାଟା ଏଣ୍ଟ୍ରି ଅପେରେଟର୍, ଡାଇରି, ଡେସ୍ପାଚ୍ ଡ୍ୟୁଟି କରୁଛନ୍ତି । ବାଟାଲିୟନ୍ ସ୍ତରରୁ ଆସୁଥିବା ସିପାହୀମାନେ ଥରେ ଯିଏ ଯେଉଁ ଏଷ୍ଟାବ୍ଲିସମେଣ୍ଟ୍କୁ ଆସୁଛନ୍ତି, ଏଠାରୁ ଆଉ ସେ ବାଟାଲିୟନ୍କୁ ଫେରୁ ନାହାନ୍ତି । ସିପାହୀ, କନ୍ଷ୍ଟେବଲ୍ ଆଦି ତଳିଆ କର୍ମଚାରୀ ପୁଲିସ ମୁଖ୍ୟାଳୟ ଓ ବିଭିନ୍ନ ଏଷ୍ଟାବ୍ଲିସ୍ମେଣ୍ଟ ମୁଖ୍ୟ କାର୍ଯ୍ୟାଳୟରେ ସହଜ କାମ ଏବଂ ଛୁଟି ଆଦି ଅନ୍ୟାନ୍ୟ ସରକାରୀ ସୁବିଧା ମିଳିଯାଉଥିବାରୁ ସେମାନେ ଆଉ ବାଟାଲିୟନକୁ ଫେରିବାକୁ ଚାହୁଁନାହାନ୍ତି ।
ପାହାଡ଼ରେ ସର୍ଚ୍ଚ ଅପରେସନ୍, ରାସ୍ତାଘାଟରେ ବ୍ଲକିଂ, ଚେକିଂ ଆଦି କାମ, ଭିଆଇପିଙ୍କ ସୁରକ୍ଷା ଓ ଆଇନ୍ ଶୃଙ୍ଖଳା ଡ୍ୟୁଟି ଅପେକ୍ଷା ଅମଲାଙ୍କ ପାଖରେ ଏସି ରୁମ୍ରେ ଆରମଦାୟକ ଓ ସହଜ କାମ ଥିବାରୁ ସମ୍ପୃକ୍ତ କର୍ମଚାରୀମାନେ ଉପରିସ୍ଥ ଅଧିକାରୀଙ୍କ ବ୍ୟକ୍ତିଗତ କାମ କରି ସେମାନଙ୍କୁ ଖୁସି କରାଇ ଗାଦି ଜମାଇ ରହିଛନ୍ତି ବୋଲି ବାଟାଲିୟନ ସ୍ତରରେ ଚର୍ଚ୍ଚା ହେଉଛି । ଏନେଇ ପୁଲିସ ବିଭାଗର ଆଇନଶୃଙ୍ଖଳା ଏଡିଜି ସଞ୍ଜୟ କୁମାରଙ୍କ ପ୍ରତିକ୍ରିୟା ନେବା ପାଇଁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇପାରିନାହିଁ । ଅନ୍ୟ କେହି ଏ ସଂପର୍କରେ ମୁହଁ ଖୋଲିବାକୁ ରାଜି ନୁହନ୍ତି ।
ଏହି ଖବରଟିକୁ ପଢନ୍ତୁ- Puri Parikrama Marg: ଜମୁଛି ନିଶାଡ଼ିଙ୍କ ଆସର, ଗଞ୍ଜେଇ ଧୂଆଁରେ ଅସ୍ତବ୍ୟସ୍ତ ଶ୍ରଦ୍ଧାଳୁ, ପର୍ଯ୍ୟଟକ...