ରାୟଗଡ଼ା: ଜିଲ୍ଲାରେ ଦିନକୁ ଦିନ ଚାଷ ଜମିର ପରିମାଣ କମିବାରେ ଲାଗିଛି । ହଜାର ହଜାର ହେକ୍ଟର ଜମି ଗାଏବ ହୋଇଯାଇଛି । ଆଇନ ଉଲ୍ଲଂଘନ କରି ପ୍ଲଟିଂ ସ୍କିମ୍ରେ ଚାଷ ଜମିକୁ ଘରଡିହ କରି ବିକ୍ରି କରାଯାଉଛି । କୌଣସି ଅନୁମତି ନଥାଇ କୋଟି କୋଟି ଟଙ୍କାରେ ଜମି କାରବାର କରାଯାଉଛି । ରାୟଗଡ଼ା ସହର ଉପକଙଋ ସାଇପୟ୍ରି । ନଗର ଓ ସାଇଲକ୍ଷୀ୍ମ ନଗର ହେଉଛି ଏହାର ବଳିଷ୍ଠ ଉଦାହରଣ । ସାଇପ୍ରିୟା ଓ ସାଇଲକ୍ଷ୍ମୀ ନଗର ଅଞ୍ଚଳରେ ପାଖାପାଖି ହଜାରେ ଏକର ଚାଷ ଜମିକୁ ସମତଳ କରି ସେଠାରେ ଘର ନିର୍ମାଣ କରାଯାଇଛି ।

ଶିକ୍ଷାନୁଷ୍ଠାନ, କ୍ଷୁଦ୍ରଶିଳ୍ପ ଓ ଅନ୍ୟ ବ୍ୟବସାୟିକ ପ୍ରତିଷ୍ଠାନ ମଧ୍ୟ ଠିଆ ହୋଇଛି । ପୂର୍ବରୁ ଏହି ଜମିରେ ଧାନ, ଆଖୁ, କପା, ହରଡ଼, ମୁଗ, ବିରି, କୋଳଥ ଚାଷ କରାଯାଉଥିଲା । ବର୍ତ୍ତମାନ ସମ୍ପୃକ୍ତ ଅଞ୍ଚଳ କଂକ୍ରିଟ୍ରେ ପରିଣତ ହୋଇଛି । ଏଭଳି କାରଣରୁ ଗତ ୧୧ ବର୍ଷ ଭିତରେ ଜିଲ୍ଲାର ୫୦ ହଜାର ହେକ୍ଟରରୁ ଅଧିକ ଚାଷ ଜମି ଗାଏବ ହୋଇଯାଇଛି । କୃଷି ବିଭାଗ ନଥିପତ୍ରରୁ ଏହି ତଥ୍ୟ ସାମ୍ନାକୁ ଆସିଛି । ଯାହାକି ଚିନ୍ତାର ବିଷୟ ପାଲଟିଛି । ସହର ଉନ୍ନୟନ କର୍ତ୍ତୃପକ୍ଷ ପରିସର ବାହାରକୁ ଯାଇ ଗାଁକୁ ସହରରେ ପରିଣତ କଲେଣି । ରାୟଗଡ଼ା ସହର ଉପକଣ୍ଠରେ ଥିବା ହାଲୁଆ ଓ କୋତାପେଟା ପଞ୍ଚାୟତ ରାୟଗଡ଼ା ବ୍ଲକ୍ ଅଧୀନରେ ରହିଛି । ରାୟଗଡ଼ା-କୋରାପୁଟ ଓ ବିଜୟନଗରମ-ଟିଟିଲାଗଡ଼ ରେଳଲାଇନ କଡ଼ରେ ରହିଛି ଏସବୁ ଅଞ୍ଚଳ ।

ଏହା ପାଖରେ ରେଳ ଡିଭିଜନ ମୁଖ୍ୟ କାର୍ଯ୍ୟାଳୟ ସ୍ଥାପନ ପାଇଁ ଯୋଜନା ରହିଛି । ସେହି ସମାନ ଅବସ୍ଥା ରାୟଗଡ଼ା ବ୍ଲକର ଜେକେପୁର, କାଶୀପୁର ବ୍ଲକ୍ର ଟିକିରି, ମୁନିଗୁଡ଼ା, ପଦ୍ମପୁର, ଗୁଣପୁର ବ୍ଲକ୍ର ବିକ୍ରମପୁର ଓ ବିଷମକଟକରେ ଦେଖିବାକୁ ମିଳିଛି । କୃଷି ବିଭାଗରୁ ମିଳିଥିବା ତଥ୍ୟ ଅନୁଯାୟୀ, ୨୦୧୫ରେ ଜିଲ୍ଲାର ୧ ଲକ୍ଷ ୮୨ ହଜାର ୬୦୪ ହେକ୍ଟର ଜମିରେ ଚାଷ କରିବା ପାଇଁ ଲକ୍ଷ୍ୟଧାର୍ଯ୍ୟ କରାଯାଇଥିଲା । ହୋଇଥିଲା ୧ ଲକ୍ଷ ୭୬ ହଜାର ୭୪୦ ହେକ୍ଟରରେ । ୨୦୧୬ରେ ୧ ଲକ୍ଷ ୮୧ ହଜାର ୩୫୦ ହେକ୍ଟରରୁ ହୋଇଥିଲା ୧ ଲକ୍ଷ ୭୪ ହଜାର ୮୯୦ ହେକ୍ଟରରେ । ୨୦୨୧ ବେଳକୁ ଏହି ଲକ୍ଷ୍ୟ ଖସି ପହଞ୍ଚିଲା ୧ ଲକ୍ଷ ୩୨ ହଜାର ୧୩୦ ହେକ୍ଟରରେ । ଚାଷ କିନ୍ତୁ ହୋଇଥିଲା ୧ ଲକ୍ଷ ୩୦ ହଜାର ୧୮୦ ହେକ୍ଟରରେ । ସେଥିରୁ ମାତ୍ର ୪୬ ହଜାର ୬୩୦ ହେକ୍ଟର ଜମିରେ ଧାନ ଚାଷ ହୋଇଥିଲା ।

ଚଳିତବର୍ଷ ମଧ୍ୟ ୧ ଲକ୍ଷ ୩୨ ହଜାର ହେକ୍ଟର ଜମିରେ ଚାଷ ଲାଗି କୃଷି ବିଭାଗ ଲକ୍ଷ୍ୟ ରଖିଛି । ଏହି ତଥ୍ୟକୁ ଦେଖିଲେ ଗତ ୩ ବର୍ଷ ମଧ୍ୟରେ ୧୧ ହଜାର ୯୦୦ ହେକ୍ଟର ଜମି ନିଖୋଜ ହୋଇଛି । ଯେଉଁ ଜମି ରେକର୍ଡରେ ମହଜୁଦ ରହିଛି, ସେଠି ଚାଷ ହେଉନି । କେଉଁଠି ଉଚ୍ଚ ରଟ୍ଟାଳିକା ଠିଆ ହୋଇଛି ତ ଆଉ କେଉଁଠି ଅନ୍ୟ କାର୍ଯ୍ୟରେ ବ୍ୟବହାର ହେଉଛି । ପଞ୍ଚାୟତିରାଜ ବିଭାଗର ତଥ୍ୟ ଅନୁଯାୟୀ, ଗ୍ରାମାଞ୍ଚଳରେ ପ୍ରକଳ୍ପ ନିର୍ମାଣ ପାଇଁ ସରକାର ନିୟମ ଲାଗୁ କରିଛନ୍ତି । ୫୦୦ ବର୍ଗ ମିଟର ବା ୫୩୮୧ ବର୍ଗ ଫୁଟ ଅଞ୍ଚଳରେ ଘର କିମ୍ବା ଅନ୍ୟ ପ୍ରକଳ୍ପ ନିର୍ମାଣ ପାଇଁ ଅନୁମୋଦନ ଆଣିବାକୁ ପଡ଼ିବ । ବ୍ଲକ୍ କାର୍ଯ୍ୟାଳୟରୁ ଅନୁମୋଦନ ଆଣିବା ସହ ନିର୍ଦ୍ଧାରିତ ଫି’ ଦାଖଲ କରିବାକୁ ହେବ ।

ଅଥଚ ଜିଲ୍ଲାର ୧୧ ବ୍ଲକର ଜଣେ ହେଲେ ବିଡିଓ ଗୋଟିଏ ବି ପ୍ଲାନ ଅନୁମୋଦନ କରିନାହାନ୍ତି । କୌଣସି ବ୍ୟକ୍ତି କିମ୍ବା ସଂସ୍ଥା ଅନୁମୋଦନ ପାଇଁ ବି ଆବେଦନ କରିନାହାନ୍ତି । ସେହିପରି ବଡ଼ ପ୍ରକଳ୍ପ ନିର୍ମାଣ ପାଇଁ ଓଡ଼ିଶା ରିଅଲ ଇଷ୍ଟେଟ୍ ଆୟୋଗ(ଓରେରା)ରେ ପଞ୍ଜୀକୃତ ହେବାକୁ ପଡ଼ିବ । ଓରେରା ପଞ୍ଜୀକରଣ ନହେଲେ ଅକ୍ୟୁପାନ୍ସି ସାର୍ଟିଫିକେଟ ମିଳିବ ନାହିଁ । ତଥାପି ଏହି ନିୟମକୁ କେହି ପାଳନ ନକରି ମନଇଛା ନିର୍ମାଣ କରିଚାଲିଛନ୍ତି । ଏହାର ଯାଞ୍ଚ ପାଇଁ କୌଣସି ଅଧିକାରୀ ସରକାରୀସ୍ତରରେ ନଥିବା ବେଆଇନ କାରବାରକୁ ବେଶ୍ ସୁହାଉଛି । ଫଳସ୍ୱରୂପ ଗାଁ ଆଡ଼କୁ ସହର ମୁହାଁଉଛି । ଏବେଠୁ ଏସବୁ ରୋକିବା ଆବଶ୍ୟକ ।

ଏହାସହ ପଢ଼ନ୍ତୁ : Mahaprabhu Bank Deposit: ମହାପ୍ରଭୁଙ୍କ ବ୍ୟାଙ୍କ ଜମା ୧୧୦୦ କୋଟି ଟଙ୍କା, ଜାଣନ୍ତୁ ମାସକୁ କେତେ ମିଳେ ସୁଧ ?