ନୂଆଦିଲ୍ଲୀ, ୧୪/୦୧ : ବନ୍ଧ୍ୟାକରଣ ପରେ ୬୪ ମହିଳା ଗର୍ଭବତୀ। ଉତ୍ତର ପ୍ରଦେଶର ଅଲିଗଡ଼ ସହରରେ ଚାଞ୍ଚଲ୍ୟ। ସ୍ଵାସ୍ଥ୍ୟ ବିଭାଗର ଚରମ ଅବହେଳା। ଅଲିଗଡ଼ ସହରରେ ୨୦୨୫ରେ ହୋଇଥିବା ବନ୍ଧ୍ୟାକରଣ ପରେ ୬୪ ଜଣ ମହିଳା ପୁଣି ଥରେ ଗର୍ଭବତୀ ହୋଇଛନ୍ତି। ଏହି ଘଟଣା ସାମ୍ନାକୁ ଆସିବା ପରେ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ କ୍ଷତିପୂରଣ ଘୋଷଣା ହୋଇଛି।
ସୂଚନା ଥାଉକି, ୨୦୨୪ରେ ଅଲିଗଡ଼ରେ ସରକାରଙ୍କ ପରିବାର ନିୟୋଜନ କାର୍ଯ୍ୟକ୍ରମରେ ୬ ହଜାର ୨୪୦ ଜଣ ମହିଳା ଓ ପୁରୁଷଙ୍କ ବନ୍ଧ୍ୟାକରଣ ହୋଇଥିଲା। ସେହିପରି ୨୦୨୫ରେ ୩ ହଜାର ୪୨ ଜଣଙ୍କର ଅସ୍ତ୍ରୋପଚାର ହୋଇଥିଲା। ସେମାନଙ୍କ ମଧ୍ୟରେ ୯୯ ପ୍ରତିଶତ ମହିଳା ଥିଲେ। ବଡ଼ କଥା ହେଲା ବନ୍ଧ୍ୟାକରଣ ପରେ ସହରରେ ୬୪ ଜଣ ମହିଳା ପୁଣି ଥରେ ଗର୍ଭବତୀ ହୋଇଥିଲେ। ଏହି ଘଟଣା ସାମ୍ନାକୁ ଆସିବା ପରେ ସହର ସାରା ଚାଞ୍ଚଲ୍ୟ ଖେଳି ଯାଇଥିଲା। ସ୍ଵାସ୍ଥ୍ୟ ବିଭାଗର ଅପାରଗତା ପଦାରେ ପଡ଼ିଥିଲା।
ବନ୍ଧ୍ୟାକରଣ ଫେଲ୍ ମାରିଲେ ସରକାରଙ୍କ ପକ୍ଷରୁ ପୀଡ଼ିତ ମହିଳାଙ୍କୁ ୬୦ ହଜାର ଟଙ୍କା କ୍ଷତିପୂରଣ ଦେବାର ବ୍ୟବସ୍ଥା ରହିଛି। ରାଜ୍ୟ ସରକାରଙ୍କ ପକ୍ଷରୁ ୩୦ ହଜାର ଓ କେନ୍ଦ୍ର ସରକାରଙ୍କୁ ପକ୍ଷରୁ ୩୦ ହଜାର ଟଙ୍କାର କ୍ଷତିପୂରଣ ମିଳେ। ନିୟମ ଅନୁଯାୟୀ, ୯୦ ଦିନ ମଧ୍ୟରେ ବନ୍ଧ୍ୟାକରଣ ପରେ ଗର୍ଭଧାରଣ ବିଷୟରେ ବିଭାଗକୁ ଜଣାଇବା ଆବଶ୍ୟକ। ବିଳମ୍ବରେ ଆବେଦନ ଦାଖଲ ହେଲେ କ୍ଷତିପୂରଣ ଦିଆଯାଇପାରିବ ନାହିଁ। ଅଲିଗଡ଼ରେ ଏପର୍ଯ୍ୟନ୍ତ ୬୨ ଜଣ ମହିଳାଙ୍କୁ କ୍ଷତିପୂରଣ ଦିଆଯାଇଛି। ଅନ୍ୟ ୨ ଜଣଙ୍କ ଆବେଦନ ଖାରଜ କରାଯାଇଛି।
ଏହି ଖବରଟିକୁ ପଢନ୍ତୁ- ତେଲେଙ୍ଗାନାରେ ଭୋଟ୍ ପାଇଁ କୁକୁର କିଲିଂ : ୫୦୦ କୁକୁରଙ୍କ ବଳି ପକାଇଦେଲେ ସରପଞ୍ଚ, ଥାନାରେ ମାମଲା