ନୂଆଦିଲ୍ଲୀ ୧୬/୦୭: ଭାରତରେ ଗତ ୫ ବର୍ଷ ମଧ୍ୟରେ ୬୫ଟି ବିମାନର ଇଞ୍ଜିନ୍‌ ବନ୍ଦ (ଶଟଡାଉନ୍‌) ହୋଇଛି । ବିମାନ ଉଡ଼ାଣ ଭରିବା ସମୟରେ ଆକାଶମାର୍ଗରେ କିମ୍ବା ଟେକ୍‌ଅଫ୍‌ ସମୟରେ ଏପରି ହୋଇଛି । ଅର୍ଥାତ୍‌ ପ୍ରତି ମାସରେ ଅନ୍ୟୁନ ଗୋଟିଏ ବିମାନର ଇଞ୍ଜିନ ବନ୍ଦ ହୋଇଛି । ଅବଶ୍ୟ ସବୁ ମାମଲାରେ ପାଇଲଟ ଗୋଟିଏ ଇଞ୍ଜିନରେ ବିମାନକୁ ନିକଟବର୍ତ୍ତୀ ବିମାନବନ୍ଦର ଯାଏ ପହଞ୍ଚାଇବାରେ ସଫଳ ରହିଛନ୍ତି । ସୂଚନା ଅଧିକାର(ଆର୍‌ଟିଆଇ) ମାଧ୍ୟମରେ ଡିଜିସିଏ ନିକଟରୁ ଏହି ତଥ୍ୟ ମିଳିଛି ।

ସେହି ରିପୋର୍ଟରୁ ଆହୁରି ଜଣାପଡି଼ଛି ଯେ, ଗତବର୍ଷ ଜାନୁଆରୀ ୧ରୁ ଚଳିତବର୍ଷ ମେ ୩୧ ତାରିଖ ମଧ୍ୟରେ ୧୭ ମାସରେ ୧୧ଟି ବିମାନରୁ ମେ-ଡେ କଲ୍‌ ଆସିଛି । ସେଥିରେ ବୈଷୟିକ ତ୍ରୁଟିର ସୂଚନା ଦେଇ ଜରୁରି ଅବତରଣ ପାଇଁ ଦାବି କରାଯାଇଥିଲା । ସେଥିମଧ୍ୟରୁ ୪ଟି ବିମାନ ହାଇଦ୍ରାବାଦରେ ଲ୍ୟାଣ୍ଡିଂ କରିଥିଲେ । ତେବେ ସେହି ରିପୋର୍ଟରେ ଜୁନ୍‌ ୧୨ରେ ଦୁର୍ଘଟଣାଗ୍ରସ୍ତ ଏୟାରଇଣ୍ଡିଆର ବୋଇଂ ଡ୍ରିମଲାଇନର ବିମାନ ଓ ଜୁନ୍‌ ୧୯ରେ ଉଡ଼ାଣ ଭରିଥିବା ଇଣ୍ଡିଗୋର ଗୁଆହାଟୀ-ଚେନ୍ନାଇ ବିମାନକୁ ସାମିଲ କରାଯାଇନାହିଁ । ଇନ୍ଧନ କମ୍‌ ଥିବା ଯୋଗୁ ସେହି ଇଣ୍ଡିଗୋ ବିମାନକୁ ବେଙ୍ଗାଲୁରୁକୁ ଡାଇଭର୍ଟ କରାଯାଇଥିଲା । 

ଅହମ୍ମଦାବାଦ ବିମାନ ଦୁର୍ଘଟଣାର ମାସକ ପରେ ବିମାନ ଦୁର୍ଘଟଣା ତଦନ୍ତ ବ୍ୟୁରୋ(ଏଏଆଇବି) ୧୫ ପୃଷ୍ଠାର ପ୍ରାଥମିକ ତଦନ୍ତ ରିପୋର୍ଟ ସାର୍ବଜନୀନ କରିଥିଲେ । ବିମାନର ଦୁଇଟି ଇଞ୍ଜିନ ବନ୍ଦ ଥିବା ଯୋଗୁ ଏହି ଦୁର୍ଘଟଣା ଘଟିଥିବା ସେଥିରେ କୁହାଯାଇଥିଲା । ଏଏଆଇବି ଅନୁସାରେ, ସେଦିନ ଟେକଅଫ୍‌ର ତୁରନ୍ତ ପରେ ବିମାନର ଦୁଇଟି ଯାକ ଫୁଏଲ ସ୍ୱିଚ୍‌ ଗୋଟିଏ ପରେ ଗୋଟିଏ ବନ୍ଦ ହୋଇଯାଇଥିଲା । ତେଣୁ ଦୁଇଟି ଯାକ ଇଞ୍ଜିନ୍‌ ବି ବନ୍ଦ ହୋଇଯାଇଥିଲା । ସେଥିଯୋଗୁ ଏହି ଛାତିଥରା ଦୁର୍ଘଟଣା ଘଟିଥିଲା । ବିମାନର କ୍ରୁ ସଦସ୍ୟ, ଯାତ୍ରୀଙ୍କ ସହ ମୋଟ ୨୭୦ ଜଣ ପ୍ରାଣ ହରାଇଥିଲେ ।