ଭୁବନେଶ୍ୱର,୨୫/୦୫(ଅମନ ଆୟୁଷ୍ମାନ ଦାସ): ବୟସ ୭୮ ହେଲାଣି । ଏ ବୟସରେ ବି ସେ ଦୌଡୁଛନ୍ତି । ଜିମ୍ ଆସୁଛନ୍ତି, ତାଲିମ ଦେଉଛନ୍ତି । ଉଠବସ୍ଠୁ ନେଇ ଡିପ୍ସ, ଦଣ୍ଡ ଯାଏ, ସବୁ କିଛି କରୁଛନ୍ତି । ସେଥିପାଇଁ ସେ ଫିଟ୍ ଆଣ୍ଡ ଫାଇନ୍ । ଏ ବୟସରେ ବି ତାଙ୍କ ଯୁବସୁଲଭ ରୂପ ଦେଖି ସମସ୍ତେ ତାଜୁବ୍ । କେତେ ଯେ ବଡିବିଲ୍ଡରଙ୍କ ଦ୍ରୋଣାଚାର୍ଯ୍ୟ ସାଜି ବଡିବିଲ୍ଡିଂ (ସୁନ୍ଦର ସ୍ୱାସ୍ଥ୍ୟ) ଶିକ୍ଷା ଦେଲେଣି, ତାର ହିସାବ ନାହିଁ । ଏଭଳି ଜଣେ ମଣିଷ ହେଲେ ସୁରେନ୍ଦ୍ର ନାଥ ଗୌଡ । ସମସ୍ତେ ତାଙ୍କୁ ‘ବାବା’ ବୋଲି ଡାକନ୍ତି । ୭୦ ଦଶକରେ ସୁରେନ୍ଦ୍ର ରାଜ୍ୟସ୍ତରରେ ଜଣେ ଆଗଧାଡିର ବଡିବିଲ୍ଡର ଭାବେ ଜଣାଶୁଣା ଥିଲେ । ଏକଦା ସେ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତାରେ ପରାକାଷ୍ଠା ଦେଖାଇ ‘ମିଷ୍ଟର କଳିଙ୍ଗ’ ଟାଇଟଲ ଜିତିଥିଲେ ।
ଗଞ୍ଜାମର ମୂଳ ନିବାସୀ ସୁରେନ୍ଦ୍ର ଏବେ ଭୁବନେଶ୍ୱରର ସ୍ଥାୟୀ ବାସିନ୍ଦା । ୟୁନିଟ-୮ ବିଏମ୍ସି କଲ୍ୟାଣୀ ମଣ୍ଡପ ନିକଟରେ ଥିବା ରୟାଲ କ୍ଲବର ସେ ହେଉଛନ୍ତି ମାଲିକ । ଏହି କ୍ଲବ ଆଜିକୁ ୫୦ବର୍ଷ ହେବ, ଯୁବକମାନଙ୍କୁ ବଡିବିଲ୍ଡିଂ ତାଲିମ ଦେଇଆସୁଛି । ଏଠାରୁ ବହୁ ବଡିବିଲ୍ଡର ବିଭିନ୍ନ ପ୍ରତିଯୋଗିତାକୁ ଯାଇ ସୁନ୍ଦରସ୍ୱାସ୍ଥ୍ୟ ପ୍ରଦର୍ଶନ କରିଆସୁଛନ୍ତି । ଦିନ ଥିଲା ଯୁବକ ସୁରେନ୍ଦ୍ରଙ୍କ ସୁନ୍ଦର ସ୍ୱାସ୍ଥ୍ୟକୁ ନେଇ ଚାରିଆଡେ ଚର୍ଚ୍ଚା ଲାଗିରହିଥିଲା । ଦେଶୀ ଘିଅ, କ୍ଷୀର, ଫଳମୂଳ, ଗଜା ମୁଗ, ବୁଟ ଖାଇ ସେ ମଜଭୁତ ସ୍ୱାସ୍ଥ୍ୟ ତିଆରି କରିଥିଲେ । ବିଜେବି କଲେଜରୁ ପାଠ ପଢ଼ିସାରିବା ପରେ ତାଙ୍କର ଲକ୍ଷ୍ୟ ଥିଲା ସୁନ୍ଦର ସ୍ୱାସ୍ଥ୍ୟ । ୬୦ଦଶକରେ ଭୁବନେଶ୍ୱରରେ ଆରମ୍ଭ ହୋଇଥିଲା ଜିମ୍ ଓ ବଡିବିଲ୍ଡିଂ ସଂସ୍କୃତି । ସେହି ସମୟରେ ସେ ଭୁବନେଶ୍ୱରରୁ ସାଇକଲରେ ଦୁଇଜଣଙ୍କୁ ବସାଇ ପୁରୀ ଯାଇ ବ୍ୟାୟାମ କରୁଥିଲେ । ଏହାପରେ କଟକ ଯାଇ ସେଠାରେ ବି ପ୍ରସ୍ତୁତ ହେଲେ ।
ତେବେ ଗାମା ପହିଲୱାନଙ୍କ ପ୍ରେରଣା ପାଇ ସେ ୧୯୬୬ରେ ଭୁବନେଶ୍ୱରର ୟୁନିଟ-୮ରେ ହିଁ ପ୍ରଥମେ ମୁକ୍ତାକାଶ ବ୍ୟାୟାମଶାଳା ଆରମ୍ଭ କରିଥିଲେ । ସେଇଠୁ ଆରମ୍ଭ ହୋଇଥିଲା ସୁରେନ୍ଦ୍ରଙ୍କ ଯାତ୍ରା । ସେ ସମୟରେ ଭୁବନେଶ୍ୱରରେ ରହୁଥିବା କିଛି ସରକାରୀ ଚାକିରିଆ ଆସି ଜିମ୍ରେ ବଡି ବନାଇଥିଲେ । ଧୀରେଧୀରେ ତାହା ବିସ୍ତାର ହେବାକୁ ଲାଗିଲା । ଦୁଇବର୍ଷ ପରେ ଘରେ ଜିମ୍ଖାନା ଖୋଲାଯାଇଥିଲା । ଯେଉଁଠିକି ରସୁଲଗଡ଼, ଷ୍ଟେସନବଜାର, ଶାମପୁର, ପୁରୁଣା ଭୁବନେଶ୍ୱର ଆଦି ସ୍ଥାନରୁ ପିଲା ଆସି ଶରୀର ଗଠନ କରୁଥିଲେ । ଏହାପରେ କଟକ, ପୁରୀ ଆଦି ସ୍ଥାନରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ସୁନ୍ଦରସ୍ୱାସ୍ଥ୍ୟ ପ୍ରତିଯୋଗିତାରେ ସୁରେନ୍ଦ୍ର ଅଂଶଗ୍ରହଣ କରିଥିଲେ ।
ଅଧିକ ପଢ଼ନ୍ତୁ :- Inspiring Story : ବିନା ବେତନରେ ତିନି ଦଶନ୍ଧି ଧରି ଶିକ୍ଷାଦାନ, ଶତାଧିକ ଆଦିବାସୀ ପିଲାଙ୍କୁ ନିଜ ହାତରେ କରିଛନ୍ତି ମଣିଷ
୧୯୭୧ରୁ ୭୪ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇ ସୁରେନ୍ଦ୍ର ହାତେଇଥିଲେ ମିଷ୍ଟର କଳିଙ୍ଗ ଆଖ୍ୟା । ସେ ସମୟର ନାମକରା ବଡିବିଲ୍ଡର ବାଲେଶ୍ୱରର ପୃଥ୍ୱୀରାଜ ଦାସ, ବ୍ରହ୍ମପୁରର ଗିରିଜା ବେହେରା, ସମ୍ବଲପୁର ସୁରେଶ ପରିଡ଼ା, ଫୁଲବାଣୀ ତ୍ରିନାଥ ପଲେଇଙ୍କ ମଧ୍ୟରେ ସୁରେନ୍ଦ୍ରଙ୍କ ନାଁ ଯୋଡ଼ି ହୋଇଥିଲା । ଏହାପରେ ସେ ନିଜ କର୍ମମୟ ଜୀବନକୁ ଚାଲିଯାଇଥିଲେ । ପରିବାର ପ୍ରତିପୋଷଣ ପାଇଁ ସରକାରୀ ଚାକିରୀ କରିଥିଲେ । କୃଷି ବିଭାଗରେ କାମ କରି ଶେଷରେ ସେ ନିର୍ଦ୍ଦେଶକ ଭାବରେ ଅବସର ନେଇଥିଲେ । ହେଲେ ବଡିବିଲ୍ଡିଂ ପ୍ରତି ଦୁର୍ବଳତା ତାଙ୍କର କମିନଥିଲା । ନିଜ ହାତ ତିଆରି ଜିମ୍ରେ ସେ ପିଲାଙ୍କୁ ଖେଳିବାକୁ ସୁଯୋଗ ଦେଇଥିଲେ । ଯାହା ଆଜି ଯାଏ ଚାଲିଆସୁଛି । ଏପଟେ ସୁସ୍ଥ ଓ ନିରାମୟ ଜୀବନ ଜିଉଁଥିବା ସୁରେନ୍ଦ୍ର ପିଲାଙ୍କ ସହ ସାଙ୍ଗଭଳି ମିଶିଯାଆନ୍ତି ।