ଭୁବନେଶ୍ୱର,୨୪/୦୫: ତୁଚ୍ଛା ଆଲୋଚନା । ଉପସ୍ଥିତି ଜାହିର ପାଇଁ ଫଟୋ ଉଠା । ନେତୃତ୍ୱ ସାଜିବାକୁ ନୂଆ ସଂଘ । କଥା ନ ଶୁଣିଲେ ବୟ୍‌କଟ୍‌ ।  କିନ୍ତୁ ନୀତି ନାହିଁ, ଷ୍ଟୁଡିଓ ନାହିଁ, ସବ୍‌ସିଡି ନାହିଁ, ହଲ୍‌ ନାହିଁ... ଭଳି ଅନେକ ସମସ୍ୟା ଓଡ଼ିଆ  ସିନେମାକୁ ନୟାନ୍ତ କରିସାରିଲାଣି । ଏହାକୁ ସମାଧାନ କରିବାର କାହାରି ସାହସ ନାହିଁ କେବଳ ପାଣି ମୁଠାଏ ସିଞ୍ଚିଲା ଭଳି ଭରସା, ପ୍ରତିଶ୍ରୁତି  ଏବଂ ପିଠି ଥାପୁଡ଼ା ଆଶ୍ୱସ୍ତି । ୟା ଭିତରେ ବୟସ  ୯୦ ଛୁଇଁଲାଣି । 

ବିକାଶ କହିଲେ, ପ୍ରଥମ ଓଡ଼ିଆ ସିନେମା ‘ସୀତା ବିବାହ’ ଭଳି ଅନେକ ସିନେମା  ଆମ ପାଖରେ ନାହିଁ । ଏକମାତ୍ର ସମ୍ପତ୍ତି କଳିଙ୍ଗ  ଷ୍ଟୁଡିଓ, ଯାହାର କର୍ପୂର ଉଡ଼ିଯାଇଛି, କନା ପଡ଼ିଛି । ଓଡ଼ିଆ ସିନେମାକୁ ମୁଣ୍ଡାଇ ଧରିଥିବା ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ (ଓଏଫ୍‌ଡିସି) ରାଜ୍ୟରେ ଅଛି ଯାହା ଅନେକଙ୍କୁ ଅଜଣା । ଆଉ ୧୦ଟା ବର୍ଷ ପରେ ଓଡ଼ିଆ ସିନେମା ୧୦୦ ବର୍ଷ ପୂର୍ତ୍ତି ପାଳିବ । 

ପୁଣି ସରକାର ‘ବିକଶିତ ଓଡ଼ିଶା-୨୦୩୬’ ପାଇଁ  ଯୋଜନା କରୁଛନ୍ତି । ହେଲେ ଲଢ଼େଇ ଚାଲିଛି,  ଶିଳ୍ପ ବିଭାଗରେ ରହିବୁ ନା ସଂସ୍କୃତିରେ । ଶିଳ୍ପ ମାନ୍ୟତା ପାଇବାର ୫୧ ବର୍ଷ ପରେ ଏ ଆଲୋଚନା, ସମାଲୋଚନା ସହ ଅନେକ ପ୍ରଶ୍ନ ଛିଡ଼ା ହୋଇଛି । ସତରେ କ’ଣ ଓଡ଼ିଆ ସିନେମାର ଭାଗ୍ୟ ବଦଳିବ  ନା ଖାଲି ଚର୍ଚ୍ଚାରେ ଚର୍ଚ୍ଚାରେ ସବୁ ରହିଯିବ ।  

ବରିଷ୍ଠ ସିନେ ସମାଲୋଚକ ଦିଲ୍ଲୀପ ହାଲି କହିଛନ୍ତି, ନୂଆ ସରକାର ଆସିବା ପରଠୁ ଅନେକ  ଦଳ ମୁଖ୍ୟମନ୍ତ୍ରୀ, ଶିଳ୍ପ, ସଂସ୍କୃତି ମନ୍ତ୍ରୀଙ୍କୁ ଭେଟି ଆଲୋଚନା କଲେଣି । ୧୦ ମାସ ତଳେ ଶିଳ୍ପ ମନ୍ତ୍ରୀ କଳିଙ୍ଗ ଷ୍ଟୁଡିଓ ବୁଲିଲେ । ଚଳଚ୍ଚିତ୍ର ଜଗତ ସହ ସମ୍ପୃକ୍ତ ବ୍ୟକ୍ତିବିଶେଷଙ୍କୁ ଭେଟି ଆଲୋଚନା  କଲେ । କେତେକ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଦାବି ଜଣାଇଲେ । ଆଉ କେତେକ ଅଭିନେତାରୁ ନେତା ସେମାନଙ୍କ ଭାଇମାନଙ୍କୁ ଦୁଃଖ ଜଣାଇଲେ । କଳିଙ୍ଗ ଷ୍ଟୁଡିଓରେ ଶିଳ୍ପ ବିଭାଗ-ଇଡ୍‌କୋ-ପ୍ରଯୋଜକଙ୍କ  ବୈଠକଠୁ ନେଇ ‘ଉତ୍କର୍ଷ ଓଡ଼ିଶା’ ପର୍ଯ୍ୟନ୍ତ ଅନେକ  ସ୍ୱପ୍ନ ଦେଖାଇଲେ । ଯୋଜନା ହେଲା । ହେଲେ  ଶେଷରେ ହେଲା କ’ଣ? ଆଲୋଚନା ପ୍ରବଳ,  କାର୍ଯ୍ୟ ଦୁର୍ବଳ । 

ଶ୍ରୀ ହାଲି କହିଛନ୍ତି, ସରକାରଙ୍କୁ ବର୍ଷେ ପୂରିବା ପୂର୍ବରୁ ଓଏଫ୍‌ଡିସି ଅଧ୍ୟକ୍ଷ ପଦବି  ପୂରଣ ହେବାର ଅଛି । ତେଣୁ ତା’ ପୂର୍ବରୁ ଶକ୍ତି  ପ୍ରଦର୍ଶନ କରିବାର ଅଛି । ସିନେମା, ଶିଳ୍ପରେ ରହୁ  କି ସଂସ୍କୃତିରେ । କାହାର ଯାଏ ଆସେ ନାହିଁ । ସଭିଙ୍କ ନଜର, ବର୍ଷେ ହେଲା ଫାଙ୍କା ଥିବା ଓଏଫ୍‌ଡିସି  ଅଧ୍ୟକ୍ଷଙ୍କ ଚେୟାର ଉପରେ । ଏଠି ନାଁ ନେବାକୁ ସମସ୍ତେ ହେଲେ ସିନେମା ପାଇଁ କେହି ନାହିଁ ।  

୨୦୨୨ ମାର୍ଚ୍ଚ ୩୧ରେ ‘ଓଡ଼ିଶା ରାଜ୍ୟ  ଚଳଚ୍ଚିତ୍ର ନୀତି-୨୦୧୯’ର ଅବଧି ସରିବା ପରଠୁ  ୩ ବର୍ଷ ବିତିଯାଇଥିଲେ ବି ନୂଆ ନୀତି ପ୍ରଚଳନ ହୋଇପାରିଲାନି । ନବୀକରଣ ପାଇଁ କଳିଙ୍ଗ  ଷ୍ଟୁଡିଓରେ ୨ ବର୍ଷ ହେଲା ତାଲା । ଆସନ୍ତା ବର୍ଷ  ଓଏଫ୍‌ଡିସି ୫୦ ବର୍ଷ ପାଳିବ ଏବଂ ୧୦ ବର୍ଷ  ପରେ ଓଡ଼ିଆ ସିନେମା ୧୦୦ ବର୍ଷ, ତା’ ପାଇଁ  ଆମ ଯୋଜନା ନାହିଁ । ସିନେମାର ବାର୍ଷିକ ବଜେଟ୍‌  ୫୦ କୋଟି । ଶିଳ୍ପ ବିଭାଗ ବାର୍ଷିକ ବଜେଟ୍‌ ୧୫୬୭  କୋଟି ଥିବାବେଳେ ଓଡ଼ିଆ ଭାଷା, ସାହିତ୍ୟ ଓ  ସଂସ୍କୃତିର ୪୮୧ କୋଟି ୮୨ ଲକ୍ଷ । ୨୦୧୫ ଜୁନ୍‌ରୁ  ଓଡ଼ିଆ ଭାଷା ପ୍ରତିଷ୍ଠାନ ବିଦ୍ୟାଳୟ ଏବଂ ଗଣଶିକ୍ଷା  ବିଭାଗରୁ ସଂସ୍କୃତି ବିଭାଗ ଅଧୀନକୁ ଆସିଲା । ଦୀର୍ଘ  ୧୦/୧୧ ବର୍ଷ ପରେ ଆଜି ତା’ ଅବସ୍ଥା କ’ଣ?  ସଂସ୍କୃତି ବିଭାଗ ଆଗ ନିଜ ସମସ୍ୟା ବୁଝ, ପରେ  ସିନେମାକୁ ନିଜ ଅଧୀନକୁ ନେବ । ହଲ୍‌ ପ୍ରତିଷ୍ଠାଠୁ  ସବ୍‌ସିଡି ପର୍ଯ୍ୟନ୍ତ ସବୁକିଛି ଶିଳ୍ପ ହାତରେ । ପୂର୍ବ  ନୀତିରେ ଏକକୀକରଣ ବ୍ୟବସ୍ଥା ଥିଲା, ଏବେ ତ  ନୀତି ହିଁ ନାହିଁ । ତେଣୁ ସିନେମାବାଲାଙ୍କ ମଗଜରେ  ଏ କଥା ପଶୁନି ବୋଲି ଶ୍ରୀ ହାଲି କହିଛନ୍ତି । ଜଣେ  ବିଭାଗୀୟ ଅଧିକାରୀ କହିଛନ୍ତି, ମନ୍ତ୍ରୀଙ୍କ ଆଗ୍ରହ  କ୍ରମେ ସଂସ୍କୃତି ବିଭାଗ ପଦକ୍ଷେପ ନେଇ ଆଲୋଚନା  ଆରମ୍ଭ କରିଛି । ଦେଖାଯାଉ କ’ଣ ହେଉଛି ।