ନୂଆଦିଲ୍ଲୀ: ଚେସ୍ ପ୍ରେମିଙ୍କ ପାଇଁ ଖୁସି ଖବର। ଚେନ୍ନାଇର ୧୬ ବର୍ଷିୟ ଛାତ୍ର ଏଆର ଇଲାମପର୍ଥି ଭାରତର ୯୦ ତମ ଗ୍ରାଣ୍ଡମାଷ୍ଟର ସମ୍ମାନ ହାସଲ କରିଛନ୍ତି। ସେ ଗୁରୁବାର ବୋସନିଆ ଓ ହର୍ଜେଗୋଭିନାରେ ଚାଲୁ ରହିଥିବା ବିଜେଲଜିନା ଟୁର୍ଣ୍ଣାମେଣ୍ଟର ଫାଇନାଲ ଜିଏମ୍ ଜିତି ଏହି ସମ୍ମାନର ଅଧିକାରୀ ହୋଇପାରିଛନ୍ତି। ଏନେଇ ପାଞ୍ଚଥର ବିଶ୍ୱ ଚାମ୍ପିୟନ ରହି ଆସିଥିବା ବିଶ୍ୱନାଥନ ଆନନ୍ଦ ଆନୁଷ୍ଠାନିକ ଭାବେ ଘୋଷଣା କରିଛନ୍ତି।
Happy to announce Illamparthi as a GM illamparthi!
— Viswanathan Anand (@vishy64theking) October 30, 2025
.as part of @WacaChess we couldn't have been prouder. He has been missing the title on a few occasions but each time he came back and worked harder . I really believe he has a lot of potential and we hope to work together…
ଆନନ୍ଦ ନିଜ ଏକ୍ସ ହ୍ୟାଣ୍ଡେଲରେ ଏକ ପୋଷ୍ଟ ଜାରି କରି ଲେଖିଛନ୍ତି ଯେ, “ମୁଁ ଖୁସିର ସହ ଘୋଷଣା କରୁଛି ଯେ ଇଲାମପର୍ଥି ବର୍ତ୍ତମାନ ଭାରତର ୯୦ ତମ ଗ୍ରାଣ୍ଡମାଷ୍ଟର ସମ୍ମାନ ହାସଲ କରିଛନ୍ତି। @WacaChess ର ଅଂଶ ଭାବରେ, ଆମେ ଏହାଠାରୁ ଅଧିକ ଗର୍ବିତ ହୋଇପାରିନଥାନ୍ତୁ। ସେ କିଛି ଥର ଟାଇଟଲ ହାତଛଡ଼ା କରିଛନ୍ତି, କିନ୍ତୁ ପ୍ରତ୍ୟେକ ଥର ସେ ଫେରି ଆସି ଅଧିକ ପରିଶ୍ରମ କରିଛନ୍ତି। ମୁଁ ପ୍ରକୃତରେ ବିଶ୍ୱାସ କରେ ଯେ ତାଙ୍କ ନିକଟରେ ଆଗକୁ ବହୁତ ସମ୍ଭାବନା ରହିଛି, ଏବଂ ଆମେ ଅଧିକ ସଫଳତା ପାଇଁ ଏକାଠି କାମ କରିବାକୁ ଆଶା କରୁଛୁ।”
ଏହି ବିରାଟ ବିଜୟକୁ ନେଇ ତାଙ୍କ ପିତା ରବିକୁମାର କହିଛନ୍ତି ଯେ, ସେ ତାଙ୍କ ପୁଅ ପାଇଁ ବହୁତ ଖୁସି ଅନୁଭବ କରୁଛନ୍ତି। ବିଶେଷକରି ଚଳିତ ବର୍ଷ ଏପ୍ରିଲ୍ ପରଠାରୁ ଇଲାମପର୍ଥି ଛଅଟି ଟୁର୍ଣ୍ଣାମେଣ୍ଟରେ ଚୂଡ଼ାନ୍ତ ମାନଦଣ୍ଡ ହାସଲ କରିବାରେ ବିଫଳ ହେବା ପରେ ଏହି ଉପଲବ୍ଧି ହାସଲ କରିଛନ୍ତି। ଯାହା ତାଙ୍କ ପାଇଁ ଅତ୍ୟନ୍ତ ଗର୍ବର ବିଷୟ ବୋଲି ସେ କହିଛନ୍ତି।
ସୂଚନା ମୁତାବକ, ୨୦୦୯ରେ ଜନ୍ମ ଗ୍ରହଣ କରିଥିବା ଇଲାମପର୍ଥି ବର୍ତ୍ତମାନ ଗ୍ରାଣ୍ଡମାଷ୍ଟର ଭଳି ଏକ ଗୌରାବାନ୍ୱିତ ସମ୍ମାନ ହାସଲ କରିଛନ୍ତି। ସେ କ୍ଲାସିକାଲ ଚେସ୍ ରେ ୨୫୧୮ ପଏଣ୍ଟ ହାସଲ କରିଛନ୍ତି। ଯାହା ଜିଏମ୍ ଟାଇଟଲ ପାଇବାକୁ ସମସ୍ତ ଆବଶ୍ୟକତାକୁ ସିଧାସଳଖ ପୂରଣ କରିଥାଏ।
ଏହି ୧୬ ବର୍ଷିୟ ଛାତ୍ର ଜଣକ ଚେନ୍ନାଇର ଭେଲାମ୍ମଲ ସ୍କୁଲରେ ପାଠ ପଢୁଛନ୍ତି। ଭାରତୀୟ ଚେସ୍ ଖେଳାଳି ଗୁକେଶ ଓ ପ୍ରଗନନ୍ନନ୍ଧାଙ୍କ ପରେ ଇଲାମପର୍ଥି ହିଁ ପରବର୍ତ୍ତୀ ଭାରତୀୟ ଚେସ୍ ଖେଳାଳି ଭାବେ ସାମ୍ନାକୁ ଆସିବାକୁ ଯାଉଛନ୍ତି ବୋଲି ଅନେକ ବିଶେଷଜ୍ଞ ଅନୁମାନ କରୁଛନ୍ତି। ତେବେ ସବୁଠୁ ବଡ କଥା ହେଉଛି ସେ ଗତ ୨୦୨୩ ମସିହାରେ ହିଁ ଆନ୍ତର୍ଜାତୀୟ ମାଷ୍ଟର୍ସ ଟାଇଟଲ ହାସଲ କରିନେଇଥିଲେ।