ସଇନ୍ତଳା, ୧।୧୧ : ବଲାଙ୍ଗୀର ଜିଲ୍ଲା ସଇନ୍ତଳା ଥାନା ବୁଢ଼ାବାହାଲ ପଞ୍ଚାୟତ ସମିତିସଭ୍ୟ ମଦନ ନାଗଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିଲା। ଏନେଇ ଗତ ୬ ତାରିଖରେ ମଦନ ନାଗ ସଇନ୍ତଳା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ହେଲେ ଅଭିଯୋଗକୁ ୨୫ ଦିନ ବିତି ଯାଇଥିଲେ ସୁଧା ମୁଖ୍ୟ ଅଭିଯୁକ୍ତକୁ ଏଯାଏଁ ପୁଲିସ ଗିରଫ କରିପାରି ନାହିଁ। ତେଣୁ ଆଜି ସଇନ୍ତଳା ବ୍ଳକ ଆଦିବାସୀ ଦଳିତ ସଂଘ ଓ ମାନବାଧିକାର ସୁରକ୍ଷା ଅଭିଯାନର ଶତାଧିକ ଆଦିବାସୀ ସ୍ଥାନୀୟ ଡାକବଙ୍ଗଳା ପଡିଆରେ ଏକତ୍ରିତ ହୋଇଥିଲେ। ଅଭିଯୁକ୍ତକୁ ଗିରଫ ଦାବିରେ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ବିରାଟ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା ପରେ ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।
ପ୍ରକାଶ ଥାଉକି, ବୁଢ଼ାବାହାଲ ପଞ୍ଚାୟତ ସମିତି ସଭ୍ୟ ମଦନ ନାଗ ଗତ ୬ ତାରିଖ ସୋମବାର ସନ୍ଧ୍ୟାରେ ଆମ୍ବପାଲିଠାରୁ ନିଜଘର ବାବୁକେଲ ଗାଁକୁ ବାଇକ ଯୋଗେ ଫେରୁଥିଲେ। ଆମ୍ବପାଲି ଲାନୁ ନଦୀ ବ୍ରିଜ୍ ନିକଟରେ ତାଙ୍କୁ ଅଭିଯୁକ୍ତ ବିନେଶ ଗହୀର ଓ ତାଙ୍କ ସହଯୋଗୀମାନେ ଅଟକାଇ ବୁଢାବାହାଲ ପଞ୍ଚାୟତ ସରପଞ୍ଚଙ୍କ ଅନାସ୍ଥା ପ୍ରସ୍ତାବକୁ କେନ୍ଦ୍ର କରି କଥା କଟାକଟି ହୋଇଥିଲା। ଏହାପରେ ମଦନଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ଏନେଇ ସେ ସଇନ୍ତଳା ଥାନାରେ ଏତଲା ଦେଇଥିଲେ ହେଁ ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରିନାହିଁ। ଏହାର ପ୍ରତିବାଦରେ ପୂର୍ବରୁ ପ୍ରଥମେ ସଇଁତଳା ସମିତି ସଭ୍ୟ ସଙ୍ଘ ଅଭିଯୁକ୍ତକୁ ଗିରଫ ଦାବି କରିଥିଲା। ପରେ ଆଦିବାସୀ ଓ ଦଳିତ ସଂଘ ଥାନା ଅଧିକାରୀଙ୍କୁ ଦାବିପତ୍ର ସହ ଥାନା ଘେରାଉ କରିବାକୁ ଚେତାବନୀ ଦେଇଥିଲା।