ଭୁବନେଶ୍ୱର,୨୪/୯ : ନୂଆଦିଲ୍ଲୀ ବିଜ୍ଞାନ ଭବନରେ ମଙ୍ଗଳବାର ଅପରାହ୍ଣରେ ୭୧ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର-୨୦୨୩ ପ୍ରଦାନ କରାଯାଇଛି । ଗତ ଅଗଷ୍ଟ ୧ରେ ଘୋଷଣା ମୁତାବକ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ଅନ୍ୟ ଅତିଥିମାନେ ଉପସ୍ଥିତ ରହି ମନୋନୀତ ଚଳଚ୍ଚିତ୍ର ଓ ପ୍ରତିଭାମାନଙ୍କୁ ପୁରସ୍କୃତ କରିଥିଲେ । ଫିଚର୍‌ ଫିଲ୍ମ ବର୍ଗରେ ଆଞ୍ଚଳିକ ଛବି ଭାବେ ‘ପୁଷ୍କରା’ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ପୁରସ୍କାର ପାଇଛି । ରଜତ କମଳ ପୁରସ୍କାର ସ୍ୱରୂପ ପ୍ରଯୋଜକ ଓ ନିର୍ଦ୍ଦେଶକଙ୍କୁ ସ୍ମୃତିଫଳକ ସହ ୨ ଲକ୍ଷ ଟଙ୍କାର ପୁରସ୍କାର ପ୍ରଦାନ କରାଯାଇଛି । ପ୍ରଯୋଜନା ସଂସ୍ଥା ତରଙ୍ଗ ସିନେ ପ୍ରଡକ୍‌ସନ୍ସ ପକ୍ଷରୁ ଲିତିଶା ମଙ୍ଗତ ପଣ୍ଡା ଓ ନିର୍ଦ୍ଦେଶକ ଶୁଭ୍ରାଂଶୁ ଦାସ ପୁରସ୍କାର ଗ୍ରହଣ କରିଛନ୍ତି । ଶ୍ରେଷ୍ଠ ସିନେମାଟୋଗ୍ରାଫି ବର୍ଗରେ ହିନ୍ଦୀ ସିନେମା ‘ଦ କେରଳ ଷ୍ଟୋରୀ’ ପାଇଁ ଓଡ଼ିଆ ପୁଅ ପ୍ରଶାନ୍ତନୁ ମହାପାତ୍ର ରଜତ କମଳ ପୁରସ୍କାର ସ୍ୱରୂପ ୨ ଲକ୍ଷ ଟଙ୍କାର ଅର୍ଥରାଶି ଗ୍ରହଣ କରିଛନ୍ତି । 

ଅଣ ଫିଚର୍‌ ଫିଲ୍ମର ବିଭିନ୍ନ ବର୍ଗରେ ଶ୍ରେଷ୍ଠ ବାୟୋଗ୍ରାଫିକାଲ୍‌/ହିଷ୍ଟୋରିକାଲ୍‌ ରିକନ୍‌ଷ୍ଟ୍ରକ୍ସନ୍‌/କମ୍ପାଇଲେସନ୍‌ ଫିଲ୍ମ ବର୍ଗରେ ଅନ୍ୟ ଏକ ଇଂରାଜୀ ସିନେମା ସହ ଯୁଗ୍ମ ଭାବରେ ଓଡ଼ିଆ ପ୍ରାମାଣିକ ଚଳଚ୍ଚିତ୍ର ‘ମୋ ବୋଉ, ମୋ ଗାଁ’ ରଜତ କମଳ ପୁରସ୍କାର ସ୍ୱରୂପ ୨ ଲକ୍ଷ ଟଙ୍କାର ଅର୍ଥରାଶି (ଉଭୟ ସିନେମା ଭାଗ କରି ନେବେ) ପ୍ରାପ୍ତ ହୋଇଛି । ଏଥିପାଇଁ ବଲିଉଡ୍‌ର ଅନ୍ୟତମ ଶ୍ରେଷ୍ଠ ଜାତୀୟ ପୁରସ୍କାରପ୍ରାପ୍ତ ଚର୍ଚ୍ଚିତ ସାଉଣ୍ଡ୍‌ ଡିଜାଇନର୍‌ ତଥା ଫିଲ୍ମର ନିର୍ଦ୍ଦେଶକ ଓଡ଼ିଆ ପୁଅ ସୁବାସ ସାହୁ ପୁରସ୍କାର ଗ୍ରହଣ କରିଛନ୍ତି। ଅଣ ଫିଚର୍‌ ଫିଲ୍ମର ସ୍ୱତନ୍ତ୍ର ବର୍ଗରେ ଜଳବାୟୁ ପରିବର୍ତ୍ତନକୁ ଆଧାର କରି କେନ୍ଦ୍ରାପଡ଼ା ଜିଲ୍ଲାର ସାତଭାୟା ଉପରେ ନିର୍ମିତ ଓଡ଼ିଆ ପ୍ରାମାଣିକ ଚଳଚ୍ଚିତ୍ର ‘ଦ ସି ଆଣ୍ଡ୍‌ ସେଭେନ୍‌ ଭିଲେଜେସ୍‌’ ପ୍ରମାଣପତ୍ର ପାଇଛି । କାଦମ୍ବିନୀ ମିଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ର ପ୍ରଯୋଜିକା ଡ. ଇତି ସାମନ୍ତ ଓ ଏହାର ନିର୍ଦ୍ଦେଶକ ତଥା ଜାତୀୟ ପୁରସ୍କାରପ୍ରାପ୍ତ ନିର୍ଦ୍ଦେଶକ ହିମାଂଶୁ ଶେଖର ଖଟୁଆ ପୁରସ୍କାର ଗ୍ରହଣ କରିଛନ୍ତି ।

ଅଣ ଫିଚର୍‌ ଫିଲ୍ମର ପ୍ରମୋଟିଂ ସୋସିଆଲ୍‌ ଆଣ୍ଡ୍‌ ଏନ୍‌ଭାରନ୍‌ମେଣ୍ଟାଲ୍‌ ଭାଲ୍ୟୁଜ୍‌ ବର୍ଗରେ ହିନ୍ଦୀ ପ୍ରାମାଣିକ ଚଳଚ୍ଚିତ୍ର ‘ଦ ସାଇଲେଣ୍ଟ ଏପିଡେମିକ୍‌’ ରଜତ କମଳ ପୁରସ୍କାର ସ୍ୱରୂପ ଫିଲ୍ମର ପ୍ରଯୋଜକ ଓ ନିର୍ଦ୍ଦେଶକ ପ୍ରତ୍ୟେକଙ୍କୁ ସ୍ମୃତିଫଳକ ସହ ୨ ଲକ୍ଷ ଟଙ୍କାର ପୁରସ୍କାର ମିଳିଛି । ସିନେମା ଫର୍‌ ଗୁଡ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ର ମୁଖ୍ୟ ତଥା ପ୍ରଯୋଜକ ଓଡ଼ିଆ ପୁଅ ଜିତେନ୍ଦ୍ର ମିଶ୍ର ଏବଂ ରାହାଗିରି ଫାଉଣ୍ଡେସନର ମୁଖ୍ୟ ସାରିକା ପଣ୍ଡା ଭଟ୍ଟ ଏହି ପୁରସ୍କାର ଗ୍ରହଣ କରିଛନ୍ତି । ପୁରସ୍କାର ପରେ ବିଭିନ୍ନ ସ୍ତରରୁ ଶୁଭେଚ୍ଛାର ସୁଅ ଛୁଟିଥିଲା ବେଳେ ସମସ୍ତ ପୁରସ୍କାର ଓଡ଼ିଶା, ଓଡ଼ିଆ ଚଳଚ୍ଚିତ୍ର ଜଗତ ଓ ସିନେପ୍ରେମୀଙ୍କ ପାଇଁ ଖୁସିର ଲହର ଆଣିଛି । ବଡ଼ କଥା ହେଲା ଏଥର ଅଭିନେତ୍ରୀ ପ୍ରକୃତି ମିଶ୍ର ଫିଚର୍‌ ଫିଲ୍ମ ଜୁରିରେ ଥିଲାବେଳେ ବେଷ୍ଟ ରାଇଟିଂ ଅନ୍‌ ସିନେମା ଜୁରିରେ ଓଡ଼ିଶାର ବରିଷ୍ଠ ସିନେ ସାମ୍ବାଦିକ ଅଶୋକ ପାଲିତ ରହିଥିଲେ ।