ମୁମ୍ବାଇ,୧୧/୧୦: ଭାରତର ପ୍ରଥମ ‘ମାନସିକ ସ୍ୱାସ୍ଥ୍ୟ ଆମ୍ବାସଡର’ ହୋଇଛନ୍ତି ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନ । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ତାଙ୍କୁ ଏହି ପଦବୀରେ ନିଯୁକ୍ତ କରିଛି । ଦେଶରେ ଅଧିକ ସହାୟକ ଏକ ମାନସିକ ସ୍ୱାସ୍ଥ୍ୟ ପରିସଂସ୍ଥାନ ନିର୍ମାଣ ଦିଗରେ ଏହା ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଭାରତର ମାନସିକ ସ୍ୱାସ୍ଥ୍ୟ ସମର୍ଥନ ପ୍ରଣାଳୀକୁ ସୁଦୃଢ଼ କରିବା ସହିତ ସାମଗ୍ରିକ କଲ୍ୟାଣ ବିଷୟରେ ମୁକ୍ତ ଆଲୋଚନାକୁ ପ୍ରୋତ୍ସାହିତ କରିବା ଏହି ନିଯୁକ୍ତିର ଲକ୍ଷ୍ୟ ।
ଦୀପିକା ଲିଭ୍ ଲଭ୍ ଲାଫ୍ (ଏଲ୍ଏଲ୍ଏଲ୍) ନାମକ ସଂଗଠନର ପ୍ରତିଷ୍ଠାତା । ତାଙ୍କୁ ଏହି ପଦରେ ଚୟନ କରି ତାଙ୍କ ସଂଗଠନ ଓ ବ୍ୟକ୍ତିଗତ ଯାତ୍ରା ଜରିଆରେ ମାନସିକ ସ୍ୱାସ୍ଥ୍ୟ ସମ୍ପର୍କିତ ଆଲୋଚନାର ପ୍ରୋତ୍ସାହନରେ ତାଙ୍କର ସକ୍ରିୟ ଭୂମିକା ଉପରେ ଗୁରୁତ୍ୱାରୋପ କରାଯାଇଛି । କେନ୍ଦ୍ର ମନ୍ତ୍ରୀ ଜେପି ନଡ୍ଡା କହିଛନ୍ତି, ଦୀପିକାଙ୍କ ସହ ସହଭାଗିତା ଭାରତରେ ମାନସିକ ସ୍ୱାସ୍ଥ୍ୟ ବିଷୟ ଉପରେ ବ୍ୟାପକ ସଚେତନତା ସୃଷ୍ଟିରେ ସହାୟକ ହେବ । ଆଲୋଚନା ମାଧ୍ୟମରେ ଲୋକଙ୍କ ଭୁଲ ଧାରଣାରେ ପରିବର୍ତ୍ତନ ଆସିବ । ଫଳରେ ମାନସିକ ସ୍ୱାସ୍ଥ୍ୟ ଜନସ୍ୱାସ୍ଥ୍ୟର ଅଭିନ୍ନ ଦିଗ ଭାବେ ଲୋକଲୋଚନକୁ ଆସିପାରିବ । ଏନେଇ ଦୀପିକା ମଧ୍ୟ ଖୁସି ବ୍ୟକ୍ତ କରିଛନ୍ତି ।
କେନ୍ଦ୍ର ସରକାରଙ୍କ ଦ୍ୱାରା ଦେଶର ପ୍ରଥମ ମାନସିକ ସ୍ୱାସ୍ଥ୍ୟ ବ୍ରାଣ୍ଡ୍ ଆମ୍ବାସଡର ଭାବେ ନିଯୁକ୍ତ ହୋଇଥିବାରୁ ସେ ନିଜକୁ ସମ୍ମାନିତ ମନେକରୁଛନ୍ତି । ଦେଶର ମାନସିକ ସ୍ୱାସ୍ଥ୍ୟ ଫ୍ରେମ୍ୱାର୍କକୁ ସୁଦୃଢ଼ କରିବା ପାଇଁ ମନ୍ତ୍ରଣାଳୟ ସହ ମିଶି କାମ କରିବେ ବୋଲି ସେ କହିଛନ୍ତି । ଏହି ନୂଆ ପଦବୀରେ ଦୀପିକା ମନ୍ତ୍ରଣାଳୟ ସହ ମିଶି ମାନସିକ ସ୍ୱାସ୍ଥ୍ୟ ବିଷୟରେ ଲୋକଙ୍କୁ ଶିକ୍ଷିତ କରିବେ । ଲୋକଙ୍କ ଅନ୍ଧବିଶ୍ୱାସ ଦୂର ଲାଗି ବିଭିନ୍ନ ପ୍ରୟାସରେ ମଧ୍ୟ ସମର୍ଥନ କରିବେ । ସମାନ ମାନସିକ ସ୍ୱାସ୍ଥ୍ୟ ସେବା ପ୍ରାପ୍ତି ନିମନ୍ତେ ରଣନୀତି ନିର୍ମାଣରେ ସରକାରଙ୍କ କାର୍ଯ୍ୟକ୍ରମରେ ଯୋଗଦାନ ଦେବେ ।