ନୂଆଦିଲ୍ଲୀ: ପାକିସ୍ତାନ ପାଇଁ ଲଜ୍ଜା । ଟୁର୍ଣ୍ଣାମେଣ୍ଟ ଖେଳିବାକୁ ଆସି ଜାପାନରେ ଫସିଲେ ପାକିସ୍ତାନି ନକଲି ଫୁଟବଲ ଖେଳାଳି। ପ୍ରୋଫେସନାଲ୍ ଫୁଟବଲର ବେଶରେ ଜାପାନରେ ଅବୈଧ ଭାବେ ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ସମୟରେ ଧରାପଡିଛନ୍ତି ୨୨ ନକଲି ଖେଳାଳି। ଜାପାନୀ ଇମିଗ୍ରେସନ୍ ଅଧିକାରୀମାନେ ଏହି ଜାଲିଆତିକୁ ଧରିବା ପରେ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରି ପାକିସ୍ତାନକୁ ପଠାଇଥିବା ଜଣାପଡିଛି।
ପାକିସ୍ତାନର ଫେଡେରାଲ ଇନଭେଷ୍ଟିଗେସନ୍ ଏଜେନ୍ସି (FIA) ଦେଇଥିବା ସୂଚନା ମୁତାବକ, ଏହି ଲୋକମାନେ ପାକିସ୍ତାନର ଫୁଟବଲ୍ ଟିମ ବେଶରେ ଯାତ୍ରା କରିଥିଲେ। ଖାଲି ଏତିକି ନୁହେଁ ପାକିସ୍ତାନ ଫୁଟବଲ୍ ଫେଡେରେସନ୍ (PFF) ସହ ନିଜର ସମ୍ପର୍କ ଥିବା ନେଇ ମଧ୍ୟ ଦାବି କରିଥିଲେ। ସେମାନଙ୍କ ପାଖରେ ବିଦେଶ ବ୍ୟପାର ମନ୍ତ୍ରଣାଳୟ ଦ୍ୱାରା ଜାରି ହୋଇଥିବା ନକଲି ନୋ-ଅବ୍ଜେକ୍ସନ୍ ସର୍ଟିଫିକେଟ୍ (NOCs) ମଧ୍ୟ ରହିଥିଲା। ଜାପାନୀ ଅଧିକାରୀମାନେ ପଚରାଉଚୁରା ସମୟରେ ଅଭିଯୁକ୍ତମାନେ ଠିକସେ ଉତ୍ତର ଦେଇ ନପାରିବାରୁ ସେମାନଙ୍କ ଉପରେ ସନ୍ଦେହ ହୋଇଥିଲା। ଯାହା ଫଳରେ ଏହି ଦଳକୁ ଗିରଫ କରି ପୁଣିଥରେ ପାକିସ୍ତାନକୁ ପଠାଇ ଦିଆଯାଇଛି। ପାକିସ୍ତାନର ଜାତୀୟ ଗଣମାଧ୍ୟମ Geo News ଅନୁସାରେ, ପାକିସ୍ତାନୀ ଏୟାରପୋର୍ଟରୁ ଏହି ଲୋକମାନେ କିପରି ଫ୍ଲାଇଟ୍ ବୋର୍ଡ କରିପାରିଥିଲେ, ତାହା ଅଧିକାରୀମାନେ ଏଯାଏଁ ସ୍ପଷ୍ଟ କରିନାହାନ୍ତି।
ଏହି ଯୋଜନାର ମୂଳ ମାଷ୍ଟରମାଇଣ୍ଡ ସିଆଲକୋଟର ପାସରୋରରେ ରହୁଥିବା ମଲିକ୍ ଓୱାକାସ୍ ବୋଲି ସୂଚନା ମିଳିଛି। ଅଭିଯୁକ୍ତ ମଲିକ୍ ‘ଗୋଲଡେନ୍ ଫୁଟବଲ୍ ଟ୍ରାୟାଲ’ ନାମକ ଏକ ନକଲି ଫୁଟବଲ କ୍ଲବ ଚଳାଉଥିଲେ। ସେ ନିଜ କ୍ଲବରେ ସାମିଲ ହେଉଥିବା ପ୍ରତ୍ୟେକ ଖେଳାଳିଙ୍କୁ ଏହି ଯାତ୍ରା ପାଇଁ ୪ ମିଲିୟନରୁ ୪.୫ ମିଲିୟନ ପାକିସ୍ତାନି ଟଙ୍କା ଦାବି କରୁଥିଲେ। FIAର ଗୁଜରାନୱାଲା କମ୍ପୋଜିଟ ସର୍କଲ ତାଙ୍କୁ ୧୫ ସେପ୍ଟେମ୍ବରରେ ଗିରଫ କରିଛି ଏବଂ ତାଙ୍କ ବିରୋଧରେ ଏକାଧିକ ମାମଲା ଦାୟର କରାଯାଇଛି।
ଅଧିକାରୀମାନେ କହିଛନ୍ତି ଯେ ଏହା ଓୱାକାସ୍ର ପ୍ରଥମ ପ୍ରୟାସ ନୁହେଁ। ୨୦୨୪ ଜାନୁଆରୀରେ ସେ ୧୭ ଜଣଙ୍କୁ ସମାନ ଢଙ୍ଗରେ ଜାପାନ ପଠାଇଥିଲା। ସେମାନେ ମଧ୍ୟ ନକଲି ଡକ୍ୟୁମେଣ୍ଟ୍ ଏବଂ ଜାପାନୀ କ୍ଲବ୍ ବୋଭିଷ୍ଟା FCରୁ ନକଲି ଆମନ୍ତ୍ରଣ ପତ୍ର ବ୍ୟବହାର କରିଥିଲେ। ସେହି ୧୭ ଜଣଙ୍କ ମଧ୍ୟରୁ ଆଜିଯାଏ କେହି ଫେରିନଥିବା ଜଣାପଡିଛି।