ନୂଆଦିଲ୍ଲୀ: ଭାରତର ପ୍ରଥମ ବୁଲେଟ୍ ଟ୍ରେନ୍ ପ୍ରକଳ୍ପ, ଯାହା ମୁମ୍ବାଇ ଏବଂ ଅହମଦାବାଦ ମଧ୍ୟରେ ଚାଲିବ, ୨୦୨୯ ସୁଦ୍ଧା ପୂର୍ଣ୍ଣ ଗତିରେ କାର୍ଯ୍ୟକ୍ଷମ ହେବ ବୋଲି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଘୋଷଣା କରିଛନ୍ତି। ସେହିଭଳି ଗୁଜୁରାଟର ମାତ୍ର 50 କିମି ଲମ୍ୱ ସୁରଟ ଓ ବିଲିମୋରା ରୁଟରେ ଏହି ଅତ୍ୟାଧୁନିକ ହାଇ-ସ୍ପିଡ୍ ରେଳ ୨୦୨୭ ସୁଦ୍ଧା କାର୍ଯ୍ୟକାରୀ ହେବ ବୋଲି ସେ କହିଛନ୍ତି। ତେବେ ଏହି ପ୍ରକଳ୍ପ ଭାରତର ରେଳ ଯୋଗାଯୋଗ କ୍ଷେତ୍ରରେ ଏକ ଐତିହାସିକ ମାଇଲଖୁଣ୍ଟ ସ୍ଥାପନ କରିବ।

ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ତଥ୍ୟ ଅନୁଯାୟୀ, ମୁମ୍ବାଇ-ଅହମଦାବାଦ ହାଇ-ସ୍ପିଡ୍ ରେଳ କରିଡର ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଛି। ଏହି ରୁଟ୍ ୫୦୮ କିଲୋମିଟର ଦୈର୍ଘ୍ୟରେ ବିସ୍ତାରିତ ହେବ ଏବଂ ଏହା ଦୁଇ ସହର ମଧ୍ୟରେ ଯାତ୍ରା ସମୟକୁ ନାଟକୀୟ ଭାବେ ହ୍ରାସ କରିବ। ଏହି ରେଳ ଯାତ୍ରା ଆରମ୍ଭ ହେଲେ ମୁମ୍ୱାଇ-ଅହମଦାବାଦ ମଧ୍ୟରେ ମାତ୍ର ୨ ଘଣ୍ଟାରେ ଯାତ୍ରା ସମ୍ପୂର୍ଣ୍ଣ ହେବ।

ନିର୍ମାଣଧିନ ସୁରଟ ଷ୍ଟେସନ ଯାଞ୍ଚ କରିବା ସହ କେନ୍ଦ୍ରମନ୍ତ୍ରୀ ବୈଷ୍ଣବ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ଭାରତର ପ୍ରଥମ ବୁଲେଟ ରେଳ ପ୍ରକଲ୍ଫର କାମ ଜୋରସୋରରେ ଆଗେଇ ଚାଲିଛି। ସୁରଟ ଓ ବିଲିମୋରା ମଧ୍ୟରେ ଚାଲିବାକୁ ଥିବା ପ୍ରଥମ 50 କିମି ଆସନ୍ତା 2027 ସୁଦ୍ଧା କାର୍ଯ୍ୟକ୍ଷମ ହେବ। ସେହିପରି ଥାନେ-ଅହମଦାବାଦ ୨୦୨୮ ସୁଦ୍ଧା ଓ ସମ୍ପୂର୍ଣ୍ଣ ମୁମ୍ୱାଇ-ଅହମଦାବାଦ ସେକ୍ସନ ୨୦୨୯ ସୁଦ୍ଧା କାର୍ଯ୍ୟକ୍ଷମ ହେବ। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏହି ଟ୍ରେନ୍ ମେନ ଲାଇନରେ ଘଣ୍ଟାପ୍ରତି ୩୨୦ କିମି ବେଗରେ ଯାତ୍ରା କରିପାରିବା ବେଳେ ଲୁପ ଲାଇନରେ 80 କିମି ବେଗରେ ଯାତ୍ରା କରିପାରିବ।

ଆପଣଙ୍କୁ ଜମାଇରଖୁ ଯେ, ଏହି ପ୍ରକଳ୍ପ ଜାପାନର ଶିଙ୍କାନସେନ ବୁଲେଟ୍ ଟ୍ରେନ୍ ପ୍ରଯୁକ୍ତି ଉପରେ ଆଧାରିତ ଏବଂ ଜାପାନ ଇଣ୍ଟରନ୍ୟାସନାଲ କୋଅପରେସନ ଏଜେନ୍ସି (ଜାଇକା) ଦ୍ୱାରା ଏହାର ବିକାଶ କରାଯାଉଛି। ଏହା ସହିତ, ପ୍ରକଳ୍ପଟି ଅତ୍ୟାଧୁନିକ ସୁରକ୍ଷା ବ୍ୟବସ୍ଥା, ପରିବେଶ ଅନୁକୂଳ ପ୍ରଯୁକ୍ତି ଏବଂ ଯାତ୍ରୀଙ୍କ ସୁବିଧା ପାଇଁ ଆଧୁନିକ ସୁବିଧା ପ୍ରଦାନ କରିବ।

ବୈଷ୍ଣବ ଆହୁରି ମଧ୍ୟ କହିଛନ୍ତି ଯେ ଏହି ପ୍ରକଳ୍ପ କେବଳ ଯୋଗାଯୋଗକୁ ଉନ୍ନତ କରିବ ନାହିଁ, ବରଂ ଅର୍ଥନୀତିକୁ ମଜବୁତ କରିବ ଏବଂ ଅଞ୍ଚଳରେ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ଏହି ବୁଲେଟ୍ ଟ୍ରେନ୍ ଭାରତର ରେଳ ଇତିହାସରେ ଏକ ନୂଆ ଅଧ୍ୟାୟ ରଚନା କରିବ ବୋଲି ଆଶା ପ୍ରକଟ କରିଛନ୍ତି।