ଟୋକିଓ: ଭାରତର ତାରକା ଜାଭେଲିନ ଖେଳାଳି ନୀରଜ ଚୋପଡ଼ାଙ୍କ ବିଶ୍ୱ ଚାମ୍ପିୟନସିପ୍ ଟାଇଟଲ୍ ରକ୍ଷା କରିବାର ଆଶା ଗୁରୁବାର ସନ୍ଧ୍ୟାରେ ଚୁରମାର ହୋଇଯାଇଛି। ଦୁଇଥର ଅଲମ୍ପିକ ମେଡାଲ ବିଜେତା ନୀରଜ ବିଶ୍ୱ ଏଥ୍ଲେଟିକ୍ସ ଚାମ୍ପିୟନସିପ ୨୦୨୫ର ପୁରୁଷ ଜାଭେଲିନ ଥ୍ରୋ ଫାଇନାଲରେ ମ ସ୍ଥାନରେ ରହି ନିରାଶ କରିଛନ୍ତି। ଏହି ପ୍ରତିଯୋଗିତା ଟୋକିଓ ଅଲମ୍ପିକ ଷ୍ଟାଡିୟମରେ ହୋଇଥିଲା, ଯେଉଁଠାରେ ଚାରି ବର୍ଷ ପୂର୍ବରୁ ନୀରଜ ଐତିହାସିକ ଅଲମ୍ପିକ ସୁନା ପଦକ ଜିତିଥିଲେ।

ଟୋକିଓର ଗରମ ଓ ଆର୍ଦ୍ର ପାଗରେ ନୀରଜଙ୍କ ସର୍ବୋତ୍ତମ ଥ୍ରୋ ଥିଲା ୮୪.୦୩ ମିଟର, ଯାହା ତାଙ୍କର ବ୍ୟକ୍ତିଗତ ସର୍ବୋଚ୍ଚ ୯୦.୨୩ ମିଟରଠାରୁ ବହୁତ କମ୍। ଏହା ତାଙ୍କ କ୍ୟାରିଅରରେ ଏକ ବଡ଼ ଝଟକା। ୭ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ସେ କୌଣସି ଆନ୍ତର୍ଜାତୀୟ ପ୍ରତିଯୋଗିତାରେ ମେଡାଲ୍ ଜିତିପାରି ନାହାନ୍ତି। ଏହା ତାଙ୍କର ୪ ବର୍ଷର ଟପ-୨ ଫିନିସ ଧାରାକୁ ମଧ୍ୟ ଭାଙ୍ଗିଦେଇଛି।

ଅନ୍ୟପକ୍ଷରେ, ଉତ୍ତର ପ୍ରଦେଶର ୨୫ ବର୍ଷୀୟ ଯୁବ ଖେଳାଳି ସଚିନ ଯାଦବ ଚମକଦାର ପ୍ରଦର୍ଶନ କରି ଚତୁର୍ଥ ସ୍ଥାନ ହାସଲ କରିଛନ୍ତି। ସଚିନ ନିଜର ଜୀବନର ସର୍ବୋତ୍ତମ ୮୬.୨୭ ମିଟର ଥ୍ରୋ କରିଥିଲେ, ଯାହା ତାଙ୍କୁ ମେଡାଲ ପାଇବାରୁ ମାତ୍ର ୪୦ ସେଣ୍ଟିମିଟର ଦୂରରେ ରହିଗଲା। ତାଙ୍କର ସ୍ଥିର ଓ ଶକ୍ତିଶାଳୀ ଥ୍ରୋ ସିରିଜ୍ ଦେଖି ତାଙ୍କ କୋଚ୍ ନଭାଲ ସିଂହ ଷ୍ଟାଣ୍ଡରେ ବେଶ୍ ଗର୍ବିତ ହୋଇଥିଲେ।

ସେହିଭଳି ପାକିସ୍ତାନର ଅଲମ୍ପିକ ଚାମ୍ପିୟନ ଅର୍ଶଦ ନଦୀମ ମଧ୍ୟ ନିରାଶାଜନକ ପ୍ରଦର୍ଶନ କରି ୧୦ମ ସ୍ଥାନରେ ରହିଛନ୍ତି। ଏହି ଫାଇନାଲରେ ଜର୍ମାନୀର ଜୁଲିୟନ୍ ୱେବର୍ ଓ ଗ୍ରେନାଡାର ଆଣ୍ଡର୍ସନ୍ ପେଟର୍ସଙ୍କ ମଧ୍ୟରେ ପ୍ରବଳ ପ୍ରତିଦ୍ୱନ୍ଦ୍ୱିତା ଦେଖାଯାଇଥିଲା।

ନୀରଜଙ୍କ ଏହି ପ୍ରଦର୍ଶନ ତାଙ୍କ କ୍ୟାରିଅରରେ ଏକ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଅନ୍ୟପକ୍ଷରେ, ସଚିନ ଯାଦବଙ୍କ ପ୍ରଦର୍ଶନ ଭାରତୀୟ ଏଥଲେଟିକ୍ସ ପାଇଁ ନୂଆ ଆଶା ଆଣି ଦେଇଛି।