କରାଚି: ଧରାପଡିଗଲା ଟ୍ରମ୍ପଙ୍କ ମିଛ। ଖୋଦ୍ ପାକିସ୍ତାନ ମନ୍ତ୍ରୀ କହୁ କହୁ କହିଦେଲେ ବହୁ ଭିତିରି କଥା। ଜାଣିଲେ ଆପଣ ହୋଇଯିବେ ଆଶ୍ଚର୍ଯ୍ୟ। ମଙ୍ଗଳବାର ପାକିସ୍ତାନର ବିଦେଶ ମନ୍ତ୍ରୀ ଇଶାକ ଦାର କହିଛନ୍ତି ଯେ ଅପରେସନ ସିନ୍ଧୁର ସମୟରେ ଭାରତ କୌଣସି ତୃତୀୟ ପକ୍ଷ, ଯଥା ଆମେରିକା ମାଧ୍ୟମରେ ସମସ୍ୟା ସମାଧାନ ପାଇଁ ସମ୍ମତ ହୋଇନଥିଲା। ଏହା ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦାବିକୁ ଖଣ୍ଡନ କରିଛି। କାରଣ ସେ ଅପରେସନ ସିନ୍ଧୁର ପରେ ଭାରତ-ପାକିସ୍ତାନ ମଧ୍ୟରେ ମଧ୍ୟସ୍ଥତା କରିଥିବା ନେଇ ଘୋଷଣା କରିଥିଲେ। 

ସୂଚନା ମୁତାବକ, ଆନ୍ତର୍ଜାତିୟ ଗଣମାଧ୍ୟମ ଆଲ୍ ଜଜିରାକୁ ଦିଆଯାଇଥିବା ସାକ୍ଷାତକାରରେ ଦାର କହିଛନ୍ତି ଯେ, ପାକିସ୍ତାନ ଭାରତ ସହ କଥା ହେବା ପାଇଁ ଚାହେଁ। କିନ୍ତୁ ଭାରତ ଏହାକୁ ଦ୍ୱିପାକ୍ଷିକ ବିଷୟ ବୋଲି କହି ଏଡାଇ ଚାଲିଛି। ସେ କହିଛନ୍ତି, ପାକିସ୍ତାନ ତୃତୀୟ ପକ୍ଷର ସହାୟତାକୁ ଆପତ୍ତି କରେ ନାହିଁ, କିନ୍ତୁ ଦୁଇଦେଶର କଥାବାର୍ତ୍ତା ମଧ୍ୟରେ ଆତଙ୍କବାଦ, ବାଣିଜ୍ୟ, ଅର୍ଥନୀତି ଓ ଜମ୍ମୁ-କାଶ୍ମୀର ସମେତ ସବୁ ବିଷୟ ଅନ୍ତର୍ଭୁକ୍ତ ହେବା ଉଚିତ। ସେ ଶାନ୍ତିପୂର୍ଣ ସଂଳାପର ସମର୍ଥନ କରି କହିଛନ୍ତି, ଏଥିପାଇଁ ଦୁଇ ପକ୍ଷର ଇଚ୍ଛା ଆବଶ୍ୟକ କିନ୍ତୁ ପାକିସ୍ତାନ ଏକୁଟିଆ ଚାହିଁଲେ  କିଛି କରିପାରିବ ନାହିଁ। 

ଦାର ପ୍ରକାଶ କରିଛନ୍ତି ଯେ ଗତ ମେ ୧୦ ତାରିଖରେ ଆମେରିକୀୟ ରାଷ୍ଟ୍ର ସଚିବ ମାର୍କୋ ରୁବିଓ ପାକିସ୍ତାନକୁ ଏକ ନିରପେକ୍ଷ ସ୍ଥାନରେ ଭାରତ ସହ ଆଲୋଚନା ପାଇଁ ପ୍ରସ୍ତାବ ଦେଇଥିଲେ। କିନ୍ତୁ ଜୁଲାଇ ୨୫ ତାରିଖରେ ରୁବିଓ ଜଣାଇଥିଲେ ଯେ ଭାରତ ଏହାକୁ ଦ୍ୱିପାକ୍ଷିକ ବିଷୟ ବୋଲି ଗ୍ରହଣ କରିଛି। ଟ୍ରମ୍ପଙ୍କ ଦାବି ବିଷୟରେ ପଚାରିବାରୁ ରୁବିଓ ସ୍ପଷ୍ଟ କରିଥିଲେ ଯେ ଭାରତ ସବୁବେଳେ ଦ୍ୱିପାକ୍ଷିକ ପନ୍ଥାକୁ ପସନ୍ଦ କରେ। 

ତେବେ ଟ୍ରମ୍ପ ସାମାଜିକ ଗଣମାଧ୍ୟମ ଟ୍ରୁଥ ସୋଶିଆଲରେ ଦାବି କରିଥିଲେ ଯେ ଅପରେସନ୍ ସିନ୍ଧୁର ପରେ ଚାରି ଦିନର ଆକ୍ରମଣ ଓ ପ୍ରତିଆକ୍ରମଣ ପରେ ସେ ଉଭୟ ଦେଶ ମଧ୍ୟରେ ଅସ୍ତ୍ରବିରତି କରାଇଥିଲେ। ତେବେ ଟ୍ରମ୍ପଙ୍କ ଏହି ରାୟ ଆସିବା ପରେ ଭାରତ ଏହାର ଘୋର ବିରୋଧ କରିଥିଲା। ଏହି ଅସ୍ତ୍ରବିରତିରେ କୌଣସି ତୃତୀୟ ପକ୍ଷ ସମ୍ପୃକ୍ତ ନଥିଲା ଏବଂ ପାକିସ୍ତାନ ଭାରତର ପ୍ରତିଆକ୍ରମଣ ପରେ ନିଜ ଆଡୁ ଅସ୍ତ୍ରବିରତି ପାଇଁ ଅନୁରୋଧ କରିଥିଲା ବୋଲି ଭାରତ ସୂଚନା ପ୍ରଦାନ କରିଥିଲା। 

ଆପଣଙ୍କୁ ଜଣାଇରଖୁ ଯେ, ଜମ୍ମୁ-କାଶ୍ମୀରର ପହଲଗାମରେ ପାକିସ୍ତାନୀ ଆତଙ୍କବାଦୀ ଆକ୍ରମଣରେ ୨୬ ଜଣଙ୍କ ମୃତ୍ୟୁ ହୋଇଥିଲା। ପ୍ରତ୍ୟୁତ୍ତରରେ ଭାରତ ଅପରେସନ୍ ସିନ୍ଧୁର ଆରମ୍ଭ କରି ପାକିସ୍ତାନ ଓ ପାକ୍-ଅଧିକୃତ କାଶ୍ମୀରରେ ୯ଟି ଆତଙ୍କବାଦୀ ଶିବିର ଉପରେ ଆକ୍ରମଣ କରି ୧୦୦ରୁ ଅଧିକ ଆତଙ୍କବାଦୀଙ୍କୁ ନିପାତ କରିଥିଲା। ପାକିସ୍ତାନ ମଧ୍ୟ ଭାରତର ସୀମାନ୍ତ ସହରଗୁଡ଼ିକୁ ଆକ୍ରମଣ କରିଥିଲା, କିନ୍ତୁ ଭାରତର ପ୍ରତିଆକ୍ରମଣ ପରେ ଚାରି ଦିନ ମଧ୍ୟରେ ନିଜଆଡୁ ଅସ୍ତ୍ରବିରତି ଘୋଷଣା କରିଥିଲା 

ପାକିସ୍ତାନର ବିଦେଶ ମନ୍ତ୍ରୀଙ୍କ ଏହି ସ୍ୱୀକାରୋକ୍ତି ପରେ ଟ୍ରମ୍ପଙ୍କ ଦାବିକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସମ୍ପ୍ରତ୍ତି ପାକ୍ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ବର୍ତ୍ତମାନ ଆମେରିକା ଗସ୍ତରେ ଅଛନ୍ତି। ଆଗକୁ ଏହାକୁ ନେଇ କଣ ଘଚିଭ ତାହା ଉପରେ ସମସ୍ତଙ୍କ ନଜର ରହିଛି।