ନୂଆଦିଲ୍ଲୀ,୨୧/୧୦: ଦୀପାବଳି ସନ୍ଧ୍ୟାରେ, ଦିଲ୍ଲୀ, ନୋଏଡା ଏବଂ ଆଖପାଖ ସହରଗୁଡ଼ିକରେ ପ୍ରବଳ ବାଣ ଫୁଟିଲା । ଆଉ ପରିଣାମ ଏବେ ଭୟଙ୍କର । 'ବିପଦପୂର୍ଣ୍ଣ' ବର୍ଗରେ ଦିଲ୍ଲୀରେ ବାୟୁ ଗୁଣବତ୍ତା ସୂଚକାଙ୍କ । ଅନେକ ଅଞ୍ଚଳରେ ବାୟୁ ପ୍ରଦୂଷଣ ସ୍ତର ବିପଜ୍ଜନକ ସ୍ତର ଛୁଇଁଛି । ରାଜଧାନୀ ଦିଲ୍ଲୀର ବାୟୁ ବିଷ ପରି ହୋଇଛି । କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅନୁଯାୟୀ ଏକ୍ୟୁଆଇ ବା ବାୟୁ ଗୁଣବତ୍ତା 'ଅତ୍ୟନ୍ତ ଖରାପ' ଓ 'ଗମ୍ଭୀର' ସ୍ତରରେ ପହଞ୍ଚିଛି । ୫୦୦ ପାର୍ ହୋଇଛି ବାୟୁ ଗୁଣବତ୍ତା ସୂଚକାଙ୍କ ବା ଏକ୍ୟୁଆଇ । ନରେଲା ଅଞ୍ଚଳରେ ଏକ୍ୟୁଆଇ ୫୫୦ ଡେଇଁଛି । ମଙ୍ଗଳବାର ସକାଳେ, ଦିଲ୍ଲୀର ଆନନ୍ଦ ବିହାରରେ ସବୁଠାରୁ ପ୍ରଦୂଷିତ ବାୟୁ ପରିଲକ୍ଷିତ ହୋଇଥିଲା । ଆକାଶ ଧୂଆଁ ଧୂଆଁ ହୋଇଛି ଫଳରେ ଲୋକଙ୍କୁ ନିଶ୍ୱାସ ନେବା କଷ୍ଟକର ହୋଇ । ନୋଏଡାରେ ଏକ୍ୟୁଆଇ ସ୍ତର ୩୫୦ ଅତିକ୍ରମ କରିଛି । ୩୮ଟି ମନିଟରିଂ ଷ୍ଟେସନ ମଧ୍ୟରୁ ୩୪ଟି ରେଡ୍ ଜୋନ୍ ପ୍ରଦୂଷଣ ସ୍ତରରେ ରହିଛି । ଦୀପାବଳି ରାତିରୁ ବଢିବାରେ ଲାଗିଛି ପ୍ରଦୂଷଣ । ଏହି ସ୍ତର ଅନେକଙ୍କ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିପାରେ ।
ଦିଲ୍ଲୀ ବାୟୁରେ ବିଷ ! ଦୀପାବଳିରେ, ସୁପ୍ରିମକୋର୍ଟ ଦିଲ୍ଲୀ-ଏନସିଆରରେ ସବୁଜ ବାଣ ଫୁଟାଇବାକୁ ଅନୁମତି ଦେଇଥିଲେ । ଦୀପାବଳି ପରେ ସକାଳେ ପ୍ରଦୂଷଣ ସ୍ତର ବୃଦ୍ଧି ପାଇବାର ଆଶଙ୍କା ଥିଲା, ଏବଂ ଠିକ୍ ତାହା ହିଁ ହେଲା । କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅନୁଯାୟୀ, ବାୟୁ ଗୁଣବତ୍ତା "ଗମ୍ଭୀର" ବର୍ଗରେ ରହିଛି । ଦ୍ୱାରକାରେ ଏକ୍ୟୁଆଇ ୪୧୭, ଅଶୋକ ବିହାରରେ ୪୯୩, ୱାଜିରପୁରରେ ୪୨୩ ଏବଂ ଆନନ୍ଦ ବିହାରରେ ୪୫୩ ରେକର୍ଡ ହୋଇଛି । ଦିଲ୍ଲୀରେ ବାୟୁ ଗୁଣବତ୍ତା ସୂଚକାଙ୍କ ୫୩୧ରେ ପହଞ୍ଚିଛି । ତାହା ସୂଚଉଛି ଯେ ବାୟୁ କେତେ ବିଷାକ୍ତ ହୋଇ ସାରିଛି ।
୪୦୦ରୁ ଅଧିକ ଏକ୍ୟୁଆଇକୁ 'ଗମ୍ଭୀର' ବୋଲି ବିବେଚନା କରାଯାଏ । ସ୍ୱାସ୍ଥ୍ୟ ବିଶେଷଜ୍ଞ ପିଲା, ବୟସ୍କଙ୍କୁ ବିଶେଷ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛନ୍ତି । ଦୀପାବଳିରେ ଦିଲ୍ଲୀ ଧୂଆଁ-ଧୂଆଁ ହୋଇଥିଲା । ୩୦ଟି ପର୍ଯ୍ୟବେକ୍ଷଣ କେନ୍ଦ୍ର ଏକ୍ୟୁଆଇ କୁ "ଅତି ଖରାପ" ବର୍ଗରେ ରିପୋର୍ଟ କରିଛି ଯାହାର ସ୍ତର ୩୦୦ ଉପରେ ରହିଛି । ଅନେକ ଅଞ୍ଚଳ ରେଡ୍ ଜୋନ୍ରେ ରହିଛି ।