ଭୁବନେଶ୍ୱର,୨୨/୦୯: ଭାରି  ଚତୁର ଓ ତେଜିଆନ । ଇସାରା  ବୁଝିବାରେ ଉସ୍ତାଦ । ସେଥିପାଇଁ  ବର୍ଷେ କି ଦୁଇବର୍ଷ ନୁହେଁ, ୧୪ବର୍ଷ  ହେଲାଣି ଦିଲ୍ଲୀ ପରେଡ୍‌ ମାଟିରେ କମାଲ  ଦେଖାଉଛି । ତାର କୌଶଳ ଦେଖି ସେନା  ଅଧିକାରୀମାନେ ବି ତାଜୁବ । କୌଣସି  ବ୍ୟକ୍ତିବିଶେଷ କିମ୍ବା ସେନା କର୍ମଚାରୀ  ନୁହନ୍ତି ବରଂ ସେନା ଦ୍ୱାରା ନିଯୁକ୍ତ ହୋଇଥିବା ଘୋଡା ଟାର୍ଜନର ବିଷୟରେ  ଆମେ କହୁଛୁ ।

ଓୟୁଏଟି ପ୍ରାଣୀଚିକିତ୍ସା  ମହାବିଦ୍ୟାଳୟ ପରିସରରେ ଥିବା  ୧(ଓ) ଆର୍‌ଆଣ୍ଡ୍‌ଭି ସ୍କ୍ୱାର୍ଡନ ଏନସିସି କାର୍ଯ୍ୟାଳୟର ଗେହ୍ଲାପୁଅ ହେଉଛି ଟାର୍ଜନ । କଳା ଓ ଧୂଷର  ରଙ୍ଗର ଏହି ଘୋଡ଼ାକୁ ଚଳିତବର୍ଷ ଗଣତନ୍ତ୍ର ଦିବସ ଅବସରରେ ଭାରତୀୟ ସେନା ପକ୍ଷରୁ ସମ୍ମାନଜନକ ‘ଡିଜି  ଏନସିସି କମଣ୍ଡେସନ୍‌ କାର୍ଡ’ ସମ୍ମାନ ମିଳିଛି । ସେଥିପାଇଁ  ଏବେ ଏନସିସି କାର୍ଯ୍ୟାଳୟରେ ଖୁସିର ଲହରୀ ଖେଳିଯାଇଛି ।

୨୦୧୪ ମସିହାରେ (ଓ) ଆର୍‌ଆଣ୍ଡ୍‌ଭି ସ୍କ୍ୱାର୍ଡନ  ଏନସିସି କାର୍ଯ୍ୟାଳୟକୁ ଭାରତୀୟ ସେନା ପକ୍ଷରୁ ଟାର୍ଜନକୁ  ଦିଆଯାଇଥିଲା। ଏନ୍‌ସିସି ପ୍ରଶିକ୍ଷାର୍ଥୀଙ୍କୁ ପ୍ରଶିକ୍ଷଣ ନିମନ୍ତେ ଘୋଡାକୁ ପ୍ରସ୍ତୁତ କରାଯାଇଥିଲା । ଦୀର୍ଘ ୧୧ବର୍ଷ ଧରି ଟାର୍ଜନ  ପିଠିରେ ବସି ଶତାଧିକ ଏନ୍‌ସିସି ପ୍ରଶିକ୍ଷାର୍ଥୀ ପ୍ରଶିକ୍ଷଣ ନେଇଆସୁଛନ୍ତି । ତେବେ ଆସିବା ଦିନଠୁ ଲଗାତାର ଭାବେ  ଟାର୍ଜନ ଦିଲ୍ଲୀ ଯାଇ ଗଣତନ୍ତ୍ର ଦିବସ ପରେଡ୍‌ରେ ଭାଗ  ନେଇଆସୁଛି । ଇତିମଧ୍ୟରେ ତାର୍ଜନ ୬ଟି ସ୍ୱର୍ଣ୍ଣ, ୫ଟି ରୌପ୍ୟ,  ୪ଟି କାଂସ୍ୟ ପଦକ ହାସଲ କରିଛି । ଏଥିସହ ଗୋଟିଏ  ଡିଜିଆରଭିଏସ ଟ୍ରଫି ଓ ଗୋଟିଏ ଶ୍ରେଷ୍ଠ ଆରୋହୀ ବାଳିକା  ଟ୍ରଫି ଟାର୍ଜନ ନାଁରେ ରହିଛି । ଏତେସବୁ ସଫଳତା ଦେଖି  ଏନସିସି କଟକର ଗ୍ରୁପ କମାଣ୍ଡର କର୍ଣ୍ଣେଲ ସତ୍ୟବ୍ରତ ସ୍ୱାଇଁଙ୍କ  ନେତୃତ୍ୱରେ ଟାର୍ଜନକୁ ଚଳିତବର୍ଷ ମଧ୍ୟ ଦିଲ୍ଲୀ ପଠାଯାଇଥିଲା ।  

ସବୁଥର ଭଳି ଟାର୍ଜନ ଦିଲ୍ଲୀ ପରେଡ୍‌ରେ ପରାକାଷ୍ଠା ଦେଖାଇ  ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା । କାର୍ଯ୍ୟକ୍ରମରେ ଉପସ୍ଥିତ  ଏନସିସିର ମହାନିର୍ଦ୍ଦେଶକ ଲେଫ୍ଟନାଣ୍ଟ ଜେନେରାଲ  ଗୁରୁକ୍ରିପାଲ ସିଂ ଟାର୍ଜନର ରେକର୍ଡ ବିଷୟରେ ଜାଣି ଖୁସି  ଜାହିର କରିଥିଲେ । ଏଥିସହ ପ୍ରଥମ ଥର ପାଇଁ ଟାର୍ଜନକୁ  ଡିଜି ଏନସିସି କମଣ୍ଡେସନ୍‌ କାର୍ଡ ପ୍ରଦାନ କରିଥିଲେ । ଟାର୍ଜନ  ଏକମାତ୍ର ଘୋଡ଼ା ଭାବେ ଭାରତରେ ଥିବା ୨୫ଟି ଆର୍‌ଆଣ୍ଡ୍‌ଭି  ସ୍କ୍ୱାର୍ଡନ ମଧ୍ୟରେ ଏହି ସମ୍ମାନଜନକ ପୁରସ୍କାର ପାଇଥିବା  ସ୍କ୍ୱାର୍ଡନର କମାଣ୍ଡିଂ ଅଧିକାରୀ କର୍ଣ୍ଣେଲ ପି ଦୀନାଦୟାଲନ୍‌  କହିଛନ୍ତି । ଏହା ମଧ୍ୟ ଓଡ଼ିଶା ପାଇଁ ଗର୍ବର ବିଷୟ ।  

ପ୍ରକାଶ ଥାଉକି, ଦୀର୍ଘ ୫୭ ବର୍ଷ ହେଲାଣି ଓୟୁଏଟି  ପଡ଼ିଆରେ ଏନସିସି ବିଦ୍ୟାର୍ଥୀଙ୍କୁ ଘୋଡ଼ା ପ୍ରଶିକ୍ଷଣ ଦିଆଯାଉଛି ।  ଏଠାରେ ମୋଟ ୧୧ଟି ଘୋଡ଼ା ଅଛନ୍ତି । ସେମାନଙ୍କ ମଧ୍ୟରେ  ଟାର୍ଜନ ହେଉଛି ସାହସୀ ଓ ଚତୁର ଘୋଡ଼ା । ଏହି ୟୁନିଟ  ଭାରତୀୟ ସେନାର ଜଣେ ଲେଫ୍ଟନାଣ୍ଟ ଜେନେରାଲଙ୍କ  ସମେତ ୩୩ଜଣ ସେନା ଅଧିକାରୀଙ୍କୁ ତିଆରି କରିଛି ।