ମାଲକାନଗିରି, ୨୬/୯(ଆପ୍ର): ସବସିଡ଼ ଲୋନ କରିଦେବା ନାମରେ ଲକ୍ଷାଧିକ ଟଙ୍କା ଠକାଇ ଅଭିଯୋଗରେ ମହିଳା ବ୍ୟାଙ୍କ ମିତ୍ରଙ୍କୁ ମୋଟୁ ଜେଏମସି କୋର୍ଟ ପକ୍ଷରୁ ତିନିବର୍ଷ କରାଦଣ୍ଡ ସହିତ ୫୦ ହଜାର ଟଙ୍କା ଜରିମାନା ଆଦେଶ ହୋଇଛି।
ସୂଚନା ଅନୁଯାଇ ମାଲକାନଗିରି ଜିଲ୍ଲା ମୋଟୁସ୍ଥ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କରେ ବ୍ୟାଙ୍କ ମିତ୍ର ଭାବେ କାର୍ଯ୍ୟ କରୁଥିବା ଶ୍ରୀମତୀ ଶାରଳା ମଣ୍ଡଳ ନାମକ ଜଣେ ମହିଳା ଏମଭି ୭୯, ମୋଟୁ, ଅଞ୍ଚଳର ଅନେକ ଲୋକଙ୍କୁ ସବସିଡ ଲୋନ କରାଇଦେଵା ପାଇଁ ୨୦୨୪ ମସିହାରେ ଲକ୍ଷାଧିକ ଟଙ୍କା ଠକି ନେଇଥିଲେ। ଏ ସମ୍ପର୍କରେ ଥାନାରେ ଅଭିଯୋଗ ହେବାରୁ ଉକ୍ତ ମହିଳା ଫେରାର ହୋଇଯାଇଥିଲେ। ତେବେ ତାଙ୍କୁ ପୋଲିସ ଆନ୍ଧ୍ରପ୍ରଦେଶରୁ ଗିରଫ କରି କୋର୍ଟ ପଠାଇଥିଲେ।
ଶୁକ୍ରବାର ସେହି କେସର ଶୁଣାଣି ମୋଟୁ ଜେଏମସି କୋର୍ଟରେ ଥିଲା। ମୋଟୁ ଜେଏମସି ଜଜ ଅଂଶୁମାନ ଦାଶ ସାଖୀ ପ୍ରମାଣକୁ ଆଧାର କରି ବ୍ୟାଙ୍କ ମିତ୍ର ମହିଳା ଶାରଳା ମଣ୍ଡଳଙ୍କୁ ତିନି ବର୍ଷ ସଶ୍ରମ କାରାଦଣ୍ଡ ସହିତ ୫୦ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି। ଜରିମାନା ଅନାଦେୟ ହେଲେ ଅଧିକ ତିନିମାସ କାରାଦଣ୍ଡରେ ଦଣ୍ଡିତ ହେବେ ବୋଲି ନିର୍ଦେଶ ରହିଛି। ଏହି କେସଟିକୁ ସରକାରୀ ଓକିଲ ତାପସ କୁମାର ନାଥ ପରିଚାଳନା କରିଥିଲେ।