ନୂଆଦିଲ୍ଲୀ: ଗାଜିଆବାଦର ଖୋଡା ପୋଲିସ ବିହାରର ପାଟନାରୁ ଭୋଜପୁରୀ ଅଭିନେତା ତଥା IPL ଭାଷ୍ୟକାର ଏବଂ ଲକ୍ଷ ଲକ୍ଷ ଅନୁଗାମୀ ଥିବା YouTuber ମଣି ମେରାଜଙ୍କୁ ଗିରଫ କରିଛି। ଗତ ସେପ୍ଟେମ୍ବର ୧୮ ତାରିଖରେ ତାଙ୍କର ଜଣେ ସାଥୀ YouTuber ଦ୍ୱାରା ଅଭିଯୋଗ ଦାୟର ହେବା ପରେ ପୋଲିସ ପକ୍ଷରୁ ଏହି ଗିରଫଦାରୀ କରାଯାଇଥିଲା। ଯେଉଁଥିରେ ତାଙ୍କ ଉପରେ ଦୁଷ୍କର୍ମ, ବଳପୂର୍ବକ ଧର୍ମାନ୍ତରୀକରଣ, ଗର୍ଭପାତ ଏବଂ ଠକେଇ ବଲି ସଂଙ୍ଗୀନ ଅଭିଯୋଗ ରହିଛି। ସ୍ଥାନିୟ ଥାନାରୁ ଟ୍ରାଞ୍ଜିଟ୍ ରିମାଣ୍ଡ ପାଇବା ପରେ ପୋଲିସ ଅଭିଯୁକ୍ତକୁ ଗାଜିଆବାଦକୁ ଆଣିଥିଲା।
ପୋଲିସ ତଦନ୍ତରୁ ଜଣାପଡିଛି ଯେ, ମଣି ମେରାଜ ପୂର୍ବରୁ କମେଡି ଭିଡିଓ ମାଧ୍ୟମରେ ସୋସିଆଲ ମିଡିଆରେ ଲୋକପ୍ରିୟତା ହାସଲ କରିଥିଲେ। ଏହା ପୂର୍ବରୁ ସେ ଜଣେ କଂସେଇ ଭାବରେ କାମ କରୁଥିଲେ। ତେବେ କମେଡି ଭିଡିଓ କରି ସେ ଫେମସ ହେବାପରେ ସେ ତାଙ୍କର ସାମାଜିକ ଗଣମାଧ୍ୟମରେ ଲକ୍ଷ ଲକ୍ଷ ଅନୁଗାମୀଙ୍କୁ ଆକୃଷ୍ଟ କରିଥିଲେ। ଏହି ସଫଳତା ପରେ, ସେ ଭୋଜପୁରୀ ଚଳଚ୍ଚିତ୍ରରେ ମଦ୍ୟ ଅଭିନୟ କରିଥିଲେ। ନିକଟରେ ତାଙ୍କର ଏକ ସିନେମା ମଧ୍ୟ ମୁକ୍ତିଲାଭ କରିଥିଲା। ସେ Jio TV ପାଇଁ ଭୋଜପୁରୀରେ IPL ମ୍ୟାଚର ଭାଷ୍ୟକାର ଭାବେ ମଧ୍ୟ କରୁଥିଲେ।
ତାଙ୍କ ଉପରେ ଅଭିଯୋଗ କରିଥିବା ମହିଳା ୟୁଟ୍ୟୁବର ଜଣକ କହିଛନ୍ତି ଯେ, ମଣି ମେରାଜ ପ୍ରଥମେ ତାଙ୍କୁ ମିଥ୍ୟା ପରିଚୟ ଦେଇ ବନ୍ଧୁତା କରିଥିଲେ। ପରେ ତାଙ୍କୁ ନିଶା ଦେଇ ଶାରୀରିକ ସମ୍ପର୍କ ରଖିଥିଲେ। ଏକଥା ସମ୍ପର୍କରେ ସେ ତାଙ୍କୁ ଜଣାଇବା ପରେ ମଧ୍ୟ, ମେରାଜ ବିବାହ ବାହାନା ଦେଖାଇ ବାରମ୍ବାର ତାଙ୍କ ସହ ଦୁଷ୍କର୍ମ କରିଚାଲିଥିଲେ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ଅଭିଯୁକ୍ତ ମେରାଜ ତାଙ୍କୁ ଅପ୍ରାକୃତିକ ଯୌନ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲେ। ଏହାସହ ସେ ତାଙ୍କୁ ଧର୍ମ ପରିବର୍ତ୍ତନ କରିବାକୁ ଚାପ ପକାଇବା ସହ ଗର୍ଭପାତ କରିବାକୁ ମଧ୍ୟ ବାଧ୍ୟ କରିଥିଲେ। ତାଙ୍କ ଅନୁଯାୟୀ, ଅଭିଯୁକ୍ତ ଏବଂ ତାଙ୍କ ପରିବାର ତାଙ୍କୁ ଗୋମାଂସ ଖାଇବା ଏବଂ କଲମା ପାଠ କରିବାକୁ ମଧ୍ୟ ଚାପ ପକାଇଥିଲେ।
ଏହି ନିର୍ଯାତନା ଗତ ତିନି ବର୍ଷ ଧରି ଜାରି ରହିଛି ବୋଲି ମହିଳା ଜଣଙ୍କ ଅଭିଯୋଗ ଆଣିଛନ୍ତି। ଏହାସହ ଅଭିଯୁକ୍ତ ମେରାଜ ତାଙ୍କଠୁ ଲାକ୍ଷାଧିକ ଟଙ୍କା ଠକିନେଇଛନ୍ତି ବୋଲି ମଧ୍ୟ ସେ ଅଭିଯୋଗ କରିଛନ୍ତି।
ଏନେଇ ହିନ୍ଦୁ ରକ୍ଷା ଦଳ ନେତା ପିଙ୍କି ଚୌଧୁରୀ କହିଛନ୍ତି ଯେ, "ତାଙ୍କ ବିରୁଦ୍ଧରେ ଏକ ମାମଲା ରୁଜୁ କରାଯାଇଛି। ଆମର ଭଉଣୀ ଏବଂ ଝିଅମାନଙ୍କୁ ନ୍ୟାୟ ପାଇବା ପାଇଁ ଆମେ ଏପରି ଲୋକଙ୍କ ବିରୁଦ୍ଧରେ ଆମର ଲଢ଼େଇ ଜାରି ରଖିବୁ। ଆମର ଭଉଣୀ ଏବେ ଅନ୍ୟ ଯୁବତୀମାନଙ୍କୁ ଲଭ୍ ଜିହାଦ ବିଷୟରେ ସଚେତନ କରିବା ପାଇଁ କାମ କରିବେ। ଯଦି ଜଣେ ଝିଅ ଅନ୍ୟ କାହାର ଆଚରଣରେ ପ୍ରଭାବିତ ହୁଏ, ତେବେ ତାଙ୍କୁ କ୍ଷମା କରି ଦିଆଯିବା ଉଚିତ। କ'ଣ ଠିକ୍ ଏବଂ କ'ଣ ଭୁଲ ତାହା ଶିଖାଇବା ଉଚିତ, ଯାହା ଦ୍ୱାରା ଅନ୍ୟମାନେ ସମାନ ଫାଶରେ ପଡ଼ିବାରୁ ରକ୍ଷା ପାଇପାରିବେ।"
ଗିରଫଦାରୀକୁ ନିଶ୍ଚିତ କରି ଇନ୍ଦିରାପୁରମର ଏସିପି ଅଭିଷେକ ଶ୍ରୀବାସ୍ତବ କହିଛନ୍ତି ଯେ, "ଖୋଡା ପୋଲିସ ଦଳ ଦ୍ୱାରା ବିସ୍ତୃତ ତଦନ୍ତ ପରେ, ଅଭିଯୁକ୍ତକୁ ପାଟନାରୁ ଗିରଫ କରାଯାଇଛି। ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଚାଲିଛି।" ମାମଲାରେ ଯାଞ୍ଚ କରିବା ପାଇଁ ଗାଜିଆବାଦ ପୋଲିସ ବର୍ତ୍ତମାନ ଅଭିଯୁକ୍ତଙ୍କୁ ପଚରାଉଚରା କରୁଛି।