ନୂଆଦିଲ୍ଲୀ ୦୧/୦୨: ମଧ୍ୟ ଚୀନ୍‌ରେ ଜଣେ ମହିଳାଙ୍କୁ ତାଙ୍କ ପ୍ରତାରକ ସ୍ୱାମୀଙ୍କୁ କ୍ଷମା ମାଗିବାକୁ କୋର୍ଟ ଆଦେଶ ଦେଇଛନ୍ତି । କାରଣ ସେ ସ୍ୱାମୀଙ୍କ ପ୍ରତାରଣାର ଏକ ବ୍ୟଙ୍ଗାତ୍ମକ କାହାଣୀ ସୋସିଆଲ ମିଡିଆରେ ପୋଷ୍ଟ୍ କରିଥିଲେ । ଏହା ବିରୋଧରେ ସ୍ୱାମୀ କୋର୍ଟର ଦ୍ୱାରସ୍ଥ ହେଲେ ଏବଂ ଦାବି କଲେ ଯେ ଏହା ଦ୍ୱାରା ତାଙ୍କର ସମ୍ମାନ ହାନି ହୋଇଛି ।

ହେନାନ ପ୍ରାନ୍ତ ବାସିନ୍ଦା ନିଉଙ୍କ ଅନୁସାରେ, ତାଙ୍କ ବିବାହକୁ ୧୦ ବର୍ଷ ପୂରିଛି । ତାଙ୍କର ଗୋଟିଏ ଝିଅ ବି ଅଛି । ସ୍ୱାମୀ ଗାଓ ଫିଙ୍କର ଜଣେ ବିବାହିତା ସହକର୍ମୀଙ୍କ ସହ ପ୍ରେମ ସମ୍ପର୍କ ରହିଛି । ୫ ବର୍ଷ ହେଲା ସେମାନଙ୍କର ପ୍ରେମ ସମ୍ପର୍କ ଚାଲିଛି । ପ୍ରେମିକା ପାଇଁ ଗାଓ ସୁନା ଗହଣା ଓ ପ୍ରସାଧନ ସାମଗ୍ରୀ କିଣିବାରେ ପରିବାରର ସଂଯୁକ୍ତ ସମ୍ପତ୍ତିର ଉପଯୋଗ କରିଛନ୍ତି । ଏ ବିଷୟରେ ଜାଣିବା ପରେ ନିଉ ରାଗରେ ଗାଓଙ୍କ ଆଫେୟାରକୁ ସୋସିଆଲ ମିଡିଆ ପୋଷ୍ଟ୍ ଜରିଆରେ ଭାଇରାଲ କରିଦେଲେ । ଗାଓ ଏ ନେଇ ନିଉଙ୍କ ବିରୋଧରେ ମାନହାନି ମକଦ୍ଦମା କଲେ । ମାମଲାର ଶୁଣାଣିରେ କୋର୍ଟ ରାୟ ଦେଲେ, ବ୍ୟକ୍ତିଗତ ନୈତିକ ତ୍ରୁଟି ଆଧାରରେ ଅନ୍ୟର ଅଧିକାରକୁ ଉଲ୍ଲଂଘନ କରିବା ଅନୁଚିତ୍ । ତେଣୁ ନିଉଙ୍କୁ ଲଗାତାର ୧୫ ଦିନ ଯାଏ ସାର୍ବଜନୀନ ରୂପେ ଗାଓଙ୍କୁ କ୍ଷମା ପ୍ରାର୍ଥନା କରିବାକୁ ପଡ଼ିବ ।

ଆହୁରି ପଢ଼ନ୍ତୁ...ହଲିଉଡ୍ ଅଭିନେତ୍ରୀଙ୍କ ଗଳାରେ ତାଜମହଲ ହାର; ମୂଲ୍ୟ ୭୪ କୋଟି, ଭାରତରୁ ଚୋରି ହୋଇଥିବା ଦାବି

ଏଥିସହିତ କ୍ଷମା ମାଗିବାର ଭିଡିଓ କରି କୋର୍ଟରେ ମଧ୍ୟ ଜମା କରିବାକୁ ହେବ ବୋଲି କୋର୍ଟ ନିର୍ଦ୍ଦେଶ ଦେଲେ । ଚୀନ୍‌ରେ ମାନହାନି ଅପରାଧରେ ନାଗରିକ ଦାୟିତ୍ୱ ନିହିତ, ଯେଉଁଥିରେ କ୍ଷମା ମାଗିବା, ହାନିକାରକ କାର୍ଯ୍ୟକୁ ରୋକିବା ଓ କ୍ଷତିପୂରଣ ଦେବା ସାମିଲ । ଗତ ୧୨ ଜାନୁଆରୀରୁ ନିଉ ପ୍ରତିଦିନ ସୋସିଆଲ ମିଡିଆରେ ଗାଓଙ୍କୁ କ୍ଷମା ପ୍ରାର୍ଥନା କରିବାର ଭିଡିଓ ପୋଷ୍ଟ୍ କରୁଛନ୍ତି । ଭିଡିଓରେ ସେ କହୁଛନ୍ତି, ମୁଁ କ୍ରୋଧରେ ଥିବାରୁ ତୁମକୁ ଅପମାନିତ କରିବାର ଭୁଲ ନିଷ୍ପତ୍ତି ନେଲି । ଏହାକୁ ନେଇ ମୁଁ ଦୁଃଖିତ । ତୁମେ ଓ ତୁମ ପ୍ରେମିକା ପ୍ରକୃତ ପ୍ରେମରେ ଅଛ । ତୁମର ଗମ୍ଭୀର ନୈତିକ ତ୍ରୁଟି ସତ୍ତେ୍ୱ ତୁମର ବ୍ୟକ୍ତିଗତ ଅଧିକାର ଓ ପ୍ରତିଷ୍ଠା ସମ୍ମାନ ପାଇଁ ଯୋଗ୍ୟ ।