ଧଉଳି, ୧୭/୦୫ (ବିଭୂତି ପ୍ରଧାନ) : ମୃତଦେହ ନାହିଁ କି ଶବ ନାହିଁ କିନ୍ତୁ ଏଠାରେ ଚାଲିଛି ଶବ ସତ୍କାର। କୋକେଇରେ ବିନା ମୃତଦେହରେ ମଶାଣୀକୁ ଗଲାବେଳେ ଶୁଭୁଛି ରାମ ରାମ ସତ୍ୟ ହେ, ହରି ରାମ ସତ୍ୟ ହେ। ଝିଣ୍ଟି ପଞ୍ଚାୟତ ଅଧୀନ ଝିଣ୍ଟି ପାଟଣା ଗ୍ରାମର ସଞ୍ଜୟ ବେହେରା ଓ ବିଜୟ ବେହେରାଙ୍କ ପିତା ଶିବ ବେହେରା ୧୯୯୯ ମସିହାରେ ଘର ଛାଡି କେଉଁଆଡେ ପଳାଇ ଯାଇଥିଲେ। ଆଉ ଘରକୁ ଫେରି ନଥିଲେ। ପରିବାର ଲୋକଙ୍କ ସମେତ ବନ୍ଧୁବାନ୍ଧବ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ଶିବଙ୍କୁ ନପାଇ ନିରାଶ ହୋଇଥିଲେ। ଏପଟେ ପତିଙ୍କ ଫେରିବା ବାଟକୁ ଚାହିଁ ବସିଥିଲେ ପତ୍ନୀ ବ୍ରାହ୍ମଣୀ ବେହେରା। ହେଲେ ଦୀର୍ଘ ୨୫ ବର୍ଷ ବିତିଯାଇଥିଲେ ବି ଶିବ ଆଉ ଘରକୁ ଫେରି ନଥିଲେ।
ଶେଷରେ ୨୫ ବର୍ଷ ଧରି ଶିବ ନଫେରିବାରୁ ପରିବାର ଲୋକେ ଅନେକ ପଣ୍ଡିତଙ୍କ ସହିତ ସାକ୍ଷାତ କରିଥିଲେ। ଶେଷରେ ପୁରୀ ମୁକ୍ତି ମଣ୍ଡପର ପଣ୍ଡିତଙ୍କ ପରାମର୍ଶକ୍ରମେ ଶିବଙ୍କ ଶବ ସତ୍କାର କରିବା ପାଇଁ ପରିବାର ତରଫରୁ ଏପରି ଆୟୋଜନ କରାଯାଇଥିଲା।
ଆଜି ସକାଳେ ବନ୍ଧୁବାନ୍ଧବ, ସାହିପଡିସାଙ୍କ ସହ ପରିବାର ଲୋକଙ୍କ ଉପସ୍ଥିତିରେ ବାଉଁଶରେ କୋକେଇ ବନ୍ଧା ଯାଇଥିଲା। ପଳାସ କାଠରେ କୁଶପୁତ୍ତଳିକା ତିଆରି କରି ଶିବଙ୍କ ଫଟୋ ଲଗାଇବା ସହିତ ରାମ ରାମ ସତ୍ୟ ହେ, ହରି ରାମ ସତ୍ୟ ହେ ପକାଇ ଜାତିଭାଇ କାନ୍ଧରେ କୋକେଇ ନେଇ ଗ୍ରାମ ମଶାଣିରେ ହିନ୍ଧୁ ରୀତିନୀତି ଅନୁଯାୟୀ ଶିବଙ୍କ ଅନ୍ତିମ ସଂସ୍କାର କରାଯାଇଥିଲା। ଏପଟେ ପତିଙ୍କର ଅନ୍ତିମ ସଂସ୍କାର ପାଇଁ ସଜବାଜ ଚାଲିଥିବା ବେଳେ ଘରେ ପତ୍ନୀ ବ୍ରାହ୍ମଣୀ ବାହୁନି ବାହୁନି କାନ୍ଦୁଥିବା ବେଳେ ପରିବାର ଲୋକଙ୍କ କାନ୍ଦଣାରେ ଫଟି ପଡିଥିଲା ଘର।