ପ୍ରମୂଖ ଖବର
  • ଅରବିନ୍ଦ କେଜ୍‌ରିଓ୍ବାଲ୍‌ଙ୍କୁ ଆଶ୍ୱସ୍ତି , ଅନ୍ତରୀଣ ଜାମିନ ପ୍ରଦାନ କଲେ ସୁପ୍ରମିକୋର୍ଟ
  • ||
  • ହେରାପଞ୍ଚମୀରେ ଆଧ୍ୟାତ୍ମିକ ପରିବେଶ: ନନ୍ଦିଘୋଷ ଭାଙ୍ଗିଲେ ମହାଲକ୍ଷ୍ମୀ, ଆଜ୍ଞାମାଳ ପାଇ ଶ୍ରୀମନ୍ଦିରକୁ ବାହୁଡ଼ିଲେ
  • ||
  • ପିଠିରେ ଯନ୍ତ୍ରଣା ଯୋଗୁଁ ଏମ୍ସରେ ଭର୍ତ୍ତି ହେଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ
  • ||
  • ଦିଲ୍ଲୀ ମଦନୀତି ସହ ମନି ଲଣ୍ଡରିଂ ମାମଲା, କେଜ୍‌ରିୱାଲଙ୍କ ପିଟିସନ ଉପରେ ସୁପ୍ରିମକୋର୍ଟରେ ଶୁଣାଣି
  • ||
  • ଆଗ ପଛ ହୋଇ ଆସିପାରେ ଦୁଇଟି ଲଘୁଚାପ: ୧୩ରୁ ବଢ଼ିବ ବର୍ଷା, ଦକ୍ଷିଣରେ ପ୍ରବଳ ଛେଚିବ
  • ||

୭ ରାଜ୍ୟର ୧୦ ରାଜ୍ୟସଭା ଆସନରେ ଉପ-ନିର୍ବାଚନ, ରାଜ୍ୟସଭାରେ NDAର ବଢ଼ିବ ଶକ୍ତି

ନୂଆଦିଲ୍ଲୀ,୧୪/୦୬: ଲୋକସଭା ନିର୍ବାଚନ ପରେ ୭ ରାଜ୍ୟରେ୧୦ ରାଜ୍ୟସଭା  ଆସନ ଖାଲିପଡ଼ିଛି । ରାଜ୍ୟସଭା ସାଂସଦ ଲୋକସଭା ନିର୍ବାଚନ ଲଢ଼ି ବିଜୟୀ ହେବା ପରେ ଏବେ ଖାଲିପଡ଼ିଥିବା ଏହି ରାଜ୍ୟସଭା ଆସନଗୁଡ଼ିକରେ ନିର୍ବାଚନ ହେବା ଲାଗି ନିର୍ବାଚନ କମିଶନ ବିଜ୍ଞପ୍ତି ଜାରି କରିଛନ୍ତି । ରାଜ୍ୟସଭାରେ ବିଜେପି ନେତୃତ୍ୱାଧୀନ  ଏନ୍‌ଡିଏ ଅଧିକ ଶକ୍ତିଶାଳୀ ହେବା ସମ୍ଭାବନା  ରହିଛି । ୭ ଆସନ ଥିବା ରାଜ୍ୟରେ ଏବେ  ବିଜେପି ସରକାର ଥିବାବେଳେ ଦୁଇଟିରେ  କଂଗ୍ରେସ ଏବଂ ଗୋଟିଏରେ ରାଷ୍ଟ୍ରୀୟ ଜନତା  ଦଳ(ଆର୍‌ଏଲ୍‌ଡି) ରହିଛି । 

ଆସାମ, ବିହାର  ଏବଂ ମହାରାଷ୍ଟ୍ରରେ ଦୁଇଟି ଲେଖାଏଁ ଏବଂ  ହରିୟାଣା, ମଧ୍ୟପ୍ରଦେଶ, ରାଜସ୍ଥାନ ଓ ତ୍ରିପୁରାରେ ଗୋଟିଏ ଲେଖାଏଁ ରାଜ୍ୟସଭା  ଆସନ ଖାଲି ରହିଛି । ବିଜେପିର ରାଜ୍ୟସଭା  ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଥିବା ସର୍ବାନନ୍ଦ ସୋନୋୱାଲ(ଆସାମ), ଜ୍ୟୋତିରାଦିତ୍ୟ  ସିନ୍ଧିଆ(ମଧ୍ୟପ୍ରଦେଶ) ଏବଂ ପିୟୂଷ ଗୋୟଲ(ମହାରାଷ୍ଟ୍ର) ଏବେ ନିମ୍ନସଦନ  ବା ଲୋକସଭାକୁ ନିର୍ବାଚିତ ହୋଇଛନ୍ତି ।  ହରିୟାଣା, ମହାରାଷ୍ଟ୍ରରେ ଏନ୍‌ଡିଏ  ଏବଂ ବିରୋଧୀଙ୍କ ଇଣ୍ଡିଆ ମେଣ୍ଟ ଭିତରେ  ଲଢ଼େଇ ଦେଖିବାକୁ ମିଳିପାରେ । କିନ୍ତୁ  ବାକି ୫ ରାଜ୍ୟରେ ବିଜେପି ସହଜରେ  ରାଜ୍ୟସଭା ଆସନଗୁଡ଼ିକରେ ଜିତିଯିବାର  ଯଥେଷ୍ଟ ସମ୍ଭାବନା ରହିଛି । ଆସାମ ସମେତ  ତ୍ରିପୁରା, ମଧ୍ୟପ୍ରଦେଶ ଏବଂ ରାଜସ୍ଥାନରେ  ବିଜେପି ବିଧାୟକଙ୍କ ସଂଖ୍ୟା ଅଧିକ ରହିଛି ।  

ବିହାରରେ ଉଭୟ ବିଜେପି ଏବଂ ଆର୍‌ଏଲ୍‌ଡି  ଗୋଟିଏ ଲେଖାଏ ସିଟ୍‌ ନେଇପାରିବେ । ଏବେ ହରିୟାଣାରେ ମୋଟ ୮୭ ବିଧାୟକ  ରହିଛନ୍ତି । ସେମାନଙ୍କ ମଧ୍ୟରେ ବିଜେପିର  ୪୧ ବିଧାୟକ ଥିବାବେଳେ କଂଗ୍ରେସର  ୨୯ ବିଧାୟକ ରହିଛନ୍ତି । ଏଠାରେ ଦୁଷ୍ୟନ୍ତ  ଚୌତାଲାଙ୍କ ଜେଜେପି ପାଖରେ ୧୦  ବିଧାୟକ ଥିବାବେଳେ ୫ ସ୍ୱାଧୀନ ବିଧାୟକ  ଏବଂ ଏବଂ ଆଇଏନ୍‌ଏଲ୍‌ଡିର ଗୋଟିଏ ଓ  ଏଚ୍‌ଏଲ୍‌ପିର ଜଣେ ବିଧାୟକ ରହିଛନ୍ତି ।  ଯଦି ସ୍ୱାଧୀନ ବିଧାୟକ ନୟନ ପାଲ୍‌ ରାୱତ  ଏବଂ ଏଚ୍‌ଏଲ୍‌ପି ବିଧାୟକ ଗୋପାଳ କାନ୍ଦାଙ୍କ  ସମର୍ଥନକୁ ମିଶାଯାଏ ତେବେ ହରିୟାଣାରେ  ବିଜେପିର କ୍ଷମତା ୪୩ ହୋଇଯିବ । ଜେଜେପି  ସମେତ ୩ ସ୍ୱାଧୀନ ବିଧାୟକ କଂଗ୍ରେସକୁ  ସମର୍ଥନ କରୁଛନ୍ତି । ତେଣୁ କଂଗ୍ରେସ ଓ  ବିଜେପି ମଧ୍ୟରେ ହରିୟାଣାରେ ମୁକାବିଲା  ଦେଖିବାକୁ ମିଳିବ । ତେବେ ଜେଜେପିର ୬  ବିଧାୟକ କଂଗ୍ରେସ ପ୍ରତି ଅସନ୍ତୁଷ୍ଟ ଥିବାରୁ ଏହା  କଂଗ୍ରେସର ଅଡ଼ୁଆ ବଢ଼ାଇପାରେ । 

ଅନ୍ୟପକ୍ଷରେ କେନ୍ଦ୍ର କ୍ୟାବିନେଟ  ମନ୍ତ୍ରୀପଦ ନ ମିଳିବାକୁ ନେଇ ମହାରାଷ୍ଟ୍ରରେ  ଏକନାଥ ସିନ୍ଦେଙ୍କ ଶିବସେନା ଏବଂ ଅଜିତ  ପାୱାରଙ୍କ ଏନ୍‌ସିପି ଭିତରେ ସବୁକିଛି ଠିକ୍‌  ଥିବା ଭଳି ମନେ ହେଉନାହିଁ । ଅଜିତଙ୍କ  ଏନ୍‌ସିପିକୁ ଗୋଟିଏ ରାଷ୍ଟ୍ରମନ୍ତ୍ରୀ ପଦ ଯଚା  ଯାଇଥିଲେ ହେଁ ଅଜିତ ମନା କରିଥିଲେ ।  ସେହିପରି ୭ ଲୋକସଭା ଆସନ ଜିତିବା  ସତ୍ତେ୍ୱ ଶିବସେନାକୁ କ୍ୟାବିନେଟ ମନ୍ତ୍ରୀ  ପଦ ମିଳି ନ ଥିବାରୁ ଅସନ୍ତୋଷ ରହିଛି ।  ମହାରାଷ୍ଟ୍ରରେ ଇଣ୍ଡିଆ ମେଣ୍ଟରେ କଂଗ୍ରେସ  ସମେତ ଶରଦ ପାୱାରଙ୍କ ଏନ୍‌ସିପି ଏବଂ  ଉଦ୍ଧବ ଠାକ୍‌ରେଙ୍କ ଶିବସେନା ରହିଛି ।  ତେଣୁ ମହାରାଷ୍ଟ୍ରରେ କଂଗ୍ରେସ ବିଜେପିକୁ  ଅସୁବିଧାରେ ପକାଇପାରେ ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.