ପ୍ରମୂଖ ଖବର
  • କେନ୍ଦୁଝର : ଚୋରା କାଠ ଚାଲାଣ ବେଳେ ମାଡ଼ି ବସିଲା ବନ ବିଭାଗ, ୭ ଟ୍ରିପରୁ ଉର୍ଦ୍ଧ୍ଵ କାଠ ଜବତ
  • ||
  • ଯାଜପୁର : ଶୌଚ ହେବାକୁ ଯାଇ କେନାଲରେ ଭାସିଗଲେ ନାବାଳକ
  • ||
  • ଭୁବନେଶ୍ଵର : ୨୭ରେ ବସିବ ନୀତି ଆୟୋଗ ବୈଠକ, ଯୋଗଦେବେ ମୁଖ୍ୟମନ୍ତ୍ରୀ
  • ||

ରଜ ମଉଜକୁ ଫିକା କରିଦେବ ଗୁଳୁଗୁଳି, ଆସନ୍ତା ୨ ଦିନ ଯାଏ ତାତିରୁ ନାହିଁ ନିସ୍ତାର

ଭୁବନେଶ୍ୱର,୧୪/୦୬: ଅଚାନକ ବର୍ଷା ହେବାରୁ ଲୋକେ ସାମାନ୍ୟ  ଆଶ୍ୱସ୍ତ ଅନୁଭବ କରିଥିଲେ । ରଜ ୩ଦିନ ଥଣ୍ଡାରେ ବିତିଯିବ ବୋଲି ସମସ୍ତେ ଆଶା ରଖିଥିଲେ ।ରଜ ମଉଜକୁ ଫିକା କରିଦେବ ଗୁଳୁଗୁଳି। ଆଗାମୀ ୨ଦିନ ଭୁବନେଶ୍ୱରରେ ଗରମ ଲାଗିରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

ରଜ ମଉଜରେ ବାଧା ଦେବ ତାତି  ପ୍ରକୋପ । ଜାରି ରହିବ ଗ୍ରୀଷ୍ମ ପ୍ରବାହ  ଓ ଗୁଳୁଗୁଳି । ଗରମରେ ନାକେଦମ ହେବେ ଲୋକେ । ଦକ୍ଷିଣ ଓଡ଼ିଶାରେ  କିଛି ପରିମାଣରେ ଆଶ୍ୱସ୍ତି ଆଣିପାରେ  ଘଡ଼ଘଡ଼ି ସହ ବର୍ଷା ।  

କୃଷି ପାଣିପାଗ ବିଶାରଦ ଡକ୍ଟର  ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି,  ପଶ୍ଚିମ ଓଡ଼ିଶାରେ ୧୬ ଯାଏଁ, ଉତ୍ତର  ଆଭ୍ୟନ୍ତରୀଣରେ ୧୭ ପର୍ଯ୍ୟନ୍ତ ଓ  ଉପକୂଳରେ ୧୮ ପର୍ଯ୍ୟନ୍ତ ସର୍ବାଧିକ  ତାପମାତ୍ରା ୪୦ ଡିଗ୍ରୀ ଉପରେ  ରହିପାରେ । ୧୮ ତାରିଖ ପରେ  ଉପକୂଳ ଓ ଉତ୍ତର ଓଡ଼ିଶାରେ ପାରଦ  ୩୨ ଡିଗ୍ରୀରୁ କିଛି ଅଧିକ ରହିପାରେ ।  

ଦକ୍ଷିଣ ଆଭ୍ୟନ୍ତରୀଣରେ ପାରଦ ୩୦  ଡିଗ୍ରୀ ତଳକୁ ଖସିପାରେ । ଆସନ୍ତା ୪ ଦିନ ପର୍ଯ୍ୟନ୍ତ  ରାଜ୍ୟର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି  ସହ ପ୍ରାକ ମୌସୁମୀ ବର୍ଷା ହେବ ।  ବିଶେଷ କରି ଦକ୍ଷିଣ  ଆଭ୍ୟନ୍ତରୀଣ ଓ ଛତିଶଗଡ଼ ସୀମାନ୍ତ ଜିଲ୍ଲାରେ ବର୍ଷା ସମ୍ଭାବନା  ଅଧିକ । ୧୮ରୁ ରାଜ୍ୟକୁ ଉତ୍ତର-ପଶ୍ଚିମା ପବନ ବଦଳରେ ଦକ୍ଷିଣ- ପଶ୍ଚିମରୁ ପବନ ବହିପାରେ । ୧୫ ତାରିଖରେ କୋରାପୁଟ, ୧୬ରେ  ବଲାଙ୍ଗୀର ଓ ୧୯ରେ ବାଲେଶ୍ୱର ଓ ମୟୂରଭଞ୍ଜରେ ମଧ୍ୟମ  ଧରଣର ବର୍ଷା ସମ୍ଭାବନା ଅଛି ।    

୧୬ରୁ ୧୮ ତାରିଖ ଭିତରେ ରାଜ୍ୟରେ ମୌସୁମୀ  ବର୍ଷା ସମ୍ଭାବନା ଅଛି । ପ୍ରାଥମିକ ଭାବେ ଏହା ଦୁର୍ବଳ ରହିବ ।  କେନ୍ଦ୍ରାପଡ଼ାରୁ ପୁରୀ ଯାଏଁ ଉପକୂଳ ଓ ସଂଲଗ୍ନ ଜିଲ୍ଲାରେ ସବୁଠାରୁ  କମ୍‌ ବର୍ଷା ହେବ । ଦକ୍ଷିଣ ଆଭ୍ୟନ୍ତରୀଣରେ ସବୁଠାରୁ ଅଧିକ  ବର୍ଷା ହେବ । ୨୨ରୁ ମୌସୁମୀ ଅଧିକ ସକ୍ରିୟ ହେବା ସହ ଚତୁର୍ଥ  ସପ୍ତାହରେ ଭାରି ବର୍ଷା ହୋଇପାରେ । ୨୦ ତାରିଖ ପୂର୍ବରୁ ଖାଲ  ଜମିରେ ଧାନ ସିଧା ବୁଣା, ମଧ୍ୟମ କିସମ ଜମିରେ ତଳି ଘେରା  ଓ ଢିପ ଜମିରେ ଅଣଧାନ ଫସଲ ବୁଣାବୁଣି କରିବାକୁ ଡ.  ପଶୁପାଳକ ପରାମର୍ଶ ଦେଇଛନ୍ତି ।    

ଗୁରୁବାର ରାଜ୍ୟରେ ଭୀଷଣ ଗରମ ଲାଗି ରହିଥିଲା ।  ରାଜ୍ୟର ୧୯ଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ୍‌ ଉପରେ  ଥିଲା । ଝାରସୁଗୁଡ଼ାରେ ସର୍ବାଧିକ ୪୩.୪ ଡିଗ୍ରୀ, ନୂଆପଡ଼ାରେ  ୪୩, ସମ୍ବଲପୁରରେ ୪୨.୮, ବୌଦ୍ଧରେ ୪୨, ବଲାଙ୍ଗୀରରେ  ୪୨.୪, ହୀରାକୁଦରେ ୪୨.୧ ଡିଗ୍ରୀ ସେଲସିୟସ୍‌ ଥିଲା ତାପମାତ୍ରା ।  ଉପକୂଳ ଓଡ଼ିଶାର ବାଲେଶ୍ୱର ଓ ଭୁବନେଶ୍ୱର ୪୦.୨ ଡିଗ୍ରୀ  ଛୁଇଁଥିବାବେଳେ ଆର୍ଦ୍ରତା ପରିମାଣ ୬୦-୭୦% ଥିଲା । ତେଣୁ  ଗୁଳୁଗୁଳି ଅସ୍ତବ୍ୟସ୍ତ କରି ପକାଉଥିଲା ।    

ପାଣିପାଗ ବିଭାଗ କହିଛି, ଦକ୍ଷିଣ-ପଶ୍ଚିମ ମୌସୁମୀ ଅଗ୍ରସର  ହେବାକୁ ପାଗ ଏବେ ଅନୁକୂଳ ରହିଛି । ୩-୪ ଦିନ ଭିତରେ  ମୌସୁମୀ ଆଗେଇବ । ହେଲେ ରାଜ୍ୟରେ ୧୬ ତାରିଖ ଯାଏଁ ଗ୍ରୀଷ୍ମ  ଲହରୀ ଅନୁଭୂତ ହେବ ବିଭିନ୍ନ ଜିଲ୍ଲାରେ । ଉପକୂଳରେ ଗରମ ଓ  ଗୁଳୁଗୁଳି ନାକେଦମ କରିବ । ଶୁକ୍ରବାର, ଶନିବାର ଓ ରବିବାର ଦକ୍ଷିଣ  ଓଡ଼ିଶାରେ ହାଲୁକାରୁ ମଧ୍ୟମ ବର୍ଷା ହୋଇପାରେ ଘଡ଼ଘଡ଼ି ସହ ।    

ଶୁକ୍ରବାର କେନ୍ଦୁଝର, ମୟୂରଭଞ୍ଜ, ଝାରସୁଗୁଡ଼ା,  ସମ୍ବଲପୁର, ସୁନ୍ଦରଗଡ଼, ବୌଦ୍ଧ, ସୋନପୁର ଓ ବରଗଡ଼ରେ  ଗ୍ରୀଷ୍ମ ଲହରୀ ଅନୁଭୂତ ହେବ । ଯଦିଓ ଆସନ୍ତା ୧୬ ତାରିଖରୁ  ରାଜ୍ୟରେ ଗ୍ରୀଷ୍ମ ଲହରୀ ସ୍ଥିତି ରହିବନି, ତଥାପି ୧୭ ତାରିଖ  ଯାଏଁ କଟକ ଓ ଭୁବନେଶ୍ୱର ସମେତ ଉପକୂଳ ଓଡ଼ିଶାରେ ଗରମ  ସହ ଗୁଳୁଗୁଳି ଯନ୍ତ୍ରଣା ଜାରି ରହିବ । ବର୍ତ୍ତମାନ ସବୁଦିନ ବିଭିନ୍ନ  ସ୍ଥାନରେ କାଳବୈଶାଖୀ ସମ୍ଭାବନା ଅଛି । ଯେଉଁଠି କାଳବୈଶାଖୀ  ହେବ, ସେଠାରେ ତାତି ପ୍ରକୋପ କମିବ ।

ସୋଆ ପାଣିପାଗ ଓ ଜଳବାୟୁ କେନ୍ଦ୍ରର  ନିର୍ଦ୍ଦେଶକ ଶରତ ଚନ୍ଦ୍ର ସାହୁ କହିଛନ୍ତି, ଗୁରୁବାର ରାତିରେ ଯେଉଁ ବର୍ଷା  ହୋଇଛି, ତାହା ସାଧାରଣ ଘଡ଼ଘଡ଼ି ବର୍ଷା । ଏହା ମୌସୁମୀ ଜନିତ ବର୍ଷା  ନୁହେଁ । ରଜରେ ବି ବର୍ଷା ହେବାର କୌଣସି ସମ୍ଭାବନା ନାହିଁ । ତେଣୁ ଖରା  ଓ ଗୁଳୁଗୁଳିରେ ପର୍ବ ବିତିବ ବୋଲି ସେ କହିଛନ୍ତି।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.