କଟକ, ୧୧।୪: ଜନ୍ମ ହେବା ପରେ ଯାହାକୁ ନିଜ ଜନ୍ମକଲା ମା’ ରାସ୍ତା କଡ଼ରେ ଫିଙ୍ଗି ଦେଇ ଚାଲିଯାଇଥିଲା । ସେଇ କଅଁଳ ହୃଦୟରେ ଥିଲା ୯ ଏମଏମର କଣା । ଅନାଥ ଶିଶୁକନ୍ୟାର ଭାଗ୍ୟ ଏବେ ସମ୍ପୂର୍ଣ୍ଣ ବଦଳିବାକୁ ଯାଉଛି । ଅନ୍ଧକାରମୟ ଭବିଷ୍ୟତରୁ ବାହାରି ଏହି କୁନି ଝିଅଟି ଏବେ ଇଟାଲୀୟ ଦମ୍ପତିଙ୍କ କୋଳକୁ ଯାଇଛି । ଆଗକୁ ସେ ହେବାକୁ ଯାଉଛନ୍ତି ଜଣେ ଇଟାଲୀୟ ନାଗରିକ । କଟକର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର 'ବସୁନ୍ଧରା' ଓ ଜିଲ୍ଲା ପ୍ରଶାସନର ସହଯୋଗରେ ଏହି ଅସମ୍ଭବ କାର୍ଯ୍ୟ ସମ୍ଭବ ହୋଇପାରିଛି ।

ଏହା ବି ପଢ଼ନ୍ତୁ... ୨୦୨୭ ଜାନୁଆରୀ ଯାଏଁ ବଢିଲା ମହାନଦୀ ଟ୍ରିବ୍ୟୁନାଲ ଅବଧି

ରାସ୍ତା କଡ଼ରୁ ଆରମ୍ଭ ହୋଇଥିଲା ଜୀବନ ସଂଗ୍ରାମ:

ସୂଚନାନୁଯାୟୀ, ୨୦୨୪ ଅଗଷ୍ଟ ୧୪ ତାରିଖ ଦିନ ଜଗତପୁର ଗୋଲେଇ ଛକ ନିକଟସ୍ଥ ଏକ ପରିତ୍ୟକ୍ତ ସ୍ଥାନରେ ଏହି ନବଜାତ ଶିଶୁକନ୍ୟାଟି ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । କଟକ ଶିଶୁ ମଙ୍ଗଳ କମିଟି (CWC) ର ନିର୍ଦ୍ଦେଶକ୍ରମେ ଶିଶୁଟିକୁ ଉଦ୍ଧାର କରାଯାଇ 'ବସୁନ୍ଧରା' ଅନୁଷ୍ଠାନରେ ଥଇଥାନ କରାଯାଇଥିଲା । ପ୍ରାଥମିକ ଚିକିତ୍ସା ସମୟରେ ଜଣାପଡ଼ିଥିଲା ଯେ, ଶିଶୁଟିର ହୃଦୟରେ ୯ ଏମଏମର ଏକ କଣା ରହିଛି । ଡାକ୍ତରୀ ଭାଷାରେ ଏହାକୁ 'ଭେଣ୍ଟ୍ରିକ୍ୟୁଲାର ସେପ୍ଟାଲ ଡିଫେକ୍ଟ' (Ventricular Septal Defect) କୁହାଯାଏ । ଶିଶୁ ଭବନ ଓ ଏସସିବି ମେଡିକାଲରେ ତାର ନିୟମିତ ଚିକିତ୍ସା କରାଯିବା ଫଳରେ ଏହି କଣା ଏବେ ୬ ଏମଏମକୁ ହ୍ରାସ ପାଇଛି । ଦେଢ଼ ବର୍ଷର ଏହି ଶିଶୁଟି ଖୁବ୍ ଶୀଘ୍ର ସମ୍ପୂର୍ଣ୍ଣ ସୁସ୍ଥ ହେବ ବୋଲି ଡାକ୍ତର ଆଶା ପ୍ରକାଶ କରିଛନ୍ତି ।

ଶିଶୁଟିକୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିବାକୁ କୌଣସି ଭାରତୀୟ ଅଭିଭାବକ ଆଗକୁ ଆସିନଥିବା ବେଳେ, 'କାରା' ମାଧ୍ୟମରେ ଇଟାଲୀୟ ଦମ୍ପତି ସାଣ୍ଡ୍ରୋ ପୋଲୋ ଓ ଫ୍ରାନ୍ସିସ୍କା ପେରସନ୍ ପୋଲୋ ଆଗ୍ରହ ପ୍ରକାଶ କରିଥିଲେ । ଫ୍ରାନ୍ସିସ୍କା ଇଟାଲୀର ଏକ ବିଶ୍ୱବିଦ୍ୟାଳୟରେ ଶିକ୍ଷା ବିଭାଗର ପ୍ରଫେସର । ସାଣ୍ଡ୍ରୋ ଏକ ଶରଣାର୍ଥୀ ଶିବିରରେ ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ । ଏକ ଅସୁସ୍ଥ ଶିଶୁକୁ ନିଜର କରି ଏହି ବିଦେଶୀ ଦମ୍ପତି ସମାଜ ପାଇଁ ଏକ ବଡ଼ ଉଦାହରଣ ସୃଷ୍ଟି କରିଛନ୍ତି ।

ଗତକାଲି କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଦେଙ୍କ ଉପସ୍ଥିତିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଶିଶୁଟିକୁ ଆନୁଷ୍ଠାନିକ ଭାବେ ଇଟାଲୀୟ ଦମ୍ପତିଙ୍କୁ ହସ୍ତାନ୍ତର କରାଯାଇଥିଲା । ଏହି ସମୟରେ ବସୁନ୍ଧରାର କର୍ମକର୍ତ୍ତା ଓ ଉପସ୍ଥିତ ସଦସ୍ୟଙ୍କ ମଧ୍ୟରେ ଏକ ଆବେଗପୂର୍ଣ୍ଣ ପରିବେଶ ସୃଷ୍ଟି ହୋଇଥିଲା । ଦୀର୍ଘ ଦିନ ଧରି ବସୁନ୍ଧରାରେ ରହି ସମସ୍ତଙ୍କ ପ୍ରିୟ ପାଲଟିଥିବା ଏହି କୁନି ଝିଅଟିକୁ ବିଦାୟ ଦେବା ବେଳେ ଅନେକଙ୍କ ଆଖି ପଲ୍ଲବ ଭିଜି ଯାଇଥିଲା । ଏବେ ସେହି କୁନି ଝିଅଟି ତାର ନୂଆ ପରିବାର ସହ ଇଟାଲୀ ଯାତ୍ରା କରିବ । ସେଠାରେ ଉନ୍ନତ ଚିକିତ୍ସା ଓ ପ୍ରେମଭରା ପରିବେଶ ମଧ୍ୟରେ ସେ ଏକ ନୂତନ ଜୀବନ ଆରମ୍ଭ କରିବ ବୋଲି ଆଶା କରାଯାଉଛି ।