ବାଙ୍ଗିରିପୋଷି,୩/୪ : ମାଛ ନେଲା ଜୀବନ । ମାଛ ଧରୁଥିବାବେଳେ ପାଟି ଭିତରକୁ ହଠାତ ପଶିଗଲା ମାଛ । ଫଳରେ ଯୁବକଙ୍କ ମୃତ୍ୟୁ ଘଟିଛି । ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅଞ୍ଚଳରେ ।
ସୂଚନା ଅନୁସାରେ, ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ଦିଘି ଗ୍ରାମର ଅବିନାଶ ବିଜୁଳି ଅପରାହ୍ନ ପ୍ରାୟ ୨ଟା ସମୟରେ ଗାଁ ପୋଖରୀରୁ ମାଛ ଧରିବା ସମୟରେ ତାଙ୍କ ପାଟିରେ ଦୁଇ ପଟ କତିରେ କଣ୍ଟା ଥିବା ଏକ କଉ ମାଛ ପଶି ଯାଇଥିଲା। ଫଳରେ ସେ ଶ୍ୱାସରୁଦ୍ଧ ହୋଇ ଗୁରୁତର ହୋଇଗଲେ। ପରିବାର ଲୋକେ ତୁରନ୍ତ ବାଙ୍ଗିରିପୋଷି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ତେବେ ସେଠାରେ କାର୍ଯ୍ୟରତ ଡାକ୍ତର ତୁଷାର ରଞ୍ଜନ ବେହେରାଙ୍କୁ ଚିକିତ୍ସା ପାଇଁ ଅନୁରୋଧ କଲେ କିନ୍ତୁ ସେ ସେମାନଙ୍କ କଥା ଶୁଣିଲେ ନାହିଁ। ଫଳରେ ଡାକ୍ତରଙ୍କ ଅବହେଳା ଯୋଗୁଁ ଅବିନାଶଙ୍କ ମୃତ୍ୟୁ ହେଲା ବୋଲି ପ୍ରଫୁଲ୍ଲ କୁମାର ବିଜୁଳି ବାଙ୍ଗିରିପୋଷି ଥାନାରେ ଅଭିଯୋଗ କରିଛନ୍ତି ।
ଏ ନେଇ ବାଙ୍ଗିରିପୋଷି ଥାନା ଅଧିକାରୀ ପଞ୍ଚାନନ ମହାନ୍ତିଙ୍କ ନିର୍ଦେଶକ୍ରମେ ଥାନାରେ କେଶ୍ ନଂ ୮୩/୨୬ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରଖିବା ସହ ମୃତଦେହକୁ ବ୍ୟବଛେଦ ପାଇଁ ବାରିପଦା ପିଆରଏମ ମେଡିକାଲକୁ ପଠାଯାଇଛି।