ଗଜପତି, ୯।୧୧ : ଗଜପତି ଜିଲ୍ଲା ପାରଳାଖେମୁଣ୍ଡିର ଜଣେ ପ୍ରତିଷ୍ଠିତ ଓକିଲଙ୍କ ଉପରକୁ ଏସିଡ୍ ମାଡ। ଏଥିରେ ଓକିଲ ଜଣକ ଗୁରୁତର ହୋଇଛନ୍ତି ।ଗୁରୁତର ଓକିଲ ଜଣକ ହେଲେ ପାରଳାଖେମୁଣ୍ଡି ବାର୍ର ବରିଷ୍ଠ ଓକିଲ ପି. ରାମରାଓ ।
ପାରଳାଖେମୁଣ୍ଡି ବାର୍ର ବରିଷ୍ଠ ଓକିଲ ପି. ରାମରାଓ ଆଜି ଅପରାହ୍ନରେ ଜଙ୍ଗମ ସାହି ସ୍ଥିତ ନିଜ ବାସ ଭାବନରେ ରହିଥିଲେ। ଏହି ସମୟରେ କେହି ଦୁଇଜଣ ଦୁର୍ବୁତ୍ତ ବାଇକରେ ଆସି ରାମରାଓଙ୍କ କବାଟ ବାଡେଇ ଡାକିଥିଲେ। ଓକିଲ ଜଣକ କବାଟ ଖୋଲି ଦେଖିବା ସମୟରେ ହଠାତ କେହି ଜଣେ ଗ୍ଲାସରେ ଏସିଡ୍ ଧରି ତାଙ୍କ ଉପରକୁ ଫୋପାଡ଼ି ଥିଲା । ଏହାପରେ ଓକିଲଙ୍କ ଦେହ ସାରା ଜଳିଯିବା ସହ ମୁହଁରେ ଅଧିକାଂଶ ଜାଗାରେ ଏସିଡ୍ ପଡି କ୍ଷତ ବିକ୍ଷତ ହୋଇଛି। ତାଙ୍କୁ ସେଠାରୁ ପଡୋଶୀ ଏବଂ ସହଯୋଗୀ ଓକିଲଙ୍କ ଦ୍ବାରା ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା । ସେଠାରେ ପ୍ରାଥମିକ ଚିକିତ୍ସା ପରେ ଆଖିରେ ଏସିଡ୍ ପଡିଯାଇଥିବା ଯୋଗୁଁ ଗୁରୁତର ଅବସ୍ଥାରେ ତାଙ୍କୁ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଛି ।
ସେପଟେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ଯେହେତୁ ଓକିଲ ରାମରାଓ ବର୍ତ୍ତମାନ କୌଣସି ସୂଚନା ଦେବା ପରିସ୍ଥିତିରେ ନାହାନ୍ତି । ତେଣୁ ପୋଲିସ ଆଖପାଖରେ ଥିବା ସିସି ଟିଭି ଫୁଟେଜ ଓ ଘଟଣା ଘଟିବା ସମୟରେ ପାରଳାଖେମୁଣ୍ଡି ସହରର ଜଙ୍ଗମ ସାହି ଭିତରେ କିଏ ଚଳ ପ୍ରଚଳ କରୁଥିଲେ ସେହି ସମସ୍ତ ତଥ୍ୟକୁ ଅନୁସନ୍ଧାନ କରୁଛି। ଯେ ହେତୁ ଏସିଡ୍ ମାଡ ଘଟଣା ପାରଳାଖେମୁଣ୍ଡି ସହରରେ ପ୍ରଥମ ଥର ପାଇଁ ହୋଇଛି ତେଣୁ ପୋଲିସ ଏହାକୁ ଗୁରୁତର ସହ ନେଇ ତଦନ୍ତ ଆରମ୍ଭ କରୁଛି ବୋଲି ଥାନା ଅଧିକାରୀ ପ୍ରଶାନ୍ତ ଭୂପତି ସୂଚନା ଦେଇଛନ୍ତି। ଏହି ମାମଲାରେ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଯତୀନ୍ଦ୍ର ପଣ୍ଡା। ଏହି ମାମଲାର ସ୍ବତନ୍ତ୍ର ତଦନ୍ତ ପାଇଁ ପାରଳାଖେମୁଣ୍ଡି ଥାନା ଅଧିକାରୀ ଙ୍କ ନେତୃତ୍ବରେ ଏକ ସ୍ବତନ୍ତ୍ର ଟିମ୍ ଗଠନ କରି ତଦନ୍ତ ଆରମ୍ଭ କରିଛନ୍ତି । କିଛି ସିସି ଟିଭି ଫୁଟେଜ ହସ୍ତଗତ ହୋଇଥିବା ଏସ୍ ପି ସୂଚନା ଦେଇଛନ୍ତି । ବର୍ତ୍ତମାନ ସି ସି ଟିଭି ଫୁଟେଜକୁ ଆଧାର କରି ଯଥାଶୀଘ୍ର ଆସାମୀକୁ ଧରାଯିବ ବୋଲି ଏସ ପି ସୂଚନା ଦେଇଛନ୍ତି।
ତେବେ ବର୍ତ୍ତମାନ ସୁଦ୍ଧା ଏସିଡ୍ ପକାଇବା ପଛର କାରଣ ଅସ୍ପଷ୍ଟ ରହିଛି। ସେପଟେ କିଏ ଏହିଭଳି ଜଘନ୍ୟ କାଣ୍ଡ କରିଛି ତାହାର କୌଣସି ପରିଚୟ ବର୍ତ୍ତମାନ ସୁଦ୍ଧା ମିଳି ପାରିନାହିଁ। ଏଭଳି କାର୍ଯ୍ୟକୁ ପାରଳାଖେମୁଣ୍ଡି ଓକିଲ ସଂଘ ଦୃଡ଼ ନିନ୍ଦା କରିବା ସହ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରି ଦୋଷୀଙ୍କ ବିରୋଧରେ ଦୃଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି । ଦୋଷୀଙ୍କୁ ଗିରଫ କରିବା ପରେ ଆଗାମୀ ଦିନରେ ଦୋଷୀଙ୍କ ଜାମିନ ଆବେଦନ କୌଣସି ମତେ କରାଇଦିଆଯିବ ନାହିଁ ବୋଲି ଓକିଲ ସଂଘ ନିଷ୍ପତ୍ତି ନେଇଛନ୍ତି।