ନୂଆଦିଲ୍ଲୀ: ସାଙ୍ଗମାନଙ୍କ ସହ ଧୁମ୍ଧାମରେ ଜନ୍ମଦିନ ପାଳିଲେ। କେକ୍ କାଟି ଉତ୍ସବ ମନାଇଲେ। ହେଲେ ମାତ୍ର ଅଳ୍ପି କିଛି ସମୟ ପରେ ଜନ୍ମଦିନ ହେଲା ମରଣଦିନ। ହଷ୍ଟେଲ୍ ଛାତରୁ ଖସିପଡ଼ି ଚାଲିଗଲା ଛାତ୍ରଙ୍କ ଜୀବନ। ବେଙ୍ଗାଲୁରୁ ଇନିଷ୍ଟିଟ୍ୟୁଟ ଅଫ ମ୍ୟନେଜମେଣ୍ଟ(ଆଇଆଇଏମ) କଲେଜର ହଷ୍ଟେଲ ଛାତରୁ ଖସିପଡ଼ି ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇଛି। ମୃତ ଛାତ୍ର ଜଣଙ୍କକ ନାଁ କୈଳାସଭାଇ ପଟେଲ।
ମିଳିଥିବା ସୂଚନା ଅନୁସାରେ, କୈଳାଶଭାଇ ପଟେଲ ଜାନୁଆରୀ ୪ ତାରିଖ ଶନିବାର, ମଧ୍ୟରାତ୍ରିରେ ନିଜର ୨୯ ତମ ଜନ୍ମଦିନ ପାଳନ କରି ସାଙ୍ଗମାନଙ୍କ ସହ ରୁମକୁ ଫେରିଥିଲେ। ତେବେ ପରଦିନ ସକାଳ ୬.୩୦ ମିନିଟରେ ତାଙ୍କ ମୃତଶରୀର ହଷ୍ଟେଲର କୋର୍ଟୟାର୍ଡରେ ପଡ଼ିଥିବା ଦେଖିବାକୁ ମିଳିଥିଲା ବୋଲି ପୋଲିସ କହିଛି।
ମ୍ୟାନେଜମେଣ୍ଟ ବିଭାଗରେ ସ୍ନାତ୍ତକୋତ୍ତର କରୁଥିବା ପଟେଲ ନିଜ ଜନ୍ମଦୀନ ସାରି ରୁମକୁ ଫେରୁଥିବା ବେଳେ, ହଷ୍ଟେଲର ଦ୍ୱିତୀୟ ମହଲା ବାଲକୋନିରୁ ଦୁର୍ଘଟଣା ବଶତଃ ଖସିଯାଇ ପାରିଥାନ୍ତି। ତେବେ ପୋଷ୍ଟମର୍ଟମ ରିପୋର୍ଟ ଆସିଲେ ପ୍ରକୃତ ଘଟଣା କ’ଣ ଜଣାପଡ଼ିବ ବୋଲି ପୋଲିସ ସୁଚନା ଦେଇଛି।
କଲେଜର ଜଣେ ସୁରକ୍ଷାକର୍ମୀ ପ୍ରଥମେ ପଟେଲଙ୍କୁ ତଳେ ପଡିଥିବାର ଦେଖିଥିଲେ। ସେ ସାଙ୍ଗେସାଙ୍ଗେ କଲେଜ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରି ପଟେଲଙ୍କୁ ଡାକ୍ତରଖାନା ନେଇଯାଇଥିଲେ। ହେଲେ ଦୁର୍ଭାଗ୍ୟ ବଶତଃ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣାରେ ପୋଲିସ ନିଜଆଡୁ ଅପ୍ରାକୃତିକ ମୃତ୍ୟୁ ନେଇ ଏକ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ ଜାରି ରଖିଛି।