କେନ୍ଦ୍ରାପଡ଼ା/ମହାକାଳପଡ଼ା,୧୨/୧୧: ନୂଆଦିଲ୍ଲୀରେ ସୋମବାର ରାତିରେ ଭୟାବହ ବିସ୍ଫୋରଣ ପରେ ସାରା ଭାରତୀୟଙ୍କ ମଧ୍ୟରେ ଛନକା ପଶିଛି । ୧୦/୧୧ ମୁମ୍ବାଇ ଆକ୍ରମଣ ଦିନରେ ଏହି ଆକ୍ରମଣ ହୋଇଥିବା ଯୋଗୁଁ ସମୁଦ୍ରପଥରେ କଡ଼ାକଡ଼ି ଯାଞ୍ଚ୍ ଆରମ୍ଭ ହୋଇଛି । ଉପକୂଳ କେନ୍ଦ୍ରାପଡ଼ା ଜିଲ୍ଲାରେ ତଟରକ୍ଷୀ ବାହିନୀ, ସାମୁଦ୍ରିକ ଥାନା ପୁଲିସ ଓ ମତ୍ସ୍ୟ ବିଭାଗ ପକ୍ଷରୁ ପୂରା ଘଟଣା ଉପରେ ତୀକ୍ଷ୍ମ ନଜର ରଖାଯାଇଛି । ଘଟଣାକୁ ଗୁରୁତ୍ୱର ସହ ନେଇ ଏବେ ପୁଲିସ ପଦକ୍ଷେପ ନେଇଛି । ଜିଲ୍ଲାରେ ସମୁଦ୍ର କୂଳକୁ ଲାଗିଥିବା ପଞ୍ଚାୟତଗୁଡ଼ିକରେ ଜମ୍ବୁ, ତନ୍ତିଆପାଳ ଓ ତାଳଚୁଆ ସାମୁଦ୍ରିକ ଥାନା ପକ୍ଷରୁ ୨୪ ଘଣ୍ଟିଆ ସମୁଦ୍ର ମଧ୍ୟରେ ପାଟ୍ରୋଲିଂ ଆରମ୍ଭ ହୋଇଛି । ମତ୍ସ୍ୟଜୀବୀମାନଙ୍କୁ ନିଜର ପ୍ରକୃତ ପରିଚୟପତ୍ର ସମୁଦ୍ରକୁ ଗଲା ବେଳେ ସାଙ୍ଗରେ ନେଇଯିବାକୁ କୁହାଯାଇଛି । ଏଥିସହ ସମୁଦ୍ର ମଝିରେ ମାଛ ଧରୁଥିବା ବୋଟ୍ଗୁଡ଼ିକର ଯାଞ୍ଚ୍ ଆରମ୍ଭ ହୋଇଛି । ସମୁଦ୍ର ଉପକୂଳରୁ ଆସୁଥିବା ଚାରି ଚକିଆ ଓ ଦୁଇ ଚକିଆ ଗାଡ଼ିଗୁଡ଼ିକ ସାମୁଦ୍ରିକ ଥାନା ତରଫରୁ ଯାଞ୍ଚ୍ କରାଯାଉଛି ।
ଏଥିସହ ଯଦି ସମୁଦ୍ର ଉପକୂଳବର୍ତ୍ତୀ ଗାଁଗୁଡ଼ିକୁ ଯାଉଥିବା ଗାଡ଼ିଗୁଡ଼ିକୁ ତନଖି କରାଯାଉଛି । କୌଣସି ସନ୍ଦିଗ୍ଧ ବ୍ୟକ୍ତି ନଜରକୁ ଆସିଲେ ତୁରନ୍ତ ପୁଲିସକୁ ଖବର ଦେବା ପାଇଁ ସ୍ଥାନୀୟ ବାସିନ୍ଦାଙ୍କୁ କୁହାଯାଇଛି । ଅନ୍ୟପକ୍ଷେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରେ ରାଜ୍ୟ ତଥା ଦେଶ ବାହାରର ଲୋକ ସ୍ଥାନୀୟ ବାସିନ୍ଦାର ପରିଚୟ ନେଇ ରହିବା ଏବେ ପୁଲିସ ପାଇଁ ଆହ୍ୱାନ ସୃଷ୍ଟି କରିଛି । ମହାକାଳପଡ଼ା ତହସିଲରେ ସରପଞ୍ଚଙ୍କ ସୁପାରିସ ଆଧାରରେ ବିଗତ ୨୦ରୁ ୩୦ ବର୍ଷ ଭିତରେ କେତେଜଣ ବ୍ୟକ୍ତି ବାସସ୍ଥାନ ପ୍ରମାଣପତ୍ର ପାଇଛନ୍ତି ଓ ଏହାକୁ ଆବେଦନ କଲାବେଳେ ସେମାନଙ୍କ ବୟସ ପ୍ରକୃତରେ କେତେ ଥିଲା ଯଦି କେନ୍ଦ୍ର ସରକାରଙ୍କ ଗୃହ ବିଭାଗ ଏହାକୁ ତଦନ୍ତ କରେ ଏହାର ପ୍ରକୃତ ରହସ୍ୟ ପଦାକୁ ଆସିପାରିବ । କାରଣ ଯେଉଁମାନେ ବ୍ଲକ୍ର ମୂଳବାସିନ୍ଦା ସେମାନଙ୍କ ପୂର୍ବ ପିଢ଼ି ଅନୁଯାୟୀ ପ୍ରମାଣପତ୍ର ହାତେଇ ଚାଲିଛନ୍ତି ଏବଂ ସେମାନଙ୍କର ସରପଞ୍ଚଙ୍କ ସୁପାରିସ ଦରକାର ପଡ଼େନାହିଁ । ଯେଉଁ ବ୍ୟକ୍ତିମାନେ ରାଜ୍ୟ ଅବା ଦେଶ ବାହାରୁ ଆସୁଛନ୍ତି ସେମାନେ ନାଁ ବଦଳାଇ ମହାକାଳପଡ଼ା ଅଞ୍ଚଳରେ ରହୁଛନ୍ତି । ମହାକାଳପଡ଼ା ଅଞ୍ଚଳର ପ୍ରାୟ ୧୫ଟି ପଞ୍ଚାୟତ ଓ ରାଜନଗର ବ୍ଲକ୍ର ୧୦ଟି ପଞ୍ଚାୟତରେ ପ୍ରାୟ ୧୫ ହଜାରରୁ ଊଦ୍ଧ୍ୱର୍ ବିଭିନ୍ନ ବର୍ଗର ବ୍ୟକ୍ତି ସରପଞ୍ଚଙ୍କ ସୁପାରିସ ଆଧାରରେ ବାସସ୍ଥାନ ପ୍ରମାଣପତ୍ର ହାତେଇଥିବା ଅସମର୍ôଥତ ସୂତ୍ରରୂ ସୂଚନା ମିଳିଛି । ୯୦ ଦଶକ ପରଠାରୁ ଏମାନଙ୍କ ସଂଖ୍ୟା କ୍ରମେ ବଢ଼ି ବଢ଼ି ଚାଲିଛି । ସେମାନେ ପ୍ରକୃତରେ ଭାରତୀୟ ନା କିମ୍ବା ରାଜ୍ୟ ବାହାରର ଅଧିବାସୀ କିମ୍ବା ବାହାର ଲୋକ ତାହା ତଦନ୍ତସାପେକ୍ଷ । କେନ୍ଦ୍ରାପଡ଼ା ଅତିରିକ୍ତ ଜିଲ୍ଲାପାଳ ରବୀନ୍ଦ୍ର କୁମାର ମଲିକଙ୍କୁ ପଚାରିବାରୁ କହିଛନ୍ତି ଯେ ସେ ଏ ସମ୍ପର୍କରେ ସ୍ଥାନୀୟ ତହସିଲଦାରଙ୍କ ସହ କଥା ହେବେ । ତଦନ୍ତ ପୂର୍ବକ ପଦକ୍ଷେପ ନିଆଯିବ ।