ନୂଆଦିଲ୍ଲୀ,୩୦/୧୧: ଆଗକୁ ଯୁଗ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା କୃତ୍ରିମ ବୁଦ୍ଧିମତାର । ଭବିଷ୍ୟତରେ  ବିପୁଳ ସଂଖ୍ୟାରେ ଚାକିରି ଖାଇଯାଇପାରେ ଏଆଇ, ଏଭଳି ଆଶଙ୍କା ଏବେ ସବୁଠି ।  ନିକଟରେ ଗୁଗୁଲ୍‌ର ମୂଳ କମ୍ପାନି ଆଲ୍‌ଫାବେଟ୍‌ର ସିଇଓ ସୁନ୍ଦର ପିଚାଇ ସୂଚନା ଦେଇଥିଲେ ଯେ, କମ୍ପାନିରେ ଏକ ତୃତୀୟାଂଶରୁ ଅଧିକ ନୂଆ କୋଡ୍‌ ଏଆଇ ଦ୍ୱାରା ଉତ୍ପନ୍ନ ହୋଇଛି । ସେହିଭଳି  ଫୋନ୍‌ପେ’ ଗତ ୫ ବର୍ଷରେ ଏହାର  କଷ୍ଟମର ସପୋର୍ଟ ଷ୍ଟାଫ୍‌ ସଂଖ୍ୟା ୬୦%  ହ୍ରାସ କରିଛି । ବଦଳରେ କମ୍ପାନି ୯୦% ରୁ ଊଦ୍ଧ୍ୱର୍ ଗ୍ରାହକ ସମସ୍ୟାର ସମାଧାନ  ପାଇଁ ଏଆଇ-ପରିଚାଳିତ ଚାଟ୍‌ବୋଟ୍‌ର  ବ୍ୟବହାର କରିଛି । ଜିରୋ ଏମ୍‌ଡିଆର୍‌ ଆଇନ ଏବଂ କୋଭିଡ୍‌-୧୯ ମହାମାରୀ  ଭଳି ଆହ୍ୱାନ ସତ୍ତେ୍ୱ ଏହି ଅଟୋମେଶନ୍‌  ଦ୍ୱାରା ଫୋନ୍‌ପେ’ ଆଖିଦୃଶିଆ ଲାଭ ହାସଲ କରିପାରିଛି । ଏଆଇ କେବଳ କୋଡ୍‌ ରାଇଟର୍‌  କିମ୍ବା କଷ୍ଟମର ସପୋର୍ଟ ଷ୍ଟାଫ୍‌ଙ୍କୁ  ହଟାଉନାହିଁ ବରଂ ଆଗକୁ କମ୍ପାନିର ଶୀର୍ଷ  ଅଧିକାରୀଙ୍କ ଉପରେ ବି ଏଆଇର ପ୍ରହାର  ପଡ଼ିପାରେ । ପ୍ରମୁଖ ପଦବୀରେ ବସିପାରନ୍ତି  ଆର୍ଟିଫିସିଆଲ ସିଇଓ । 

ଏଆଇର ବହୁଳ  ବ୍ୟବହାର ମଧ୍ୟରେ ଦୃଢ଼ ଅନୁମାନ ରହିଛି,  ଆଗକୁ ହୁଏତ କର୍ମଚାରୀମାନଙ୍କୁ ଏଆଇ ବସ୍‌ଙ୍କୁ ରିପୋର୍ଟ କରିବାକୁ ପଡ଼ିପାରେ ।  ସିଇଓ ତଥା ପ୍ରତିଷ୍ଠାତାମାନଙ୍କ ଏଆଇ କ୍ଲୋନ୍‌ ଆଣିପାରନ୍ତି କମ୍ପାନି । ସେହିଭଳି ଏଆଇ ଭର୍ଚୁଆଲ ଆସିଷ୍ଟାଣ୍ଟ ଏବଂ ଏଆଇ ଭର୍ଚୁଆଲ ଗର୍ଲଫ୍ରେଣ୍ଡ ଆଗକୁ ସାଧାରଣ ହୋଇଯିବ ।  

ଏକ ରିପୋର୍ଟ ଅନୁସାରେ, ପାନାସୋନିକ୍‌  ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ମାଧ୍ୟମରେ ଏହାର ସ୍ୱର୍ଗତଃ ପ୍ରତିଷ୍ଠାତା କୋନୋସ୍ୟୁକ୍‌  ମାସୁଶିତାଙ୍କ ଡିଜିଟାଲ ଭର୍ସନ ଆଣିଛି ।  ପାନାସୋନିକ୍‌ ହୋଲ୍‌ଡିଙ୍ଗ୍‌ସ ଏହାର  ସ୍ୱର୍ଗତଃ ପ୍ରତିଷ୍ଠାତାଙ୍କ ଏକ ଏଆଇ  କ୍ଲୋନ୍‌ ପ୍ରସ୍ତୁତ କରିଛି । ଏହି କ୍ଲୋନ୍‌  କୋନୋସ୍ୟୁକ୍‌ ମାସୁଶିତାଙ୍କ ଲେଖା, ଭାଷଣ  ଏବଂ ୩,୦୦୦ରୁ ଊଦ୍ଧ୍ୱର୍ ଭଏସ୍‌ ରେକର୍ଡିଂ  ଆଧାରରେ ପ୍ରସ୍ତୁତ ହୋଇଥିବା କମ୍ପାନି  ଗତ ବୁଧବାର ଘୋଷଣା କରିଛି । 

ଜାପାନର ‘ଗଡ୍‌ ଅଫ୍‌  ମ୍ୟାନେଜ୍‌ମେଣ୍ଟ’ ଭାବେ ଜଣା ଥିଲେ  କୋନୋସ୍ୟୁକ୍‌ ମାସୁଶିତା । ଜାପାନର  ବ୍ୟବସାୟିକ ସମୁଦାୟରେ ସେ ବହୁ  ସମ୍ମାନର ଅଧିକାରୀ ରହିଥିଲେ । ବର୍ତ୍ତମାନ  ଡିଜିଟାଲ ଫର୍ମରେ ତାଙ୍କୁ ଫେରାଇ ଆଣିଛି  ପାନାସୋନିକ୍‌ ।  

କମ୍ପାନି ପ୍ରକାଶ କରିଛି ଯେ, ପରବର୍ତ୍ତୀ  ପିଢ଼ିଙ୍କ ମଧ୍ୟରେ ଜ୍ଞାନ ବିତରଣ କରିବା ପାଇଁ  ମାସୁଶିତାଙ୍କୁ ଆମେ ଫେରାଇ ଆଣିଛୁ ।  ଏଥିପାଇଁ ଜେନେରେଟିଭ୍‌ ଏଆଇ ପ୍ରଯୁକ୍ତି  ବ୍ୟବହାର କରିଛୁ । ଆଗକୁ ଗୁରୁତ୍ୱପୂର୍ଣ୍ଣ  ନିଷ୍ପତ୍ତି ନେବାରେ ସାହାଯ୍ୟ କରିବା ଲାଗି  କମ୍ପାନି ଏଭଳି ଡିଜିଟାଲ କ୍ଲୋନ୍‌ ବିକାଶ  ଜାରି ରଖିବ ବୋଲି ପ୍ରକାଶ କରିଛି ।  

୧୯୮୯ରେ ମାସୁଶିତାଙ୍କ ପରଲୋକ  ହୋଇଥିଲା । କମ୍ପାନିକୁ କଞ୍ଜ୍ୟୁମର  ଇଲେକ୍ଟ୍ରୋନିକ୍ସ କ୍ଷେତ୍ରରେ ଏକ ଲିଡର  ବନାଇବାରେ ସେ ବଡ଼ ଯୋଗଦାନ  ଦେଇଥିଲେ । ବର୍ତ୍ତମାନ ତାଙ୍କର ଡିଜିଟାଲ  ଭର୍ସନ କମ୍ପାନିକୁ ଅଗ୍ରଗତିର ପରବର୍ତ୍ତୀ  ସ୍ତରକୁ ନେବ ବୋଲି ପାନାସୋନିକ୍‌ ଆଶାବାଦୀ ରହିଛି । ବ୍ୟବସାୟିକ  ନିଷ୍ପତ୍ତି ନେବାରେ ପାନାସୋନିକ୍‌ ଏବେ  ମାସୁଶିତାଙ୍କ ଏଆଇ କ୍ଲୋନ୍‌କୁ ବ୍ୟବହାର  କରିବ । ଏହା ସଫଳ ହେଲେ ବଡ଼  ବଡ଼ ଉଦ୍ୟୋଗଗୁଡ଼ିକ ପାଇଁ ଏଆଇ  କ୍ଲୋନ୍‌ ଗେମ୍‌ ଚେଞ୍ଜର୍‌ ସାବ୍ୟସ୍ତ ହେବ  ବୋଲି ଆକଳନ କରିଛନ୍ତି ବିଶେଷଜ୍ଞ । 

ସେମାନେ ମଧ୍ୟ ନିଜ ନିଜର ଲୋକପ୍ରିୟ  ପ୍ରତିଷ୍ଠାତା ଏବଂ ସିଇଓମାନଙ୍କ କ୍ଲୋନ୍‌  ଆଣିବାକୁ ଚେଷ୍ଟା କରିପାରିବେ । କିପରି  ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ପରିଚାଳିତ  ଡିଜିଟାଲ ଅବତାର ଭବିଷ୍ୟତରେ  ବିରକ୍ତିକର ବୈଠକଗୁଡ଼ିକରେ ଯୋଗ  ଦେବେ, ତାହା ଉପରେ ନିକଟରେ ନିଜର  ଦୂରଦୃଷ୍ଟି ପ୍ରକାଶ କରିଥିଲେ ଜୁମ୍‌ ସିଇଓ  ଏରିକ୍‌ ୟୁଆନ୍‌ । କ୍ଲୋନ୍‌ ସିଇଓମାନଙ୍କ  ଦ୍ୱାରା କମ୍ପାନିଗୁଡ଼ିକର ଖର୍ଚ୍ଚ ମଧ୍ୟ ବହୁ  ମାତ୍ରାରେ କମିଯିବ । ସେମାନଙ୍କୁ ଆଉ  ସିଇଓମାନଙ୍କୁ ମୋଟା ପ୍ୟାକେଜ୍‌ ଦେବାକୁ  ପଡ଼ିବ ନାହିଁ । ସିଇଓଙ୍କ କାର୍ଯ୍ୟ ଲୋଡ୍‌  ନେବେ କ୍ଲୋନ୍‌ ସିଇଓ ।