ସୁଦାନ,୨୭/୦୧: ଡାକ୍ତରଖାନାରେ ଭୟଙ୍କର ବିସ୍ଫୋରଣ । ସୁଦାନର ଏକ ହସ୍ପିଟାଲରେ ବଡ ଧରଣ ଡ୍ରୋନ୍ ଆଟାକ ହୋଇଛି । ଏଥିରେ ୭୦ଜଣଙ୍କର ଜୀବନ ଯାଇଛି । ମୃତ୍ୟୁସଂଖ୍ୟା ଆହୁରି ବଢିବା ଆଶଙ୍କା କରାଯାଉଛି । ହସ୍ପିଟାଲରେ ଡ୍ରୋନ ହମଲା ହୋଇଥିବା ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ମୁଖ୍ୟ ଟେଡ୍ରୋସ ଆଧାନୋମ ଘେବ୍ରିୟେସ୍ ଏହି ସୂଚନା ଦେଇଛନ୍ତି ।
ସୁଦାନର ଦାରଫର ଅଞ୍ଚଳରେ ଥିବା ଏକ ହସ୍ପିଟାଲରେ ବଡ ଧରଣର ଡ୍ରୋନ୍ ଆଟାକ୍ ହୋଇଛି । ଛାରଖାର ହୋଇଯାଇଛି ହସ୍ପିଟାଲ । ରିପୋର୍ଟ ଲେଖାଯିବା ସୁଦ୍ଧା ୭୦ ଜଣଙ୍କର ମୃତ୍ୟୁ ହୋଇଥିବା ଖବର ମିଳିଥିଲା । ଆକ୍ରମଣ ଏତେ ଭୟଙ୍କର ଥିଲା ଯେ ମୃତ୍ୟୁସଂଖ୍ୟା ଆହୁରି ବଢିବା ଆଶଙ୍କା କରାଯାଉଛି । ଆକ୍ରମଣ ବେଳେ ହସ୍ପିଟାଲରେ ଶତାଧିକ ଲୋକ ଓ ସେମାନଙ୍କ ସମ୍ପର୍କୀୟ ଥିଲେ ।
ଏହା ବି ପଢନ୍ତୁ...ନାଇଜେରିଆରେ ପେଟ୍ରୋଲ ଟ୍ୟାଙ୍କର ବିସ୍ଫୋରଣରେ ୧୮ ମୃତ, ୧୦ ଆହତ…
ସୁଦାନର ଅଲ ଫାସର ସହରରେ ଥିବା ସାଉଦି ଟିଚିଂ ମାଟକନାଲ ହସ୍ପିଟାଲରେ ଏହି ଆଟାକ୍ ହୋଇଛି । ଏଥିରେ ଛାରଖାର ହୋଇଛି ପୁରା ଡାକ୍ତରଖାନା । ସମସ୍ତ ନିଜ ନିଜ କାମରେ ବ୍ୟସ୍ତ ଥିଲେ । କେହି କିଛି ବୁଝିବା ଆଗରୁ ଅଚାନକ ହସ୍ପିଟାଲରେ ଡ୍ରୋନ ଆକ୍ରମଣ ହୋଇଥିଲା । ଯେଉଁଥିରେ ୭୦ ଜଣଙ୍କର ମୃତ୍ୟୁ ହୋଇଛି । ଏହି ଆଟାକ୍ ପଛରେ କାହାର ସମ୍ପୃକ୍ତି ଅଛି ଜଣାପଡିନାହିଁ । କୌଣସି ସଙ୍ଗଠନ ଏଥିପାଇଁ ନିଜକୁ ଦାୟୀ କରିନାହିଁ । ଏହି ଆକ୍ରମଣ ପଛରେ ବିଦ୍ରୋହୀ ସପୋର୍ଟ ଫୋର୍ସେସ-ଆରଏସଏଫର ହାତ ଥିବା କୁହାଯାଉଛି ।
ଗତ ୨୦୨୩ ଏପ୍ରିରୁ ସୁଦାନ ସେନା ଓ ଅର୍ଦ୍ଧସାମରିକ ରାପିଡ ସପୋର୍ଟ ଫୋର୍ସ ମଧ୍ୟରେ ବିଦ୍ରୋହ ଲାଗି ରହିଛି । ଦାରଫରର ଅନେକ ଅଞ୍ଚଳକୁ ଅକ୍ତିଆର କରି ସାରିଛି ରାପିଟ ସପୋର୍ଟ ଫୋର୍ସ । ଉତ୍ତର ଦାରଫରର ରାଜଧାନୀ ଏଲ-ଫାସେରକୁ ମଧ୍ୟ ବିଦ୍ରୋହୀ କବଜାକୁ ନେଇ ସାରିଛି । ସୁଦାନରେ ଜାରି ରହିଥିଲା ଯୁଦ୍ଧରେ ୧୦ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ୧ କୋଟି ୨୦ ଲକ୍ଷରୁ ଅଧିକ ବାସହରା ହୋଇଛନ୍ତି । ହେଲେ ଯୁଦ୍ଧ ଥମିବାର ନାଁ ନେଉନାହିଁ । ଫଳରେ ନୀରିହ ଜୀବନ ବଳି ପଡୁଛି ।