ଚେନ୍ନାଇ,୩୧/୧୦: ଚେନ୍ନାଇର ଇଞ୍ଜାମ୍ବକମ୍ଠାରେ ଏକ ଲଜ୍ଜାଜନକ ଘଟଣା ଘଟିଛି । ଏଠାରେ ଏକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ (୪୦) ଜଣେ ଶିକ୍ଷୟିତ୍ରୀ (୨୨)ଙ୍କୁ ଯୌନ ଉତ୍ପୀଡ଼ନ ଦେଇଥିବା ଅଭିଯୋଗ ହୋଇଛି ।
ପୀଡ଼ିତା ଶିକ୍ଷୟିତ୍ରୀ ଜଣକ ଷାଣ୍ମାସିକ ପରୀକ୍ଷା ବାବଦରେ ଆଲୋଚନା ପାଇଁ ତାଙ୍କ ଘରକୁ ଯାଇଥିଲେ । ଏହି ସମୟରେ ପ୍ରଧାନ ଶିକ୍ଷୟିତ୍ରୀ ତାଙ୍କୁ ପାନୀୟରେ ନିଶା ମିଶାଇ ପିଇବାକୁ ଦେଇଥିଲେ । ସେ ଏହାକୁ ପିଇବା ପରେ ଅଚେତ ହୋଇପଡ଼ିଥିଲେ । ଏହାର ସୁଯୋଗ ନେଇ ପ୍ରଧାନ ଶିକ୍ଷୟିତ୍ରୀ ତାଙ୍କୁ ଦୀର୍ଘ ସମୟ ଧରି ଯୌନ ଉତ୍ପୀଡ଼ନ ଦେଇଥିଲେ । ଚେତା ଫେରିବା ପରେ ପୀଡ଼ିତା ନିଜକୁ ଅର୍ଦ୍ଧ ଉଲଗ୍ନ ଅବସ୍ଥାରେ ପାଇଥିଲେ । ତାଙ୍କ ଶରୀରର ବିଭିନ୍ନ ଅଂଶରେ କ୍ଷତଚିହ୍ନ ଥିଲା । ପୀଡ଼ିତା ସ୍କୁଲରେ ଯୋଗଦେବାର ମାତ୍ର ୫ ଦିନ ପରେ ଏହି ଘଟଣା ଘଟିଛି । ଏ ନେଇ ଅଭିଯୋଗ ହେବା ପରେ ଏକ ମହିଳା ପୁଲିସ ଟିମ୍ ବିଦ୍ୟାଳୟରେ ପହଞ୍ଚି ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଗିରଫ କରିବା ସହ ତାଙ୍କ ବିରୋଧରେ ମାମଲା ଦାୟର କରିଥିଲା । ତେବେ ଏହାପରେ ତାଙ୍କୁ କୋର୍ଟରୁ ଜାମିନ ମିଳିବାରୁ ସେ ମୁକ୍ତ ହୋଇଥିଲେ ।