ଭୁବନେଶ୍ୱର,୨୪/୦୨: ରାଜଧାନୀରେ ‘ଆମ ବସ୍’ ଦୁର୍ଘଟଣା ଥମୁନି । ବାରମ୍ବାର ଆମ ବସ୍ ଦୁର୍ଘଟଣାରେ କାହାର ମୁଣ୍ଡ ଯାଉଛି ତ ଆଉ କିଏ ପଙ୍ଗୁ ହେଉଛି । ଯାହାକୁ ନେଇ ରାଜଧାନୀବାସୀ ଆତଙ୍କିତ ହୋଇ ପଡ଼ିଥିବା ବେଳେ ଲୋକଙ୍କ ମଧ୍ୟରେ ଆକ୍ରୋଶ ବଢ଼ିବାରେ ଲାଗିଛି । ସୋମବାର ରାତିରେ ପଳାଶପଲ୍ଲୀ ଓଭରବ୍ରିଜ ତଳେ ଏକ ସାଇକେଲ ଆରୋହୀଙ୍କ ଗୋଡ଼ ଉପରେ ଆମ ବସ୍ ମାଡ଼ି ଯାଇଛି । ଫଳରେ ସାଇକେଲରେ ଯାଉଥିବା ବୃଦ୍ଧ ଜଣକ ଗୁରୁତର ଆହତ ହୋଇଛନ୍ତି । ସେ ହେଲେ ପଳାଶପଲ୍ଲୀର ରମେଶ ପାତ୍ର(୮୦) । ଏହି ଘଟଣା ପରେ ଉତ୍ତ୍ୟକ୍ତ ଲୋକେ ବସ୍‌କୁ  ଭଙ୍ଗାରୁଜା କରିବା ସହିତ ନିଆଁ ଲଗାଇ ଦେବାକୁ ଉଦ୍ୟମ କରିଛନ୍ତି । ପୁଲିସ ନିଆଁକୁ ଆୟତ୍ତ କରିଛନ୍ତି । ଆହତ ସାଇକେଲ ଆରୋହୀଙ୍କୁ ପୁଲିସ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଛି ।

ଆହୁରି ପଢ଼ନ୍ତୁ :- ଏବେବି ଜଳୁଛି ଧଉଳି ଲିଙ୍ଗିପୁର ନିକଟ ସୁପର ମାର୍ଟ, ୮ ଦମକଳ ଗାଡ଼ି ସହ ରୋବଟ୍ ଦ୍ୱାରା ନିଆଁକୁ ଆୟତ୍ତ ପାଇଁ ଉଦ୍ୟମ

ଦୁର୍ଘଟଣା ପରେ ଉତ୍ତ୍ୟକ୍ତ ଲୋକେ ଆମ ବସ୍‌କୁ ଢ଼େଲାମାରି ଭଙ୍ଗାରୁଜା କରିବା ସିହିତ ନିଆଁ ଲଗାଇବାକୁ ଉଦ୍ୟମ କରିଥିଲେ । କ୍ଷତିପୁରଣ ଦାବିକରି ରାସ୍ତା ଅବରୋଧ କରି ଧାରଣାରେ ବସିଥିଲେ । ଏୟାରପୋର୍ଟ ଥାନା ପୁଲିସ ସେଠାରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲା । ଆଜି ରାତି ପ୍ରାୟ ସାଢ଼େ ୯ଟା ବେଳେ ଆମ ବସ୍(ଓଡି୩୩ଏଆର-୫୭୯୪) ନବୀନ ନିବାସ ପଟରୁ ପୋଖରୀପୁଟ ଡିପୋକୁ ଆସୁଥିଲା । ପଳାଶପଲ୍ଲୀ ଓଭରବ୍ରିଜ ତଳେ ବସ୍ଟି ସାଇକେଲରେ ଯାଉଥିବା ରମେଶଙ୍କୁ ଧକ୍କା ଦେଇଥିଲା । ସେ ତଳେ ପଡ଼ି ଯାଇଥିବା ବେଳେ ତାଙ୍କ ଦୁଇ ଗୋଡ଼ ଉପରେ ବସ୍ ଚଢ଼ି ଯାଇଥିଲା । ଦୁର୍ଘଟଣା ପରେ ସେଠାରେ ଲୋକଙ୍କ ଭିଡ଼ ଜମିବା ସହ ଲୋକେ ଢେଲାମାରି ବସ୍ କାଚ ଭଙ୍ଗାରୁଜା କରିଥିଲେ । ଲୋକଙ୍କ ଭିଡ଼ ଭିତରେ ଆମ ବସ୍ ଚାଳକ ସେଠାରୁ କୌଶଳ ଫେରାର ହୋଇଯାଇଥିଲେ । ଆମ ବସ୍ ଚାଳକଙ୍କୁ ଧରିବା ପାଇଁ ପୁଲିସର ଏକ ଟିମ୍ ଚଢ଼ଉ ଜାରି ରଖିଛି ।

ସେପଟେ କ୍ରୁଟ ପକ୍ଷରୁ କୁହାଯାଇଛି ଯେ ଗାଡ଼କଣ ଯାତ୍ରା ପଡ଼ିଆରୁ ଟ୍ରିପ ବାତିଲ ହେବା ପରେ ଆମ ବସ୍ ଡିପୋକୁ ଫେରୁଥିଲା । ଏହି ସମୟରେ ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣା ପରେ ତୁରନ୍ତ ଏକ ଆମ୍ବୁଲାନ୍ସ ମାଧ୍ୟମରେ ଆହତ ବ୍ୟକ୍ତିଙ୍କୁ ଡାକ୍ତରଖାନା ନିଆଯାଇଥିଲା । ପୀଡିତ ବୃଦ୍ଧଙ୍କ ଆବଶ୍ୟକୀୟ ସମସ୍ତ ସହାୟତା ପ୍ରଦାନ ନେଇ କ୍ରୁଟର ପ୍ରତିନିଧି ଡାକ୍ତରଖାନାରେ ଉପସ୍ଥିତ ରହିଛନ୍ତି । ଏସଓପି ନିର୍ଦ୍ଧାରିତ ମାନଦଣ୍ଡ ଅନୁଯାୟୀ ୫୦,୦୦୦ ଟଙ୍କା କ୍ଷତିପୂରଣ ଓ ଆବଶ୍ୟକ ଡାକ୍ତରୀ ସହାୟତା ଯୋଗାଇ ଦିଆଯାଉଛି । ଘଟଣା ପରେ କିଛି ଦୁର୍ବୃତ୍ତ ଆମ ବସ୍‌କୁ କ୍ଷତି ପହଞ୍ଚାଇଥିଲେ ଓ ସାମ୍ନା ୱିଣ୍ଡସ୍କ୍ରିନ୍ ଏବଂ ପାଶ୍ୱର୍ କାଚ ଭାଙ୍ଗି ଦେଇଥିଲେ । କ୍ରୁଟ୍ ପକ୍ଷରୁ ଏପରି ପରିସ୍ଥିତିରେ ଦାୟିତ୍ୱବାନ ନାଗରିକମାନଙ୍କୁ ଧୈର୍ଯ୍ୟ ରଖିବାକୁ ଅନୁରୋଧ କରାଯାଇଛି । ଆମ ବସ୍ ହେଉଛି ସାର୍ବଜନୀନ ସମ୍ପତ୍ତି । କୌଣସି ପରିସ୍ଥିତିରେ ଆଇନକୁ ନିଜ ହାତକୁ ନ ନେବା ପାଇଁ କ୍ରୁଟ୍ ପକ୍ଷରୁ ନାଗରିକମାନଙ୍କୁ ଅନୁରୋଧ କରାଯାଇଛି । ସେଭଳି କ୍ରୁଟ୍ ଆଭ୍ୟନ୍ତରୀଣ ଦୁର୍ଘଟଣା କମିଟିକୁ ଏହି ଘଟଣାର ତୁରନ୍ତ ତଦନ୍ତ କରି ଏକ ବିସ୍ତୃତ ରିପୋର୍ଟ ପ୍ରଦାନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।