ପୁରୀ,୦୩/୦୭: ସ୍ନାନବେଦିରେ ୧୦୮ ଗରା ଜଳ  ଲାଗି ପରେ ଶ୍ରୀବିଗ୍ରହ ଅସୁସ୍ଥ । ଶୀଘ୍ର ଆରୋଗ୍ୟ କାମନା କରି ଦଇତାପତି ସେବକମାନେ ଅଣସର ଘରେ ଦାରୁବ୍ରହ୍ମଙ୍କ ଗୁପ୍ତ ପୂଜାରେ ଲାଗିଛନ୍ତି । ଅନବସର  ୫ ଦିନ ଶୁକ୍ରବାର ଶ୍ରୀବିଗ୍ରହଙ୍କ ଶ୍ରୀଅଙ୍ଗ ଫିଟିବ । ବର୍ଷ  ତମାମ ଦାରୁଦିଅଁ ଲାଗି ହୋଇଥିବା ଚନ୍ଦନ ଓ କରାଳ  ଖୋଲାଯିବ ।

୪ ତାରିଖ ଶନିବାର ଠାକୁର ଫୁଲୁରୀ  ଲାଗି ନୀତି । ପରକୁ ଓଷୁଅ ଲାଗି ଆରମ୍ଭ ହେବ ।  ଓଷୁଅ ଲାଗି ପରେ ଠାକୁରେ ଚକାକୁ ଉଠିବେ । ସାଧାରଣ ମନୁଷ୍ୟ ଭଳି ଠାକୁରଙ୍କୁ ମଧ୍ୟ ପଥି,  ପାଚନ ଓ ଔଷଧର ଆବଶ୍ୟକତା ପଡ଼ୁଛି । ସ୍ୱତନ୍ତ୍ର  ପଣା "ପାଚନ ପାଣି' ପ୍ରସ୍ତୁତ କରି ମହାପ୍ରଭୁଙ୍କୁ  ଅର୍ପଣ କରାଯାଉଛି । ଦଇତାପତିମାନଙ୍କ ଦ୍ୱାରା ପ୍ରସ୍ତୁତ  ଅଣସର ପଣା ଭୋଗରେ ପ୍ରତିଟି ଜଗନ୍ନାଥପ୍ରେମୀଙ୍କ  ଲୋଭ ରହିଥାଏ ।

ଅଧିକ ପଢ଼ନ୍ତୁ :- ଶ୍ରୀମନ୍ଦିରରେ ପଟିଦିଅଁଙ୍କୁ ଭୋଗ ଲାଗୁଛି ଅନ୍ନପ୍ରସାଦ, ଥରେ ଅନ୍ନ ଭୋଗ ବନ୍ଦ ହେଲେ ୧୨ ବର୍ଷ ମନା

ଏହି ଅଣସର ପଣା ସର, କର୍ପୂର  ଆଦି ଦ୍ରବ୍ୟ ମିଶି ପ୍ରସ୍ତୁତ ହୋଇଥାଏ । ଅନବସରରେ  ପ୍ରତିଦିନ ଶ୍ରୀବିଗ୍ରହଙ୍କୁ ଦୁଇଥର ପଣା ଓ ଚକଟା  ଭୋଗ ଅର୍ପଣ କରାଯାଉଛି । ଭୋଗରେ ଠାକୁରଙ୍କୁ  କେବଳ ସର ଓ ଫଳମୂଳ ଆଦି ଲାଗି କରାଯାଉଛି ।  ସ୍ନାନପୂର୍ଣ୍ଣିମା ବିଳମ୍ବିତ ରାତିରେ ପ୍ରଭୁ ଅଣସର ପିଣ୍ଡିରେ  ବିରାଜମାନ କରିବା ପରେ ଏହିଭଳି ଉପଚାର ଚାଲିଛି ।