ଦୁବାଇ, ୧୧/୦୯: ଆସନ୍ତା ୧୪  ତାରିଖରେ ଏସିଆ କପ୍‌ରେ ସବୁଠୁ ବଡ଼ ମ୍ୟାଚ୍‌ ଖେଳାଯିବ । ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ  ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବେ ।  କିନ୍ତୁ ଏହି ମ୍ୟାଚର ଟିକେଟ୍‌ ଏ ପର୍ଯ୍ୟନ୍ତ ବିକ୍ରି ଶେଷ ହୋଇନଥିବା ଜାଣିବାକୁ ମିଳିଛି ।  

ପହଲଗାମ ଆକ୍ରମଣ ପରେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପ୍ରଥମ ଥର କ୍ରିକେଟ୍‌  ମଇଦାନରେ ଲଢ଼େଇ କରିବାକୁ ଯାଉଛନ୍ତି ।  ମ୍ୟାଚ୍‌କୁ ନେଇ ଯେଉଁ ଉତ୍କଣ୍ଠା ରହିବା  କଥା, ତାହା ନାହିଁ । ଫଳରେ ସବୁ ଟିକେଟ୍‌  ଏ ପର୍ଯ୍ୟନ୍ତ ବିକ୍ରି ହୋଇପାରି ନାହିଁ । ଭିଆଇପି ଇଷ୍ଟ ଟିକେଟ୍‌ ୨ଟିକୁ  ୨,୫୭,୮୧୫ ଟଙ୍କା, ରୟାଲ ବକ୍ସ ୨ଟିକୁ ୨,୩୦,  ୭୦୦ ଟଙ୍କା ଏବଂ ସ୍କାଏ ବକ୍ସ ଇଷ୍ଟ ୨ଟି ଟିକେଟ୍‌  ମୂଲ୍ୟ ୧,୬୭,୮୫୧ ଟଙ୍କା ରଖାଯାଇଛି । ସବୁଠୁ  କମ୍‌ ଟିକେଟ୍‌ ମୂଲ୍ୟ ୫ ହଜାର ଟଙ୍କା ରଖାଯାଇଛି ।

ଗତ ଏପ୍ରିଲ ୨୨ ତାରିଖରେ  ପହଲଗାମରେ ସାଧାରଣ ପର୍ଯ୍ୟଟକଙ୍କ  ଉପରେ ଆତଙ୍କାବାଦୀ ଆକ୍ରମଣ କରିଥିଲେ ।  ଏଥିରେ ୨୬ ଜଣଙ୍କର ମୃତ୍ୟୁ ହୋଇଥିଲା ।  ଏହାର ପ୍ରତିଶୋଧ ସ୍ୱରୂପ ଭାରତ ‘ଅପରେସନ୍‌  ସିନ୍ଦୂର’ ଆରମ୍ଭ କରିଥିଲା । ପାକିସ୍ତାନ ଦ୍ୱାରା  ପ୍ରୋତ୍ସାହିତ ଆତଙ୍କବାଦୀଙ୍କ ଶିବିର ଉପରେ  ଭାରତ ଆକ୍ରମଣ କରିଥିଲା ଏବଂ ଏଥିରେ ୧୦୦ରୁ ଊଦ୍ଧ୍ୱର୍ ଆତଙ୍କୀ ନିହତ ହୋଇଥିଲେ । ଏହାକୁ ନେଇ ସୀମାରେ ତୀବ୍ର ଉତ୍ତେଜନା  ସୃଷ୍ଟି ହୋଇଥିଲା । ଏଭଳି ସମୟରେ ଦୁଇ  ଦେଶ ମଧ୍ୟରେ କ୍ରୀଡ଼ା ସଂପର୍କକୁ ନେଇ  ବିସିସିଆଇ ଅନାଗ୍ରହ ପ୍ରକାଶ କରିଥିଲା ।  ତେଣୁ ଏଥର ଏସିଆ କପ୍‌ ଖେଳାଯିବ  କି ନାହିଁ ସେନେଇ ଆଶଙ୍କା ରହିଥିଲା ।  କିନ୍ତୁ କ୍ରୀଡ଼ା ମନ୍ତ୍ରଣାଳୟର ଅନୁମତି ପରେ  ଭାରତ ଏସିଆ କପ୍‌ରେ ଭାଗ ନେଇଥିଲା।