ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗର ପରବର୍ତ୍ତୀ ସିଜିନ୍ ପାଇଁ ନିଲାମ ଡିସେମ୍ବରରେ ହେବ ବୋଲି କୁହାଯାଉଛି । ରିପୋର୍ଟ ଅନୁସାରେ, ଅକ୍ସନ ବା ନିଲାମୀ  ଡିସେମ୍ବର ୧୩ ରୁ ୧୫ ତାରିଖ ମଧ୍ୟରେ ହୋଇପାରେ। BCCI ଏପର୍ଯ୍ୟନ୍ତ ନିଲାମ ତାରିଖ ଚୂଡ଼ାନ୍ତ କରିନାହିଁ। IPL 2025 ତୁଳନାରେ, ଏଥର ଏକ ‘ମିନି-ଅକ୍ସନ’ ଅନୁଷ୍ଠିତ ହେବ । ଏଥିରେ ଗତ ଥର ତୁଳନାରେ କମ୍ ଖେଳାଳି ରହିବେ।  କ୍ରିକବଜ୍ ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ, ଖେଳାଳିମାନଙ୍କୁ ରିଟେନ୍‌ କରିବାର ଶେଷ ତାରିଖ ନଭେମ୍ବର ୧୫ । 

କ୍ରିକବଜ୍ ଅନୁଯାୟୀ, ଅକ୍ସନ ବିଦେଶରେ ହେବ କି ଭାରତରେ ହେବ ତାହା ଏପର୍ଯ୍ୟନ୍ତ ନିଷ୍ପତ୍ତି ହୋଇନାହିଁ। ବିସିସିଆଇ ଭାରତରେ ଏକ ‘ମିନି ଅକ୍ସନ’ କରିପାରେ । କିନ୍ତୁ ଏନେଇ ସ୍ଥିତି ସ୍ପଷ୍ଟ ହୋଇନାହିଁ । ରିପୋର୍ଟ ଅନୁଯାୟୀ, ସମସ୍ତ ଦଳକୁ ନଭେମ୍ବର ୧୫  ସୁଦ୍ଧା ସେମାନଙ୍କର ରିଟେନସନ୍ ତାଲିକା ପ୍ରକାଶ କରିବାକୁ ପଡିବ। ଏହି ତାରିଖ ସୁଦ୍ଧା ଦଳଗୁଡ଼ିକୁ ରିଲିଜ୍‌ ବା ମୁକ୍ତ କରିବାକୁ ଚାହୁଁଥିବା ଖେଳାଳିଙ୍କ ତାଲିକା ଦାଖଲ କରିବାକୁ ପଡିବ। ଦଳଗୁଡ଼ିକ ଅନେକ ଖେଳାଳିଙ୍କୁ ପରିବର୍ତ୍ତନ କରିବାର ସମ୍ଭାବନା କମ୍‌ ।  ‘ମିନି ଅକ୍ସନ’ ପୂର୍ବରୁ ଦୀପକ ହୁଡା, ବିଜୟ ଶଙ୍କର, ରାହୁଲ ତ୍ରିପାଠି, ସାମ୍ କରନ୍ ଏବଂ ଷ୍ଟାର ବ୍ୟାଟର ଡେଭନ୍ କନୱେଙ୍କୁ ମଧ୍ୟ ରିଲିଜ୍‌ କରାଯାଇପାରେ ବୋଲି ଅନୁମାନ କରାଯାଉଛି । 

ଗତ କିଛି ମାସ ମଧ୍ୟରେ ସଞ୍ଜୁ ସାମସନଙ୍କୁ ଟ୍ରେଡ୍‌ କରାଯିବା ନେଇ ଆକଳନ କରାଯାଉଛି । ରାଜସ୍ଥାନ ରୟାଲ୍ସ  ଦୁଇ ମୁଖ୍ୟ ସ୍ପିନ୍ ବୋଲର ୱାନିନ୍ଦୁ ହସରଙ୍ଗା ଏବଂ ମହୀଶ ତିକ୍ଷଣାକୁ ରିଲିଜ୍‌ କରିପାରେ। ଶ୍ରୀଲଙ୍କାର କିମ୍ବଦନ୍ତୀ କୁମାର ସାଙ୍ଗାକାରା ଆଗାମୀ ସିଜନରେ RRର ମୁଖ୍ୟ ପ୍ରଶିକ୍ଷକ ରହିବେ । ତେଣୁ ହସରଙ୍ଗା ଏବଂ ତିକ୍ଷଣାକୁ ଦଳ ରିଲିଜ୍‌ କରିନପାରେ ବୋଲି ମଧ୍ୟ କୁହାଯାଉଛି । ମିଚେଲ ଷ୍ଟାର୍କ, ଆକାଶଦୀପ, ଟି ନଟରାଜନ, ମୟଙ୍କ ଯାଦବ ଏବଂ ଡେଭିଡ ମିଲରଙ୍କ ସମେତ ଅନ୍ୟମାନେ ନୂତନ ଦଳକୁ ଯାଇପାରନ୍ତି । କିନ୍ତୁ ଏହା ଅସ୍ପଷ୍ଟ ରହିଛି। ଗତ ସିଜନରେ କେକେଆର ଦ୍ୱାରା ୨୩.୭୫ କୋଟିରେ କିଣିଥିବା ଭେଙ୍କଟେଶ ଆୟରଙ୍କୁ ରିଲିଜ୍‌ କରାଯାଇପାରେ । କ୍ୟାମେରନ ଗ୍ରୀନ ନିଲାମୀରେ ସବୁଠାରୁ ମହଙ୍ଗା ଖେଳାଳିମାନଙ୍କ ମଧ୍ୟରୁ ଜଣେ ହୋଇପାରନ୍ତି ବୋଲି ଅନୁମାନ କରାଯାଉଛି।