ବାଲେଶ୍ୱର, ୪/୯ : ଲଘୁଚାପଜନିତ ଲଗାଣ ବର୍ଷାରେ ବାଲେଶ୍ଵର ଉବୁଟୁବୁ। ତିନି ଦିନ ହେଲା ଜଳବନ୍ଦୀ ଅବସ୍ଥାରେ ଅଛନ୍ତି ତଳିଆ ଅଞ୍ଚଳର ଲୋକେ। ନର୍ଦ୍ଦମା ପାଣିରେ ବୁଡ଼ିଛି ସହର। ଏପଟେ ମ୍ୟୁନିସିପାଲିଟି କର୍ତ୍ତୃପକ୍ଷଙ୍କ ଜମିଛି ନାଚ ଗୀତର ଆସର। ଚାମେରି ହାଏ ହାଏ ଗୀତର ତାଳେ ତାଳେ ନୃତ୍ୟ କରୁଛନ୍ତି ଅଧିକାରୀ ଓ କାଉନସିଲର। ଲୋକଙ୍କ ସମସ୍ୟା ପ୍ରତି ନାହିଁ ନଜର। 

ଚଳିତବର୍ଷ ବାଲେଶ୍ୱରର ମ୍ୟୁନିସିପାଲିଟି ୧୫୦ ବର୍ଷ ପାଳନ କରୁଛି। ଏହି ପରିପ୍ରେକ୍ଷୀରେ ସପ୍ତାହବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ନାଚ ଗୀତର ଆସର ଜମୁଛି। ମ୍ୟୁନିସିପାଲିଟି କର୍ତ୍ତୃପକ୍ଷ ପୁରା ସେଲିବ୍ରେସନ ମୁଡ୍‌ରେ ଅଛନ୍ତି। ହେଲେ ଏପଟେ ଲଘୁଚାପଜନିତ ବର୍ଷା ଯୋଗୁଁ ବାଲେଶ୍ୱର ସହରରେ କୃତ୍ରିମ ବନ୍ୟା ସୃଷ୍ଟି ହୋଇଛି। ତ୍ରୁଟିପୂର୍ଣ୍ଣ ଜଳ ନିଷ୍କାସନ ବ୍ୟବସ୍ଥା ଯୋଗୁ ବାଲେଶ୍ୱର ମ୍ୟୁନିସିପାଲିଟିର ଅଧିକାଂଶ ୱାର୍ଡ ଜଳବନ୍ଦୀ ହୋଇଛି। ନର୍ଦ୍ଦମା ଜଳ ଲୋକଙ୍କ ଘରେ ପଶିଛି। ହେଲେ ଏଥିପ୍ରତି ସରକାରୀ ବାବୁଙ୍କ ନିଘା ନାହିଁ। ସେପଟେ ମ୍ୟୁନିସିପାଲିଟି କର୍ତ୍ତୃପକ୍ଷଙ୍କ ନୃତ୍ୟ ଗୀତର ଭିଡିଓ ଭାଇରାଲ ହେଉଛି। ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଭିଡିଓଟି ଗତ ୩୧ ତାରିଖର ବୋଲି ଆଲୋଚନା ହେଉଛି।