କୋଲକାତା, ୨୨।୫: ପଶ୍ଚିମବଙ୍ଗ ରାଜନୀତିକୁ ସରଗରମ କରିଥିବା ଏକ ହତ୍ୟାକାଣ୍ଡ ମାମଲାରେ ଏବେ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ପଶ୍ଚିମବଙ୍ଗର ବରିଷ୍ଠ ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ ବ୍ୟକ୍ତିଗତ ସହକାରୀ (PA) ଚନ୍ଦ୍ରକାନ୍ତ ରଥଙ୍କ ମର୍ଡର କେସ୍‌ରେ ସିବିଆଇ ଏକ ବଡ଼ ଖୁଲାସା କରିଛି। ଏହି ମାମଲାରେ ଉତ୍ତର ପ୍ରଦେଶର ବଲିଆରୁ ଗିରଫ ହୋଇଥିବା ରାଜ କୁମାର ସିଂହ ନାମକ ଜଣେ ବ୍ୟକ୍ତି ସମ୍ପୂର୍ଣ୍ଣ ନିର୍ଦ୍ଦୋଷ ବୋଲି ପ୍ରମାଣିତ ହୋଇଛନ୍ତି । କେବଳ ନାଁ ସମାନ ଥିବାରୁ ପୁଲିସ ଭ୍ରମରେ ଜଣେ ଭୁଲ ମଣିଷକୁ ଗିରଫ କରିଥିଲା । ସିବିଆଇ ଯାଞ୍ଚ ପରେ ପ୍ରକୃତ ସତ୍ୟ ପଦାକୁ ଆସିବା ପରେ ତାଙ୍କୁ ମୁକ୍ତ କରାଯାଇଛି । ମୁକ୍ତ ହେବା ପରେ ପୀଡ଼ିତ ରାଜ୍ ସିଂହ ପୁଲିସର ବର୍ବରତା ଓ ମାନସିକ ନିର୍ଯାତନାକୁ ନେଇ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ।

କେବଳ ନାଁ ସମାନ ଥିବାରୁ ହେଲେ ଗିରଫ:

ଘଟଣାର ବିବରଣୀ ଅନୁଯାୟୀ, ଚନ୍ଦ୍ରକାନ୍ତ ରଥ ହତ୍ୟାକାଣ୍ଡର ତଦନ୍ତ କରୁଥିବା ପୁଲିସ ଓ ତଦନ୍ତକାରୀ ସଂସ୍ଥା ଜଣେ 'ରାଜ କୁମାର ସିଂହ'କୁ ଖୋଜୁଥିଲେ । କିନ୍ତୁ ପୁଲିସ ପ୍ରକୃତ ଅଭିଯୁକ୍ତ ପାଖରେ ପହଞ୍ଚିବା ବଦଳରେ ଉତ୍ତର ପ୍ରଦେଶ ବଲିଆର ବାସିନ୍ଦା ରାଜ କୁମାର ସିଂହଙ୍କୁ ଉଠାଇ ଆଣିଥିଲା । ଜେଲରୁ ମୁକ୍ତ ହେବା ପରେ ଗଣମାଧ୍ୟମ ସମ୍ମୁଖରେ ନିଜର ଦୁଃଖ ପ୍ରକାଶ କରି ରାଜ୍ ସିଂହ କହିଛନ୍ତି, "ମୋତେ ସମ୍ପୂର୍ଣ୍ଣ ଭୁଲ ଭାବେ ଗିରଫ କରାଯାଇଥିଲା । ପ୍ରକୃତ ଅଭିଯୁକ୍ତକୁ ଧରିବା ବଦଳରେ ସେମାନେ ମୋତେ ବନ୍ଧି ଦେଲେ । ମୁଁ ମୋ ମା'ଙ୍କ ସହ ଅଯୋଧ୍ୟା ଦର୍ଶନ ପାଇଁ ଯାଇଥିଲି । ଯେତେବେଳେ ଘରକୁ ଫେରିଲି, ଦେଖିଲି ସେଠାରେ ପୁଲିସ ଟିମ୍ ମୋତେ ଅପେକ୍ଷା କରିଥିଲେ । ସେମାନେ ମୋ କଥା ଶୁଣିବାକୁ ଜମାରୁ ପ୍ରସ୍ତୁତ ନଥିଲେ କି ମୋଠାରୁ କୌଣସି ପ୍ରମାଣ ମଧ୍ୟ ମାଗିନଥିଲେ ।"

'ରାତି ତମାମ ଏନକାଉଣ୍ଟର ଭୟ ଥିଲା, ସିଆଇଡି କରିଥିଲା ଅମାନୁଷିକ ନିର୍ଯାତନା':

ରାଜ୍ ସିଂହ ପୁଲିସ ଏବଂ ପଶ୍ଚିମବଙ୍ଗ ସିଆଇଡି  ଉପରେ ଥାର୍ଡ ଡିଗ୍ରୀ ନିର୍ଯାତନାର ସାଙ୍ଘାତିକ ଆରୋପ ଲଗାଇଛନ୍ତି । ତାଙ୍କ କହିବା ଅନୁଯାୟୀ, ଗିରଫ କରିବା ପରେ ତାଙ୍କୁ କଲିକତା ନିଆଯାଇଥିଲା । ସେଠାରେ ସିଆଇଡି ତାଙ୍କୁ ଅମାନୁଷିକ ଭାବେ ନିର୍ଯାତନା ଦେଇଥିଲା ଏବଂ ଯେଉଁ ଅପରାଧ ସେ କରିନାହାନ୍ତି, ତାହା କୋର୍ଟରେ କବୁଲ କରିବା ପାଇଁ ଚାପ ପ୍ରୟୋଗ କରାଯାଇଥିଲା । ପୁଲିସ ତାଙ୍କୁ 'ଏନକାଉଣ୍ଟର' କରିଦେବାର ଧମକ ମଧ୍ୟ ଦେଇଥିଲା । ରାଜ୍ କହିଛନ୍ତି, "ତଦନ୍ତକାରୀ ସଂସ୍ଥାର କେବଳ ଗୋଟିଏ ଉଦ୍ଦେଶ୍ୟ ଥିଲା, ଯେମିତି ହେଲେ ମୋତେ ଦୋଷୀ ସାବ୍ୟସ୍ତ କରି ମାମଲା ରଫାଦଫା କରିବା । ପ୍ରତିଦିନ ରାତିରେ ମୋତେ ଭୟ ଲାଗୁଥିଲା ଯେ ପୁଲିସ ମୋତେ ରାସ୍ତାକୁ ନେଇ ଗୁଳି କରିଦେବ ଏବଂ ଏନକାଉଣ୍ଟରର ରୂପ ଦେଇଦେବ । ମୋ ନାଁରେ ପୂର୍ବରୁ କୌଣସି ମାମଲା ନଥିଲା, ତଥାପି ପୁଲିସର ଏଭଳି ରୂପ ଦେଖି ମୁଁ ସମ୍ପୂର୍ଣ୍ଣ ଭୟଭୀତ ହୋଇପଡ଼ିଥିଲି । ପୁଲିସକୁ କିଏ ବା ଭୟ ନକରେ ?"

ସିବିଆଇ (CBI) ତଦନ୍ତରୁ ସାମ୍ନାକୁ ଆସିଲା ସତ୍ୟ:

ଏହି ମାମଲା ପରବର୍ତ୍ତୀ ସମୟରେ ସିବିଆଇ ହାତକୁ ଯିବା ପରେ ଘଟଣାରେ ଏକ ବଡ଼ ମୋଡ଼ ଆସିଥିଲା । ସିବିଆଇ ନିରପେକ୍ଷ ଭାବେ ସମସ୍ତ ଦିଗର ଯାଞ୍ଚ କରିବା ସହ ରାଜ୍ ସିଂହଙ୍କ ସଂପୃକ୍ତିକୁ ନେଇ ପ୍ରମାଣ ଖୋଜିଥିଲା । ତେବେ ସିବିଆଇ ଯାଞ୍ଚରୁ ସ୍ପଷ୍ଟ ହୋଇଥିଲା ଯେ ଏହି ରାଜ୍ ସିଂହ ସେହି ରାଜ କୁମାର ନୁହନ୍ତି, ଯାହାକୁ ପଶ୍ଚିମବଙ୍ଗ ପୁଲିସ ଖୋଜୁଥିଲା । ସିବିଆଇ କୋର୍ଟରେ ତଥ୍ୟ ରଖିବା ପରେ ତାଙ୍କୁ ନିର୍ଦ୍ଦୋଷରେ ଖଲାସ କରାଯାଇଛି । ମୁକ୍ତ ହେବା ପରେ ରାଜ୍ ସିଂହ ସିବିଆଇକୁ ହୃଦୟରୁ ଧନ୍ୟବାଦ ଜଣାଇଛନ୍ତି । ସେ କହିଛନ୍ତି, "ଯଦି ସିବିଆଇ ଏହି ମାମଲାକୁ ହାତକୁ ନେଇନଥାନ୍ତା, ତେବେ ମୋର ଏନକାଉଣ୍ଟର ନିଶ୍ଚିତ ଥିଲା ।"

ସିଏମ୍ ଯୋଗୀଙ୍କୁ ଗୁହାରି: "ଦୋଷୀ ପୁଲିସ କର୍ମଚାରୀଙ୍କ ବିରୋଧରେ ହେଉ କାର୍ଯ୍ୟାନୁଷ୍ଠାନ"

ନିର୍ଦ୍ଦୋଷରେ ଜେଲ୍ ଭୋଗିବା ଏବଂ ପୁଲିସର ନିର୍ଯାତନାର ଶିକାର ହେବା ପରେ ଏବେ ରାଜ୍ ସିଂହ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଦ୍ୱାରସ୍ଥ ହୋଇଛନ୍ତି । ସେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ଯେ, ତାଙ୍କୁ ମିଥ୍ୟା ମାମଲାରେ ଫସାଇଥିବା ଏବଂ ମାନସିକ ତଥା ଶାରୀରିକ ନିର୍ଯାତନା ଦେଇଥିବା ପୁଲିସ କର୍ମଚାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ରାଜ୍ ଆହୁରି ମଧ୍ୟ କହିଛନ୍ତି ଯେ, ସେ ଏବଂ ତାଙ୍କ ପିତା ଦୀର୍ଘ ଦିନ ଧରି ଭାରତୀୟ ଜନତା ପାର୍ଟି ସହ ଜଡ଼ିତ ରହିଛନ୍ତି । ସେ ନିଜେ କ୍ଷତ୍ରିୟ ମହାସଭାର ଜଣେ ସକ୍ରିୟ ସଦସ୍ୟ । ଏହା ସତ୍ତ୍ୱେ ମଧ୍ୟ ସଙ୍କଟ ସମୟରେ କେହି ତାଙ୍କୁ ସାହାଯ୍ୟ କରିବାକୁ ଆଗକୁ ଆସିନଥିଲେ । ଏହି ଘଟଣା ଏବେ ପୋଲିସର କାର୍ଯ୍ୟଦକ୍ଷତା ଏବଂ ବିନା ସଠିକ୍ ପ୍ରମାଣରେ ସାଧାରଣ ଲୋକଙ୍କୁ ହଇରାଣ କରିବା ପ୍ରକ୍ରିୟା ଉପରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସେପଟେ ସିବିଆଇ ଏବେ ପ୍ରକୃତ ଅଭିଯୁକ୍ତ 'ରାଜ କୁମାର'କୁ ଗିରଫ କରିବା ପାଇଁ ନିଜର ତଦନ୍ତ ପ୍ରକ୍ରିୟାକୁ ଜୋରଦାର କରିଛି ।

ଆହୁରି ପଢ଼ନ୍ତୁ... ​​​​​​​Cockroach Janta Party: ଭାରତରେ କାହିଁକି ବ୍ୟାନ୍ ହେଲା 'କକ୍ରୋଚ୍‌ ଜନତା ପାର୍ଟି' X ହ୍ୟାଣ୍ଡେଲ ? ଇନଷ୍ଟାରେ ବିଜେପି-କଂଗ୍ରେସକୁ ପଛରେ ପକାଇଲା