ନୂଆଦିଲ୍ଲୀ ୧୬/୦୪: ଆପଣ ଯେଉଁ କଦଳୀ ଖାଉଛନ୍ତି, ସେହି ଗଛର ବଳକା ଅଂଶ ଯଦି ଟି-ସାର୍ଟ କିମ୍ବା ସୁପର୍ମାର୍କେଟ୍ରେ ଫ୍ରୁଟ୍ ଟ୍ରେ ରୂପେ ଆପଣଙ୍କ ସାମ୍ନାକୁ ଆସେ? ଏହି ବିଚାର ଏବେ କୌତୁଳହରୁ ବାସ୍ତବତାରେ ରୂପାନ୍ତରିତ ହେଉଛି । କାରଣ କାରଖାନାଗୁଡ଼ିକ ଏବେ କଦଳୀ ଗଛର ଗଣ୍ଡିକୁ କପଡ଼ା, କାଗଜ ଓ ଜୈବ-ଆଧାରିତ ପଦାର୍ଥ ନିମନ୍ତେ ମାନକ କଞ୍ଚାମାଲରେ ରୂପାନ୍ତରିତ କରିବା ଦିଗରେ ଫୋକସ୍ କରୁଛନ୍ତି ।
କଦଳୀ ଚାଷ ଉପରେ ସଦ୍ୟ ଅଧ୍ୟୟନରୁ ଜଣାପଡ଼ିଛି, ଏହି ଗଛର ମାତ୍ର ଛୋଟ ଅଂଶ ଖାଦ୍ୟ ରୂପେ ଉପଯୋଗ ହେଉଛି । ଅବଶିଷ୍ଟାଂଶ କ୍ଷେତରେ ପଡ଼ିରହୁଛି କିମ୍ବା ବର୍ଜ୍ୟ ଭାବେ ଫିଙ୍ଗାଯାଉଛି । କେତେକ ଉତ୍ପାଦନ ପଦ୍ଧତିରେ ଏହାର ଅବଶିଷ୍ଟାଂଶର ପରିମାଣ ହେକ୍ଟର ପିଛା ପ୍ରାୟ ୨୨୦ ଟନ୍ରେ ପହଞ୍ଚିପାରେ । ଏଥିରୁ ସ୍ପଷ୍ଟ ହେଉଛି ଯେ କଦଳୀ ଗଛର ଗଣ୍ଡି ପ୍ରତି ଉଦ୍ୟୋଗଗୁଡ଼ିକ ହଠାତ୍ କାହିଁକି ଏତେ ରୁଚି ପ୍ରଦର୍ଶନ କରୁଛନ୍ତି । ଗବେଷକଙ୍କ ଆକଳନ ଅନୁସାରେ, କଦଳୀ ଗଛରୁ ବ୍ରାଜିଲ ଭଳି ଉତ୍ପାଦକ ଦେଶରେ ପ୍ରତି ବର୍ଷ କୋଟି କୋଟି ଟନ୍ ବର୍ଜ୍ୟ ଉତ୍ପନ୍ନ ହେଉଛି । ଏହାର ଗଣ୍ଡିରେ ଟେନ୍ସିଲ ସାମର୍ଥ୍ୟଯୁକ୍ତ ଶକ୍ତିଶାଳୀ ସେଲ୍ୟୁଲସିକ୍ ତନ୍ତୁ ରହିଛି, ଯାହା ପାରମ୍ପରିକ ପ୍ରାକୃତିକ ତନ୍ତୁ ଝୋଟ ଓ ସିସଲଠୁ ମଧ୍ୟ ଅଧିକ । କିନ୍ତୁ ଦୀର୍ଘ ବର୍ଷ ଧରି କଦଳୀ ତନ୍ତୁ ଖୁବ୍ କମ୍ କଳାକୃତି ପ୍ରକଳ୍ପରେ ପ୍ରଦର୍ଶିତ ହୋଇଛି । ଏହି ଧାରାରେ ଏବେ ବଡ଼ ପରିବର୍ତ୍ତନ ହେଉଛି । କମ୍ପାନିଗୁଡ଼ିକ ଅନ୍ୟ ପ୍ରାକୃତିକ ତନ୍ତୁ ଭଳି କଦଳୀ ତନ୍ତୁର ଉପଯୁକ୍ତ ଔଦ୍ୟୋଗିକ ଯୋଗାଣ ଶୃଙ୍ଖଳା, ଗୁଣବତ୍ତା ମାନକ, ନିରାପତ୍ତା କ୍ଷେତ୍ରଗୁଡ଼ିକର ପରିଚାଳନା ଉପରେ ଫୋକସ୍ କରୁଛନ୍ତି ।
ବ୍ରାଜିଲରେ ଏହି ପରିବର୍ତ୍ତନ ସେତେବେଳେ ନଜରକୁ ଆସିଲା, ଯେତେବେଳେ ଏଫ୍ଆଇଇଏସ୍ସି ସେନାଇ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ସଟାଇଲ ଟେକ୍ନୋଲୋଜି, ଆପାରେଲ ଓ ଡିଜାଇନ୍ର ପ୍ରୋଜେକ୍ଟ ଉପରେ ଆଲୋକପାତ କଲା, ଯାହା କଦଳୀ ତନ୍ତୁରୁ କପଡ଼ା ପ୍ରସ୍ତୁତ କରୁଛି, ଖାସ୍କରି ବ୍ୟାପକ ସ୍ତରରେ ଉପଯୋଗ ନିମନ୍ତେ । ‘ବାନାନା ଟେକ୍ସଟିଲ୍’ ଏହାର ଅନ୍ୟତମ ପ୍ରୟାସ । ଏହି କାରଖାନା ସାଧାରଣତଃ କ୍ଷେତ ପାଖରେ ଆରମ୍ଭ ହୁଏ । କଦଳୀ ଗଛର ସତେଜ ଗଣ୍ଡି ଅତ୍ୟନ୍ତ ଭାରୀ ଏବଂ ପ୍ରଚୁର ଜଳପୂର୍ଣ୍ଣ । ବହୁ ଦୂରରୁ ଏହାର ପରିବହନ ବ୍ୟବସାୟରେ କ୍ଷତି କରିପାରେ ଏବଂ ସହରାଞ୍ଚଳରେ ଟ୍ରାଫିକ୍ ସମସ୍ୟା ବି ବଢ଼ାଇପାରେ । କଦଳୀ ଗଣ୍ଡି ପ୍ଲାଣ୍ଟରେ ପହଞ୍ଚିବା ବେଳକୁ ସେଗୁଡ଼ିକର ଆକାର ଛୋଟ ହୋଇଯାଇଥାଏ ଏବଂ ଆର୍ଦ୍ରତା ମଧ୍ୟ କମିଯାଏ ଓ ସ୍ଥିତି ଖରାପ ହୋଇଯାଇଥାଏ । ଖରାପ ଗଣ୍ଡିରୁ ଛୋଟ ତନ୍ତୁ ବାହାରେ । ତାହା ଅଧିକ ଦୁର୍ଗନ୍ଧଯୁକ୍ତ ମଧ୍ୟ ହୋଇପାରେ ।
ଆହୁରି ପଢ଼ନ୍ତୁ...AI Restaurant : ମୁହଁ ଓ ଜିଭ ସ୍କାନ୍ କରି ପସନ୍ଦର ଖାଦ୍ୟ ପରସୁଛି ରୋବୋ, ଜଳବାୟୁ ଅନୁସାରେ ଦେଉଛି ସ୍ୱାସ୍ଥ୍ୟକର ପରାମର୍ଶ