ନୂଆଦିଲ୍ଲୀ,୨୬/୦୩: ବାଂଲାଦେଶ ରାଜବାଡିର ଦୌଲତଦିଆ ଫେରି ଟର୍ମିନାଲରେ ଭୟଙ୍କର ଦୁର୍ଘଟଣା। ଭାରସାମ୍ୟ ହରାଇ ନଦୀରେ ଖସିଲା ଯାତ୍ରୀବାହୀ ବସ୍। ଫଳରେ ୨୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ନିଖୋଜ ଥିବା ଜଣାପଡିଛି। ବସରେ ପ୍ରାୟ ୪୦ ରୁ ୫୦ ଜଣ ଯାତ୍ରୀ ଥିଲେ। ଯେଉଁଥିରେ ବହୁ ସଂଖ୍ୟକ ମହିଳା ଏବଂ ପିଲା ଥିଲେ। ଯାତ୍ରୀମାନେ ଇଦ୍ ଛୁଟି ପାଳନ କରି ରାଜଧାନୀ ଢାକା ଫେରୁଥିବା ବେଳେ ଏହି ଭୟଙ୍କର ଦୁର୍ଘଟଣା ଘଟିଛି।
ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ରାଜବାରୀ ଜିଲ୍ଲାର ଦୌଲତଡିଆ ଟର୍ମିନାଲରେ ବୁଧବାର ସନ୍ଧ୍ୟା ପ୍ରାୟ ୫ଟା ୧୫ ସମୟରେ ଏହି ଦୁର୍ଘଟଣା ଘଟିଥିଲା। ବସଟି ଫେରିରେ ଚଢ଼ିବାକୁ ଚେଷ୍ଟା କରୁଥିବା ବେଳେ ହଠାତ୍ ଭାରସାମ୍ୟ ହରାଇ ପଦ୍ମା ନଦୀରେ ଖସି ପଡ଼ିଥିଲା। ଏହି ଘଟଣା ପରେ ଘଟଣାସ୍ଥଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିଲା। ଦେଖଣାହାରୀମାନେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ।
ଆହୁରି ପଢନ୍ତୁ-ଆମେରିକାର ସମୁଦ୍ର ରାକ୍ଷସ ଉପରେ ଇରାନର ମିସାଇଲ ମାଡ଼, ରେଞ୍ଜ ଭିତରକୁ ଆସିଲେ ପୁଣି ଆକ୍ରମଣ ଧମକ ଦେଲା ତେହରାନ
ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ପରେ, ବାଂଲାଦେଶ ସେନା, ପୁଲିସ, ଅଗ୍ନିଶମବାହିନୀ ଏବଂ ତଟରକ୍ଷୀ ବାହିନୀର ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟ ଆରମ୍ଭ କରିଥିଲେ। ଖରାପ ପାଗ ଏବଂ କଷ୍ଟକର ପରିସ୍ଥିତି ସତ୍ତ୍ୱେ, ପ୍ରାୟ ୬ ଘଣ୍ଟାର କଠିନ ପରିଶ୍ରମ ପରେ ଏକ କ୍ରେନ୍ ସାହାଯ୍ୟରେ ବସ୍ଟିକୁ ନଦୀରୁ କଢାଯାଇଥିଲା। ଅନେକ ଯାତ୍ରୀ ଗୋଟିଏ ପରିବାରର ବୋଲି ଜଣାପଡିଛି। ବସ୍ ବାହାରେ ଠିଆ ହୋଇଥିବା କିଛି ଲୋକ ବଞ୍ଚି ଯାଇଛନ୍ତିଏହି ଘଟଣା ସମଗ୍ର ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛି। ପ୍ରଧାନମନ୍ତ୍ରୀ ତାରିକ ରହମାନ ଦୁର୍ଘଟଣା ପାଇଁ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଏଥିସହ ତଦନ୍ତ ନିର୍ଦ୍ଦେଶ ଦେବା ସହ ପୀଡିତଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି।