ଢାକା,୧।୧: ବାଂଲାଦେଶରେ ହିନ୍ଦୁମାନଙ୍କ ବିରୁଦ୍ଧରେ ହିଂସା ଥମିବାର ନାଁ ଧରୁନି। ପୁଣିଥରେ ଜୀବନ ନେଇଛି ଘୃଣା। ଶରିୟତପୁର ଅଞ୍ଚଳରେ ଖୋକନ ଚନ୍ଦ୍ର ନାମକ ଜଣେ ହିନ୍ଦୁ ବ୍ୟକ୍ତିଙ୍କୁ ଏକାଧିକ ଲୋକ ଘେରିଯାଇ ଜୀଅନ୍ତା ଜାଳିବାକୁ ଚେଷ୍ଟା କରିଛନ୍ତି। ତାଙ୍କୁ ପ୍ରଥମେ ନିର୍ମମ ଭାବରେ ମାଡ଼ ମରାଯାଇଥିଲା, ତାପରେ ଛୁରୀରେ ଆକ୍ରମଣ କରାଯାଇଥିଲା। ଏହାପରେ ପେଟ୍ରୋଲ ଢାଳି ଜୀବନ୍ତ ଜାଳି ଦିଆଯାଇଥିଲା। ଶେଷ ମୁହୂର୍ତ୍ତରେ ଖୋକନ ନିକଟସ୍ଥ ପୋଖରୀକୁ ଡେଇଁ ନିଜ ଜୀବନ ବଞ୍ଚାଇଥିଲେ। ଏହି ଆକ୍ରମଣ ପୁଣି ଥରେ ବାଂଲାଦେଶରେ ସଂଖ୍ୟାଲଘୁଙ୍କ ବିରୁଦ୍ଧରେ ନିର୍ଯାତନାର ମାତ୍ରାକୁ ସ୍ପଷ୍ଟ କରିଦିଏ।

ରିପୋର୍ଟ ଅନୁସାରେ, ଏହି ନୃଶଂସ ଆକ୍ରମଣ ବୁଧବାର ରାତି ପ୍ରାୟ ୯ଟା ସମୟରେ କାନେଶ୍ୱର ୟୁନିଅନର ତିଲୋଇ ଅଞ୍ଚଳରେ ଘଟିଥିଲା। ଖୋକନ ଚନ୍ଦ୍ର ଦାସ (୪୦)ହେଉଛନ୍ତି ଡାମୁଡ଼ିଆର କେଉରଭଙ୍ଗା ବଜାରରେ ଥିବା ଏକ ଔଷଧ ଦୋକାନ ମାଲିକ ପରେଶ ଚନ୍ଦ୍ର ଦାସଙ୍କ ପୁଅ। ବୁଧବାର ରାତିରେ ଖୋକନ ତାଙ୍କ ଦୋକାନ ବନ୍ଦ କରି ଘରକୁ ଯାଉଥିଲେ। ଯେତେବେଳେ ସେ ତିଲୋଇ ଅଞ୍ଚଳରେ ପହଞ୍ଚିଲେ, କିଛି ଦୁର୍ବୃତ୍ତ ତାଙ୍କୁ ଅଟକାଇଲେ। ଆକ୍ରମଣକାରୀମାନେ ତାଙ୍କ ଉପରେ ଧାରୁଆ ଅସ୍ତ୍ରରେ ଆକ୍ରମଣ କଲେ ଏବଂ ତାଙ୍କ ଶରୀରରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଲେ। ନିଆଁରୁ ନିଜକୁ ରକ୍ଷା କରିବା ପାଇଁ ଖୋକନ ନିକଟରେ ଥିବା ପୋଖରୀକୁ ଡେଇଁ ପଡ଼ିଥିଲେ। ପରେ ସ୍ଥାନୀୟ ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଶରିୟତପୁର ସଦର ହସ୍ପିଟାଲରେ ଭର୍ତ୍ତି କରିଥିଲେ।

ଗତ ଦୁଇ ସପ୍ତାହରେ ଚତୁର୍ଥ ଘଟଣା:

ଏହା ପୂର୍ବରୁ ୧୮ ଡିସେମ୍ବର, ୨୦୨୫ରେ, ବାଂଲାଦେଶରେ, ଦୀପୁ ଚନ୍ଦ୍ର ଦାସଙ୍କୁ ଏକାଠି କିଛି ଲୋକ ପିଟି ପିଟି ହତ୍ୟା କରିଥିଲେ। ତା ପରେ ତାଙ୍କ ମୃତଦେହକୁ ଗଛରେ ବାନ୍ଧି ପୋଡ଼ି ଦିଆଯାଇଥିଲା। ପରବର୍ତ୍ତୀ ସମୟରେ, ଡିସେମ୍ବର ୨୫ରେ ଏକ ଭିଡ଼ ହିଂସାରେ ଅମୃତ ମଣ୍ଡଳଙ୍କୁ କରାଯାଇଥିଲା। ତେବେ ନିଜର ଦୋଷକୁ ଏଡାଇବା ପାଇଁ, ବାଂଲାଦେଶ ଦାବି କରିଥିଲା ଯେ ଅମୃତ ମଣ୍ଡଳ ଜଣେ ଅପରାଧୀ ଏବଂ ଜନତା ତାଙ୍କୁ ବଟି ଆଦାୟ ଯୋଗୁଁ ହତ୍ୟା କରିଥିଲେ। ପରବର୍ତ୍ତୀ ସମୟରେ, ଡିସେମ୍ବର ୨୯ରେ, ମେହରାବାରି ଅଞ୍ଚଳରେ ସୁରକ୍ଷା ଦାୟିତ୍ୱରେ ଥିବା ସମୟରେ ବଜେନ୍ଦ୍ର ବିଶ୍ୱାସ (୪୨)ଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ପୋଲିସ ଅଭିଯୁକ୍ତ ନୋମାନ ମିଆଁ (୨୯)ଙ୍କୁ ଗିରଫ କରିଥିଲା, ଯିଏ ପରେ ଦାବି କରିଥିଲା ଯେ ସେ ତାଙ୍କୁ ଥଟ୍ଟାମଜାରେ ଗୁଳି କରିଥିଲେ। ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ଲଗାତାର ଆକ୍ରମଣ ବଢି ଚାଲିଛି। ଶେଖ୍ ହାସିନା ବାଂଲାଦେଶ ଛାଡିବା ପରେ ହିଂସାତ୍ମକ ପ୍ରତିବାଦ କରିଥିବା ଛାତ୍ର ଗୋଷ୍ଠୀଗୁଡ଼ିକ ମହମ୍ମଦ ୟୁନୁସଙ୍କୁ ଅନ୍ତରୀଣ ସରକାରଙ୍କ ମୁଖ୍ୟ ଭାବରେ ନିଯୁକ୍ତ କରିଛନ୍ତି। ୟୁନୁସ ଜଣେ ପ୍ରସିଦ୍ଧ ବାଂଲାଦେଶୀ ଅର୍ଥନୀତିଜ୍ଞ, ସାମାଜିକ ଉଦ୍ୟୋଗୀ ଏବଂ ନୋବେଲ ଶାନ୍ତି ପୁରସ୍କାର ବିଜେତା। କ୍ଷମତା ଗ୍ରହଣ କରିବା ପରେ, ସେ ଅନେକ ଭାରତ ବିରୋଧୀ ବୟାନ ଦେଇଥିଲେ।

ଆହୁରି ପଢନ୍ତୁ :ଇରାନରେ ଖାମନେଇଙ୍କ ବିରୋଧରେ ‘ଡେଥ୍ ଟୁ ଡିଟାକ୍ଟର’ ନାରା, ୨୧ଟି ରାଜ୍ୟରେ ପହଁଞ୍ଚିଲା ବିଦ୍ରୋହର ନିଆଁ